ସୋର ଡାକ୍ତରଖାନାରେ ସ୍ୱାସ୍ଥ୍ୟ ସେବା ର ବିକଳ ଚିତ୍ର : ସିକ୍ୟୁରିଟି ଗାର୍ଡ ମାପୁଛନ୍ତି ରକ୍ତଚାପ,ଷ୍ଟ୍ରେଚରରେ ରୋଗୀ ବଦଳରେ ବୁହା ହେଉଛି ଫୁଲ କୁଣ୍ଡ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର)::: ନିକଟରେ ଓଡ଼ିଶାର ସ୍ଵାସ୍ଥ୍ୟ ସେବାର ପ୍ରାଣ କେନ୍ଦ୍ର ସର୍ବ ପୁରାତନ ମେଡିକାଲ କଲେଜ ଏସିବି ମେଡିକାଲ ରେ ବିଭିନ୍ନ ପ୍ରକାରର ବିକଳ ସ୍ଵାସ୍ଥ୍ୟ ସେବାର ଚିତ୍ର ସାମ୍ନାକୁ ଆସିଥିଲା। ଏପରିକି ୧୦ ଉର୍ଦ୍ଧ୍ୱ ରୋଗୀ ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଅଗ୍ନିକାଣ୍ଡ ଘଟି ଶ୍ଵାସ ରୁଦ୍ଧ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ଏହି ଘଟଣା ସାରା ଦେଶରେ ଓଡ଼ିଶା ର ବିକଳ ଓ ନଗ୍ନ ସ୍ଵାସ୍ଥ୍ୟ ସେବାର ଚିତ୍ର ଲୋକଲୋଚନକୁ ଆଣିଥିଲା। କେବଳ ଏସିବି ର ଏହି ଘଟଣା ନୁହେଁ ବରଂ ସାରା ରାଜ୍ୟରେ ବିଭିନ୍ନ ଚିକିତ୍ସାଳୟରେ ପ୍ରତ୍ୟେକଦିନ ସ୍ଵାସ୍ଥ୍ୟ ସେବାର ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଠିକ୍ ସେହିପରି ବାଲେଶ୍ୱର ଜିଲ୍ଲା ସୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏକ ଗୁରୁତ୍ୱପୂର୍ଣ୍ଣ, ଜରୁରୀକାଳୀନ ସ୍ଵାସ୍ଥ୍ୟ କେନ୍ଦ୍ର ହୋଇଥିବା ସ୍ଥଳେ ବିଭିନ୍ନ ସମୟରେ ଡାକ୍ତର ତଥା କର୍ମଚାରୀ ମାନେ ରୋଗୀ ତଥା ତାଙ୍କ ସମ୍ପର୍କୀୟ ମାନଙ୍କୁ ଖରାପ ବ୍ୟବହାର କରି ଗାଳିଗୁଲଜ କରିବା ଘଟଣା ନଜରି ରହି ଆସିଛି। କିଛି ଦିନ ତଳେ ସୋର ଡାକ୍ତରଖାନାର ଜଣେ ଡାକ୍ତର ନିଜକୁ ଲୋକାଲ ଲୋକ କହି ଦବଙ୍ଗ ଗିରି ଦେଖାଇ ଜଣେ ଯୁବତୀ ଙ୍କୁ ଖରାପ୍ ଭାଷାରେ ଗାଳିଗୁଲଜ କରିବା ସହିତ ମୋବାଇଲ ଛଡାଇବା ପର୍ଯ୍ୟନ୍ତ କଥା ଯାଇଥିଲା। ଉକ୍ତ ଘଟଣାକୁ ଯେଣେତେନେ ସମାଧାନ କରାଯାଇଥିଲା। ଅଧିକାଂଶ ସମୟରେ ଡାକ୍ତର ଖାନାରେ ନିୟୋଜିତ ଥିବା ସିକୁରିଟି ଗାର୍ଡ ସୁରକ୍ଷା କାର୍ଯ୍ୟକୁ ଛାଡି ସ୍ଵାସ୍ଥ୍ୟ ସେବାର ନିଜକୁ ଲିପ୍ତ କରୁଛନ୍ତି। ଯେପରି ରକ୍ତଚାପ ମାପିବା, ପ୍ରେସର ମାପିବା ଇତ୍ୟାଦି କାର୍ଯ୍ୟରେ ଡାକ୍ତର ଙ୍କ ନିର୍ଦ୍ଦେଶ ରେ କାମ କରୁଛନ୍ତି। ଡାକ୍ତରଖାନା ରେ ଅସାହାୟ ଦୁର୍ଘଟଣା ଗ୍ରସ୍ତ ରୋଗୀ ମାନଙ୍କୁ ଜରୁରୀକାଳୀନ ଭିତ୍ତିରେ ନେବା ଆଣିବା କରିବା ପାଇଁ ଯେଉଁ ଷ୍ଟେଚର ରହିଛି ଉକ୍ତ ଷ୍ଟେଚର ରେ ସିକୁରିଟ୍ ଗାର୍ଡ ମାନେ ବିଭିନ୍ନ ସମୟରେ ଫୁଲ ଚାରା କୁଣ୍ଡ ସହିତ ଅନ୍ୟାନ୍ୟ ସାମଗ୍ରୀ କୁ ନେବା ଆଣିବା କରିବାର ଭିଜୁଆଲ ଆମର ମଧ୍ୟ ହସ୍ତଗତ ହୋଇଛି। ବାରମ୍ବାର ଉପରୋକ୍ତ ଅସୁବିଧା ଗୁଡିକୁ ସହିତ ଅନ୍ୟାନ୍ୟ ସମସ୍ୟା ନେଇ ଅଧିକ୍ଷକ ଙ୍କୁ ରୋଗୀ ତଥା ରୋଗୀ ସମ୍ପର୍କୀୟ ମାନେ ଅଭିଯୋଗ କରି ଆସୁଥିବା ବେଳେ ଅଧିକ୍ଷକ ପାଇଁ ଏହା କାନ ଶୁଣା ହୋଇଗଲାଣି। ଏବିଷୟରେ ପୁଙ୍ଖାନୁପୁଙ୍ଖ ନିରପେକ୍ଷ ଟିକନିକ ତଦନ୍ତ କରି ଡାକ୍ତର ଓ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଲେ ସୋର ଡାକ୍ତରଖାନା ରେ ରୋଗୀ ସେବା ରେ ସ୍ଵଚ୍ଛତା ଆସିବା ସହିତ ଡାକ୍ତରଖାନା ରେ ସୁନାମ ମଧ୍ୟ ବଢ଼ିବାରେ ସହାୟକ ହୋଇପାରିବ ବୋଲି ସ୍ଥାନୀୟ ବୃଦ୍ଧିଜୀବି ମହଲରେ ପ୍ରକାଶ ପାଇଛି।
