
ଗ୍ରାମ୍ୟ ରାସ୍ତା ସବୁ ଲୋକ ମାନଙ୍କ କବଜାରେ ! କେଉଁଠି ମୁଗ, ବିରି ଖଳା ତ, କେଉଁଠି ଗୋରୁ ଗୁହାଳ। ଯାତାୟତରେ ସମସ୍ୟା ଉଠୁଛି ।
ରଘୁନାଥପୁର(ନି.ପ୍ର): ବର୍ତ୍ତମାନ ଫସଲର ଅମଳ ସମୟ ଚାଲୁଥିବା ବେଳେ ରଘୁନାଥପୁର ବ୍ଲକ ଅଂଚଳର ବିଭିନ୍ନ ସ୍ଥାନରେ ମୁଗ ଓ ବିରି ଅମଳ ପାଇଁ ଚାଷୀ ମାନେ ଗ୍ରାମ୍ୟ ଢଳେଇ, ପିଚୁ ରାସ୍ତା ସବୁ ବ୍ୟବହାର କରିବା ଦ୍ୱାରା ଯାତାୟତ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି । ଗାଁ ଲୋକମାନେ ବିଲରୁ ମୁଗ ଓ ବିରି ଗଛ ସବୁ ଉଠାଇ ଆଣି ଶୁଖାଉଛନ୍ତି। ଏହି ରାସ୍ତା ଦେଇ ଯାଉଥିବା ଗାଡ଼ି, ମୋଟର ସାଇକେଲ ଦ୍ବାରା ଏହା ସୁରୁଖୁରୁରେ ଅମଳ ହେଉଥିବା ଯୋଗୁଁ ସମସ୍ତ ଚାଷୀ ଏହି ରାସ୍ତା ଗୁଡିକ ଦଖଲ କରିବା ଦ୍ଵାରା ବହୁ ସ୍ଥାନରେ ଦୁର୍ଘଟଣା ମାନ ଘଟୁଛି ଓ ଛୋଟ ବଡ ମାମଲା ସ୍ରୁଷ୍ଟି ହେଉଛି। ବର୍ତ୍ତମାନ ବିଲରେ ମୁଗ, ବିରି ଉଡା ଗାଡି ସବୁ ଅମଳ କରୁଥିବା ବେଳେ କିଛି ଚାଷୀ ଜାଣି ଶୁଣି ଆଣି ରାସ୍ତାରେ ପକାଇ ମାଗଣାରେ ଅମଳ କରିବାକୁ ସକ୍ଷମ ହେଉଛନ୍ତି। ଏପିରିକି ଗ୍ରାମ୍ୟ ରାସ୍ତା ଗୁଡିକରେ ଗୋରୁ, ଗାଈ ଓ ମଇଁଷି ବାନ୍ଧୁ ଥିବା ବେଳେ ବାଲି, ଗୋଡ଼ି ଗଦା କରି ଜବର ଦଖଲ କରୁଛନ୍ତି। ଯାହାର ଜ୍ୱଳନ୍ତ ଉଦାହରଣ ସବୁ ଦେଖିବାକୁ ମିଳୁଛି ଅଢେଇକୁଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୂଆପଲେଇ, ବଡକୋରକୋର, ସାନକୋରକୋର, ଖରଦାସାହି, ଗୁଆଳିପୁର ପଞ୍ଚାୟତ ଅନ୍ତର୍ଗତ ଗୁଆଳିପୁର, କୁର୍ତ୍ତାଙ୍ଗ,କପାଳେଶ୍ଵର, ବର୍ତ୍ତୀ,ପାଟେଣିଗାଁ, ଅରଙ୍ଗ, କୁଳସାହି, ପୂରଣ ଓଡ଼ପଡ଼ା, ନହୁଲିହା,ଅନନ୍ତପୁର, ଚିକିଣିଆ, କାଳଧାରି , ତଅଁରା, ଶାଳିଜଙ୍ଗା, ରେଢୁଆ, ବାଲଂଶା, ମଜୁରେଇ,ରାଢ଼ଙ୍ଗ ଓ ତାରପୁର ଆଦି ଅଞ୍ଚଳ ମାନଙ୍କରେ, ଫଳରେ ଅସମୟରେ ବହୁ ଆକସ୍ମିକ ଦୁର୍ଘଟଣାମାନ ଘଟି ଆରୋହୀ ଓ ଗାଡ଼ି ଗୁଡ଼ିକର ପ୍ରଭୁତ କ୍ଷତି ହେବାରେ ଲାଗିଛି। ଏଥି ପାଇଁ ଗାଁ ଗଣ୍ଡାରେ ଘର ଘର ମଧ୍ୟରେ କଳି ଲାଗି ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଛି। ଅପରପକ୍ଷେ ଆରୋହୀ ମାନେ ମୁଗ, ବିରି ଧୁସରେ ବିଭିନ୍ନ ଶ୍ବାସ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତବର୍ଷ ତାରପୁର ବଜାର ନିକଟରେ ମୁଗବୋତି ଯୋଗୁଁ ଏକ ଚଳନ୍ତା କାରରେ ନିଆଁ ଲାଗି କାରଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ସ୍ଥାନୀୟ ଦୋକାନୀ ଭାଇ ମାନଙ୍କ ପାଇଁ ଚାଳକ ଅଳ୍ପକେ ରକ୍ଷା ପାଇଯାଇଥିଲେ। ଏହାର ସ୍ଥାୟୀ ସମାଧାନ ପାଇଁ କିଛି ସଚେତନ ନାଗରିକ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଉନାହିଁ। କେବେ ତହସିଲ କର୍ତ୍ତୁପକ୍ଷ ଙ୍କ ନିଦ ଭାଙ୍ଗିବ ସେ ପର୍ଯ୍ୟନ୍ତ ଅପେକ୍ଷାରେ ରହିବାକୁ ପଡିବ ବୋଲି ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି।
