କଟକ ପାରାଦୀପ ରାଜରାସ୍ତା ମରଣଯନ୍ତା ରେ ପରିଣତ, ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ।
ରଘୁନାଥପୁର(ନି.ପ୍ର): ରଘୁନାଥପୁର ଥାନା ଅନ୍ତର୍ଗତ କଟକ ପାରାଦ୍ୱୀପ ରାଜରାସ୍ତାର ଜଗନ୍ନାଥପୁର ଠାରେ ଏକ ଅଜଣା ଗାଡ଼ି ଧକ୍କାରେ ସାଲେପୁର ଥାନା ଅନ୍ତର୍ଗତ ସାରଦା ଗ୍ରାମର ଦେବେନ୍ଦ୍ର ମହାନ୍ତିଙ୍କ ପୁଅ ଶୁଭ୍ରଜିତ ମହାନ୍ତି(୩୨)ଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସହିତ ଗାଡ଼ିରେ ଥିବା ଅନ୍ୟ ଏକ ଯୁବକ ବିଶ୍ବଜିତ ମିଶ୍ର ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଖବର ସଂଗ୍ରହ ରୁ ଜଣାଯାଇଛି ଯେ ଶନିବାର ବିଳମ୍ବିତ ରାତି ୨ଟା ୩୦ ମିନିଟ୍ ସମୟରେ ଦୁଇ ବାଇକ ଆରୋହୀ କଟକ ଅଭିମୁଖେ ଯାଉଥିବା ସମୟରେ ରଘୁନାଥପୁର ଥାନା ଜଗନ୍ନାଥପୁର ବଜାର ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ବାଇକ ଆରୋହୀ ଦୁଇଜଣ ଘଟଣା ସ୍ଥଳରେ ମୂମୁର୍ଷୁ ଅବସ୍ଥାରେ ପଡ଼ିଥିବା ବେଳେ ଖବରପାଇ ରଘୁନାଥପୁର ଥାନା କର୍ମଚାରୀ ସେଠାରେ ପହଞ୍ଚି ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ରଘୁନାଥପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଶୁଭ୍ରଜିତ ମହାନ୍ତିଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ତାଙ୍କ ସହିତ ଥିବା ବିଶ୍ବଜିତ ମିଶ୍ରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ। ଏହି ଘଟଣାରେ ଥାନା ପୋଲିସ କେଶ୍ ନଂ ୭୫/୨୦୨୬ରେ ଏକ ମାମଲା ରୁଜୁ କରି ଶବଟିକୁ ବ୍ୟବଚ୍ଛେଦ ପାଇଁ ଜଗତସିଂହପୁର ପଠାଇଛନ୍ତି। ରାତ୍ର ସମୟରେ ଧକ୍କା କରିଥିବା ଗାଡ଼ିଟିର ଏ ପର୍ଯ୍ୟନ୍ତ କୌଣସି ସୁରାକ୍ ମିଳିନଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ଲୋକମାନଙ୍କ ସି ସି କ୍ୟାମେରା ଫୁଟେଜ଼ କୁ ଅନୁଧ୍ୟାନ କଲେ ଜଣାଯାଇ ପାରନ୍ତା।
