ମହାର୍ହ ରାମ ନାଟକ ବିଲୁପ୍ତିର ଦ୍ୱାରଦେଶରେ, ସଂସ୍କୃତି ବିଭାଗ ଦୃଷ୍ଟି ଦେବା ଦାବି
ବ୍ରହ୍ମପୁର, ତା. ୦୪/୦୪ :
ଗଞ୍ଜାମ ଜିଲ୍ଲାର ପ୍ରତୁଳ ଲୋକକଳା ମଧ୍ୟରେ ରାମ ନାଟକ ଅନ୍ୟତମ। ଲୋକ ନାଟକ ଜଗତର ଏକ ମହାର୍ହ ନାଟକ ଭାବରେ ରାମ ନାଟକ ବିଦିତ। କିନ୍ତୁ କାଳର କରାଳ ମୁଖ ବ୍ୟାଦାନ ଭିତରେ ଏ ଲୋକ ନାଟକଟି ସମ୍ପୂର୍ଣ ଲୁପ୍ତ ହେବରେ ବସିଛି। ଚିକିଟି ପଞ୍ଚାୟତ ସମିତି ଅନ୍ତର୍ଗତ ସୁନାପୁର ଠାରେ ଗୋଟିଏ ରାମ ନାଟକ ଦଳ ଏବଂ ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ହରିଡ଼ାଖଣ୍ଡି ଗ୍ରାମରେ ଅନ୍ୟ ଏକ ଦଳ ରହିଛି। ସୁନାପୁର ଦଳ 6ପ୍ରୗଢ କଳାକାର ମାନଙ୍କ ଦ୍ୱାରା କେବେ କେମିତି ଗାଁ ଯାତ୍ରାରେ ରାତିଏ ଖଣ୍ଡେ ନାଟକ ପରିବେଷଣ କରିଥାନ୍ତି। ନୂତନ ପିଢ଼ିର ପ୍ରଶ୍ନ ଉଠୁନାହିଁ। ଏଥିପାଇଁ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ସଂଘ ତରଫରୁ ନାଟ୍ୟ ଦଳ ଓ ଗ୍ରାମୀଣ ମୁଖ୍ୟଙ୍କୁ ନେଇ ଅନ୍ତତଃ ଆଉ ଗୋଟିଏ ପିଢ଼ି ପର୍ଯ୍ୟନ୍ତ ବଞ୍ଚାଇ ରଖିବା ଉଦ୍ୟମ କରାଯାଇଛି। କୌଣସିମତେ ସୁନାପୁରରେ ରାମ ନାଟକ ମୁମୁର୍ଷୁ ଅବସ୍ଥାରେ ବଞ୍ଚି ରହିଛି। ପୁରୁଣା କଳାକାର ଜଣେ ଦିଜଣଙ୍କ ଅବର୍ତ୍ତମାନରେ ସମ୍ପୂର୍ଣ ବନ୍ଦ ହୋଇଯିବା ଆଶଙ୍କା ରହିଛି।
ସେହିଭଳି ହରିଡ଼ାଖଣ୍ଡି ସ୍ଥିତ ଶ୍ରୀଶ୍ରୀ ଲକ୍ଷ୍ମୀନୃସିଂହ ନାଟ୍ୟ ସଂଘ ଆନୁକୂଲ୍ୟରେ ମହନ୍ତ ଶ୍ରୀରାମାଧୀନ ଦାସ ଗୋସ୍ୱାମୀ କୃତ “ରାବଣ ଦର୍ପ ଦଳନ” ବା ରାମ ନାଟକ ନାମକୁ ମାତ୍ର ବଞ୍ଚି ରହିଛି। ଆଖଡ଼ା ଘର ସାଙ୍ଗକୁ ଆର୍ଥିକ ଅନଟନ ଭିତରେ ହରିଡ଼ାଖଣ୍ଡି ମଠ ଦ୍ୱାରା ପାଳିତ ରାମ ନବମୀ ଅବସରରେ ରାତିଟିଏ ପରିବେଷଣ ହେଉଛି। ମହାସଂଘର ପ୍ରୟାସ ଦ୍ୱାରା ସମ୍ପ୍ରତି ନୂଆ ପିଢ଼ି ଦ୍ୱାରା ନାଟକର କିଛି ଅଂଶ ପରିବେଷଣ ବ୍ୟବସ୍ଥା ନାଟ୍ୟ ସଂସ୍ଥା ଦ୍ୱାରା କରାଯାଇଛି। ମାତ୍ର ଏହା ପୂର୍ଣ୍ଣାଙ୍ଗ ନୁହଁ।
ସର୍ବଶ୍ରୀ ରବୀନ୍ଦ୍ର ପ୍ରଧାନ, ରାଜେନ୍ଦ୍ର ରେଡ୍ଡୀ, ସନ୍ତୋଷ ଜେନା, ଅରୁଣ କୁମାର ଜେନାଙ୍କ ସହଯୋଗ କ୍ରମେ ଶିକ୍ଷକ ରବୀନ୍ଦ୍ର ବେହେରାଙ୍କ ସମେତ କୁନି ପ୍ରଧାନ, ପ୍ରଭାତ ବେହେରା, ଭାଗିରଥି ବେହେରା, ଚିକୁ ମାହାଙ୍କୁଡ, କୈଳାସ ଜେନା, ବାବୁଲ ବେହେରା, ପରୀକ୍ଷିତ ମଲ୍ଲିକ, ହରେକୃଷ୍ଣ ମହାରଣା, ନୀଳାଞ୍ଚଳ ଜେନା, ରାଜୁ ପ୍ରଧାନ, ରାମହରି ମହାରଣା ପ୍ରମୁଖ ନାଟକର ସୂତ୍ରଧର, ଯନ୍ତ୍ର ସଙ୍ଗୀତ, ବେଶପରିପାଟି ଆଦି କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଅଭିନୟ କ୍ଷେତ୍ରରେ ଗଣେଶ ସାହୁ, ରାକେଶ ବେହେରା, ସନତ କୁମାର ପ୍ରଧାନ, ପ୍ରବୀଣ ଜେନା, ରବି ବେହେରା, ବଳିଆ ଜେନା, ରାଜେନ୍ଦ୍ର ରେଡ୍ଡୀ, ରାମ ତରେଇ, ସୋନୁ ପାତ୍ର, ମାନସ ଜେନା, ପିଣ୍ଟୁ ପ୍ରମୁଖ ରହିଛନ୍ତି।
ଏ ଦୁଇଟି ଦଳ ପ୍ରତି ଜିଲ୍ଲା ସଂସ୍କୃତି ବିଭାଗ ଦୃଷ୍ଟିରେ ରଖି ସେମାନଙ୍କ ଅଭାବ ଅସୁବିଧା କଥା ବୁଝି ଯଥାର୍ଥ ସହାୟତା ଯୋଗାଇ ପାରିଲେ ଆଉ କିଛି କାଳ ରାମ ନାଟକଟି ବଞ୍ଚି ରହନ୍ତା। ସମ୍ପ୍ରତି ଜିଲ୍ଲା ତଥା ରାଜ୍ୟ ସଂସ୍କୃତି ବିଭାଗ ସେମାନଙ୍କ ଆଖଡ଼ା ଗୃହ ନିର୍ମାଣ, ବେଶଭୁଷା ଓ ବାଜା ସରଞ୍ଜାମ ଯୋଗାଣ ସହିତ ସେମାନଙ୍କୁ ରାଜ୍ୟ ଓ କେନ୍ଦ୍ର କଳାକାର ଭତ୍ତା ଦେବା ବ୍ୟବସ୍ଥା କରିବା ନିମନ୍ତେ ସମ୍ପୃକ୍ତ ନାଟ୍ୟ ସଂସ୍ଥା ତରଫରୁ ଦାବି ହେଉଛି। ଏ କ୍ଷେତ୍ରରେ ସରକାରୀ କଳ ଦୃଷ୍ଟି ଦେବା ନିମନ୍ତେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ତରଫରୁ ନିବେଦନ କରାଯାଉଛି।
