ସନ୍ଦେହ ଘେରରେ ଆଦିବାସୀ ଯୁବକଙ୍କ ମୃତ୍ୟୁ!
ରିପୋର୍ଟ ଗୋକୁଳାନନ୍ଦ ବେହେରା
(ନିପ୍ର)ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ମହୁଲଡଗର ଗାଁର ସ୍ୱର୍ଗତଃ ଘନ ଚାତରଙ୍କ ଏକମାତ୍ର ପୁତ୍ର ବିରଞ୍ଚି ଚାତର ତା – ୧୧/୩/୨୦୨୬ ଦିନ ଠାରୁ କେଉଁ ଆଡେ ନିଖୋଜ ଥିଲେ। ସମ୍ପର୍କୀୟମାନେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କର କୌଣସି ସୂଚନା ପାଇ ପାରି ନଥିଲେ। ଫଳରେ ତୁମୁସିଙ୍ଗା ଥାନାରେ ତା – ୧୪/୩/୨୦୨୬ ଦିନ ନିଖୋଜ ହେବାର ଜଣାଇଥିଲେ। ପୋଲିସ ମଧ୍ୟ ଯୁବକଙ୍କ ସନ୍ଧାନ ନେବାକୁ କୌଣସି ପଦକ୍ଷେପ ଗ୍ରହଣ କରି ନଥିଲେ। ଦରଖାସ୍ତ ଦେବାର ମାସେ ପରେ ତା – ୧୨/୪/୨୦୨୬ ଦିନ ସିନ୍ଦୁରାଖୋଲ ପର୍ବତରୁ ଏକ ହାଡ଼ କଙ୍କାଳ ଲୋକ ଦେଖିବାକୁ ପାଇଥିଲେ। ଦେହରେ ଥିବା ପୋଷାକରୁ ଏହା ନିଖୋଜ ଯୁବକଙ୍କର ବୋଲି ସମ୍ପର୍କୀୟମାନେ ଜାଣି ଥାନାକୁ ଜଣାଇଥିଲେ। ପିନ୍ଧିଥିବା ଶାର୍ଟର ଛାତି ଭାଗରେ ଗୋଟିଏ କଣା ଓ ରକ୍ତ ଚିହ୍ନ ଥିବା ସ୍ଥାନୀୟ ଲୋକ ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରୁଛନ୍ତି। ପୋଲିସ କଙ୍କାଳକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ଏ ଭିତରେ ମାସେ ହୋଇଯାଇଥିଲେ ମଧ୍ୟ ବ୍ୟବଛେଦ ରିପୋର୍ଟ ପରିବାର ଲୋକଙ୍କୁ ମିଳିନାହିଁ। ଜଙ୍ଗଲୀ ଜନ୍ତୁଙ୍କ ଶିକାର କରି ଯାଇଥିବା ବେଳେ ଭୁଲରେ ବନ୍ଧୁକ ଗୁଳିର ଶିକାର ବିରଞ୍ଚି ହୋଇଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି। ଜଙ୍ଗଲୀ ଜନ୍ତୁଙ୍କ ଶିକାର ଏକ ଧର୍ତ୍ତବ୍ଯ ଅପରାଧ ହୋଇଥିଲା ବେଳେ ଏହି ଅଞ୍ଚଳରେ ନିୟମିତ ଭାବେ ଜଙ୍ଗଲୀ ଜନ୍ତୁଙ୍କ ଶିକାର ହେଉଥିବା ସୂଚନା ମିଳୁଛି। ଘଟଣାକୁ ସଠିକ୍ ତଦନ୍ତ କରିଲେ ଯୁବକଙ୍କ ମୃତ୍ୟୁ ରହସ୍ୟ ଜଣାପଡିବା ସହ ଜଙ୍ଗଲୀ ଜନ୍ତୁଙ୍କ ଶିକାର ଉପରେ ରୋକ୍ ଲାଗି ପାରିବ। ଘଟଣା ସହ ସ୍ଥାନୀୟ ନେତାଙ୍କ ସମର୍ଥକ ସଂମ୍ପୃକ୍ତ ଥିବା ଯୋଗୁଁ ପୋଲିସ ତଦନ୍ତରେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି। ପରିବାର ଲୋକ ଏବେବି ନ୍ୟାୟ ଆଶାରେ ଅପେକ୍ଷା କରି ରହିଛନ୍ତି।
