ଜରୁରୀ କାଳୀନ ସଂଗ୍ରାମୀଙ୍କୁ ପେନସନ: ଚାରି ସପ୍ତାହ ମଧ୍ୟରେ ଆବେଦନ କରିବାକୁ ଆହ୍ୱାନ
ଦେବଗଡ଼: ଦେଶର ଜରୁରୀ କାଳୀନ ପରିସ୍ଥିତି ସମୟରେ ବନ୍ଦୀ ହୋଇଥିବା ସଂଗ୍ରାମୀମାନଙ୍କୁ ରାଜ୍ୟ ସରକାର ପକ୍ଷରୁ ପେନସନ ପ୍ରଦାନ କରାଯିବ। ଏହା ସମ୍ବନ୍ଧରେ ଦେବଗଡ଼ ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ପ୍ରେସ ସମ୍ମେଳନ ଅନୁଷ୍ଠିତ ହୋଇଥିଲା।
ଓଡ଼ିଶା ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ, ଜରୁରୀ କାଳୀନ ସମୟରେ ମିଶା (MISA), ଡିଆଇଏସଆରଆଇ (DISIR) ଏବଂ ଡିଆଇଆର (DIR) ଆଇନ ଅନୁସାରେ ଗିରଫ ହୋଇ ବିଭିନ୍ନ ଜେଲରେ ବନ୍ଦୀ ରହିଥିବା ସଂଗ୍ରାମୀମାନଙ୍କୁ ପ୍ରତିମାସ ୨୦,୦୦୦ ଟଙ୍କା ପେନସନ ଦିଆଯିବ। ସହିତେ, ସେମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ମଧ୍ୟ ରାଜ୍ୟ ସରକାର ବହନ କରିବେ।
ଏହି ସୁବିଧା ୧ ଜାନୁଆରୀ ୨୦୨୫ ସୁଦ୍ଧା ଜୀବିତ ଥିବା ସମସ୍ତ ଯୋଗ୍ୟ ସଂଗ୍ରାମୀଙ୍କୁ ମିଳିବ। ସୂଚନା ଅନୁଯାୟୀ, ୨୫ ଜୁନ ୧୯୭୫ ଠାରୁ ୨୧ ମାର୍ଚ୍ଚ ୧୯୭୭ ପର୍ଯ୍ୟନ୍ତ ଦେଶରେ ଜରୁରୀ କାଳୀନ ପରିସ୍ଥିତି ବିରୋଧରେ ଆନ୍ଦୋଳନ କରିଥିବା ଅନେକ ସଂଗ୍ରାମୀ ବିଭିନ୍ନ ଜେଲରେ ବନ୍ଦୀ ହୋଇଥିଲେ।
ଦେବଗଡ଼ ଜିଲ୍ଲାର ଯୋଗ୍ୟ ଆବେଦନକାରୀମାନେ ଜିଲ୍ଲା ୱେବସାଇଟ୍ ମାଧ୍ୟମରେ ଆବେଦନ ସମ୍ପର୍କିତ ସମସ୍ତ ତଥ୍ୟ ପାଇପାରିବେ। ଏହା ସହିତ, ସେମାନଙ୍କୁ ଚାରି ସପ୍ତାହ ମଧ୍ୟରେ ଜିଲ୍ଲାପାଳଙ୍କ ନିକଟରେ ଆବେଦନ ଦାଖଲ କରିବାକୁ ଆହ୍ୱାନ କରାଯାଇଛି।
ଏହି ପ୍ରେସ ସମ୍ମେଳନରେ ଆରକ୍ଷୀ ଅଧିକ୍ଷକ ଅନୀଲ କୁମାର ମିଶ୍ର, ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସର୍ବେଶ୍ୱର ପାଣିଗ୍ରାହୀ, ସହକାରୀ ଜିଲ୍ଲାପାଳ ତାପସ କୁମାର ମହନ୍ତ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋରଞ୍ଜନ ସୁତାର ଓ ଅନ୍ୟାନ୍ୟ ସାମ୍ବାଦିକମାନେ ଉପସ୍ଥିତ ଥିଲେ।
