ଗୌରବ ହରାଉଛି ଭଞ୍ଜନଗର ଲୋହରା ଖଣ୍ଡି ନଦୀ।
ଭଞ୍ଜନଗର -୨୨/୦୩ (ପ୍ରଫୁଲ୍ଲ କୁମାର ମହାରଣା ) ଭଞ୍ଜନଗର ସହର, ଘୁମୁସର ମାଟିର ଇତିହାସ ଓଡିଶା ମାନଚିତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି।ଏକଦା ବ୍ରିଟିଶ ମାନେ ଭଞ୍ଜନଗର ସହର ଭୌଗଳିକ ଅବସ୍ଥିତ ଦୃଷ୍ଟିରୁ ଏହାକୁ ଗୋଟାଏ ଉପନିବେଶ ଭାବେ ବ୍ୟବହାର କରୁଥିଲେ।ଭଞ୍ଜନଗର ସହର ତିନି ଗୋଟି ପ୍ରବେଶ ପଥରେ ଥିବା ନଦୀ ସହର ସୌନ୍ଦର୍ଯ୍ୟ ବଢାଇବା ସହ ଜଳ ସଙ୍କଟ, କୃଷି କ୍ଷେତ୍ରରେ ବିକାଶ ହେଉଥିଲା। ଭଞ୍ଜନଗର ସହର ମଧ୍ୟ ଭାଗରେ ଲୋହରା ଖଣ୍ଡି ନଦୀ ଓ ସହର ଉପକଣ୍ଠ ବେଲଗୁଣ୍ଠା ରାସ୍ତା ରେ ଥିବା ବଡ ନଦୀ ଘୁମୁସର ଅଞ୍ଚଳ ର ବିକାଶ ପାଇଁ ମୁଖତଃ ଦାୟୀ ଥିଲା।ଏହି ଦୁଇ ନଦୀ ରୁ ଭଞ୍ଜନଗର ସହରକୁ ଜଳ ଯୋଗାଣ ହେଉଥିଲା ଓ ଆଖ ପାଖ ଚାଷ ଜମିକୁ ଜଳସେଚନ ହେଉଥିଲା।ଏକଦା ଏହି ଦୁଇ ନଦୀର ଜଳ ସ୍ଵଛ ଥିଲା ଓ ବହୁତ ପ୍ରସସ୍ଥ ଥିଲା କିନ୍ତୁ ସମୟ କ୍ରମେ ଏହି ନଦୀ ନିଜର ଅସ୍ଥିତ୍ଵ ହରାଇବାକୁ ଲାଗିଛି। ଆଜିର ସମାଜ ନିଜର ବୁଦ୍ଧି ବଳରେ ନଦୀକୁ ନାଳରେ ପରିଣତ କରିଦେଇଛନ୍ତି।ଜନ ସଂଖ୍ୟା ବୃଦ୍ଧି ଜନବସତି ବୃଦ୍ଧି ପାଇଛି।ଲୋକମାନେ ନଦୀ ମଧ୍ୟରେ ସହର ସମସ୍ତ ଅଳିଆ ପକାଉଛନ୍ତି।ସେହିପରି ନଦୀକୁ ଲାଗି ରହିଥିବା ଘର ମାନଙ୍କର ପାଇଖାନା ର ମଇଳା, ଘରର ମଇଳା ପାଣି ନଦୀରେ ପଡୁଛି।ଲୋହରା ଖଣ୍ଡି ନଦୀ ଦୁଇ ପାଖରେ ଜବର ଦଖଲ କରି ଘର, ପାଇଖାନା କରିଛନ୍ତି।ଏହିପରି କି ନଦୀର ଦୁଇ ପାର୍ଶ୍ଵରେ ଅନବନା ଗଛ ଯୋଗୁ ନଦୀ ସଙ୍କୁଚିତ ହୋଇ ଗୋଟାଏ କ୍ଷୁଦ୍ର ନାଳରେ ପରିଣତ ହୋଇ ଗଲାଣି।ଯେଉଁ ନଦୀରେ ବର୍ଷ ତମାମ ପାଣି ରହୁଥିଲା ସେହି ନଦୀ ବର୍ତ୍ତମାନ ଶୁଷ୍କ, ଗ୍ରୀଷ୍ମ ଦିନ ନ ଆସୁଣୁ ଜଳ ଶୂନ୍ୟ ହେଉଛି ଲୋହରା ଖଣ୍ଡି ନଦୀ।ଯେଉଁ ନଦୀ ର ଜଳ ଦିନେ କାଚ କେନ୍ଦୁ ପରି ଜଳ ଥିଲା ଆଜି ସେହି ନଦୀରେ ମଶା ମାଛିରେ ପରିପୂର୍ଣ୍ଣ କଳା ମିଚି ମିଚି ପାଣି ଦେଖିବାକୁ ମିଳୁଛି।ବଡ ଆଶ୍ଚର୍ଯ୍ୟ ର କଥା ଏହି ନଦୀ ନିକଟରେ ବସବାସ କରୁଥିବା ଅନେକ ପରିବାର ଏହି ମଇଳା ଜଳକୁ ବ୍ୟବହାର କରୁଛନ୍ତି ଓ ରୋଗଗ୍ରସ୍ତ ମଧ୍ୟ ହେଉଛନ୍ତି।ଏହି ନଦୀ ଉପରେ ଥିବା ରାସ୍ତା ଦେଇ କେତେ ଯେ ଅଫିସର ,କେତେଯେ ନେତା, କେତେଯେ ଲୋକ ପ୍ରତିନିଧି ଯିବା ଆସିବା କରୁଛନ୍ତି କିନ୍ତୁ କାହାର ଏଥିପାଇଁ ସମୟ ନାହିଁ କି ନିଘା ନାହିଁ। ସତେ ଯେପରି ଜଳ ସେଚନ ବିଭାଗ କୁମ୍ଭ କର୍ଣ୍ଣ ନିଦରେ ଶୋଇଛି।ଆଗକୁ ଭଞ୍ଜନଗର ସହରରେ ଅନୁଷ୍ଠିତ ହେବ ଐତିହାସିକ ଠାକୁରାଣୀ ଯାତ୍ରା ଓ ଏହି ସହର କୁ ଆସିବେ ରାଜ୍ୟ ଓ ରାଜ୍ୟ ବାହାର ର ଲୋକେ। ଯଦି ବେଳ ଥାଉଁ ଥାଉଁ ଯଦି ଏହି ନଦୀର ପୁନରୁଦ୍ଧାର ହୋଇ ପାରନ୍ତା ତା ହେଲେ ଏହି ଠାକୁରାଣୀ ଯାତ୍ରା ସମୟରେ ଜନସାଧାରଣ ଙ୍କ ଜଳ ସମସ୍ୟା ଦୂର ହେବା ସହ ଘୁମୁସର ଅଞ୍ଚଳ ର ସୌନ୍ଦର୍ଯ୍ୟ ମଧ୍ୟ ବୃଦ୍ଧି ପାଇଥାନ୍ତା।
