ଝୁମ୍ପୁରା ବ୍ଲକ ଅନ୍ତର୍ଗତ କାଶିପାଳ ଗ୍ରାମରେ ଭାଗବତ ଟୁଙ୍ଗି ଉନ୍ମୋଚିତ। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ କାଶିପାଳ ଗ୍ରାମରେ ତା୨୨.୩.୨୦୨୬ରିଖ ରବିବାର ଦିନ ଏକ ଭାଗବତ ଟୁଙ୍ଗି ଉନ୍ମୋଚନ ହୋଇଯାଇଛି।କେନ୍ଦୁଝର ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମିତି ସଭାପତି ଆଚାର୍ଯ୍ୟ ଦାଶରଥି ପ୍ରଧାନ ମୁଖ୍ୟ ଅତିଥି ରୂପେ ଯୋଗଦେଇ ପରମାତ୍ମା ଶ୍ରୀ ଭଗବାନଙ୍କ ବାନ୍ମୟ ମୂର୍ତ୍ତି ଶ୍ରୀମଦ୍ ଭାଗବତ ମହାପୁରାଣଙ୍କୁ ଗାଦିରେ ସ୍ଥାପନ କରି ଭାଗବତ ଟୁଙ୍ଗିକୁ ଉନ୍ମୋଚନ କଲେ ଏବଂ ଟୁଙ୍ଗିକୁ ରାଧାକୃଷ୍ଣ ଭାଗବତ ଟୁଙ୍ଗି ନାମରେ ନାମିତ କଲେ । ଆଚାର୍ଯ୍ୟ ଦାଶରଥି ପ୍ରଧାନ,ପାରେଶ୍ୱର ବେହେରା ଓ ମୁଖ୍ୟ କର୍ତ୍ତା କୌତୁକ ପ୍ରଧାନ ଓ ତାଙ୍କ ଧର୍ମପତ୍ନୀ ଆଦ୍ରୀ ପ୍ରଧାନଙ୍କ ସହଯୋଗରେ ଗାଦି ପୂଜାର୍ଚ୍ଚନା ହେଲା । ଆଚାର୍ଯ୍ୟ ଦାଶରଥି ପ୍ରଧାନ ଭାଗବତ ପାଠ ଶୁଭାରମ୍ଭ କରି ପ୍ରଥମ ସ୍କନ୍ଧ ପ୍ରଥମ ଅଧ୍ୟାୟ ପାରାୟଣ କଲେ ଏବଂ ଭାଗବତ ଟୁଙ୍ଗିର ସଭାପତି କୁଞ୍ଜ ବିହାରୀ ପ୍ରଧାନଙ୍କ ସହିତ ଅନ୍ୟାନ୍ୟ କର୍ମକର୍ତ୍ତା ତଥା ଉପସ୍ଥିତ ମହିଳା ଭକ୍ତ ମାନଙ୍କୁ ଦୈନଦିନ ଭାଗବତ ପଠନ ଓ ଶ୍ରବଣ କରିବା ପାଇଁ ଶପଥ ପାଠ କରାଇଲେ।ଜିଲ୍ଲା ଯାଦବ ମହାସଭା ସଭାପତି ପ୍ରଦୀପ କୁମାର ବାରିକ ପୂରଣ ପଣ୍ଡାଙ୍କୁ ଭାଗବତ ଗ୍ରନ୍ଥ ଅର୍ପଣ କରିଥିଲେ।ଏହାପରେ ସତସଙ୍ଗ ଅଧିବେସନ ଆରମ୍ଭ କରାଯାଇ ଭାଗବତ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଆରମ୍ଭ କରାଗଲା। ମୁଖ୍ୟ ଅତିଥି ଆଚାର୍ଯ୍ୟ ଦାଶରଥି ପ୍ରଧାନଙ୍କ ସହିତ ଜିଲ୍ଲା ଭାଗବତ ପ୍ରଚାର ପ୍ରସାର ସମ୍ପାଦକ ଜଗନ୍ନାଥ ଜେନା ମୁଖ୍ୟ ବକ୍ତା , ସଦର ବ୍ଲକ ସଭାପତି ପ୍ରସନ୍ନ କୁମାର ଦାସ, ଝୁମ୍ପୂରା ବ୍ଲକ ସଭାପତି ନେତ୍ରାନନ୍ଦ ମହାରଣା ଓ କେନ୍ଦୁଝର ଗଡ ପୌରାଞ୍ଚଳ ସମ୍ପାଦକ ଅକ୍ଷୟ କୁମାର ଦାସ,ଚମ୍ପୁଆ ବ୍ଲକ ଉପଦେଷ୍ଟା ସୁମନ୍ତ କୁମାର ଗିରି ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଭାଗବତ ପୂଜନ, ପଠନ ଓ ଶ୍ରବଣର ବିଶେଷତ୍ଵ ଓ ଭାଗବତ ଟୁଙ୍ଗିର ପୁନରୁଦ୍ଧାର ବିଷୟରେ ଆଲୋକପାତ କରିଥିଲେ।ଭାଗବତ ଚେତନା ବିନା ମନୁଷ୍ୟ ଜୀବନ ନିରର୍ଥକ। ଏଣୁ କେନ୍ଦୁଝର ଜିଲ୍ଲା ଜନ ସମାଜକୁ ଭଗବତ୍ ପ୍ରେମରେ ବିଭୋର କରିବା ପାଇଁ ପ୍ରତ୍ୟେକ ଗ୍ରାମରେ ଭାଗବତ ଟୁଙ୍ଗି ସ୍ଥାପନ କରିବା ଏକାନ୍ତ ଅପରିହାର୍ଯ୍ୟ ବୋଲି ଆଚାର୍ଯ୍ୟ ଦାଶରଥି ପ୍ରଧାନ ଘୋଷଣା
କରିଥିଲେ । ପରିଶେଷରେ ରଜାବସା ଗ୍ରାମ ଭଜନ ମଣ୍ଡଳୀ ଭଜନ କୀର୍ତ୍ତନ କରିଥିଲେ। ଜୟ ଧ୍ଵନି ପ୍ରଦାନ ପୂର୍ବକ ଧନ୍ୟବାଦ ଅର୍ପଣ କଲେ କୌତୁକ ପ୍ରଧାନ। କାଶିପାଳ ଗ୍ରାମର ଚାରୁଚନ୍ଦ୍ର ଗିରି,ସର୍ବେଶ୍ୱର ପ୍ରଧାନ,ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ,ସମିତି ସଭ୍ୟ ମହେନ୍ଦ୍ର ପଟ୍ଟନାୟକ, ସଂଜୟ ଗିରି , ମମତା ପ୍ରଧାନ,ତପସ୍ଵିନୀ ପ୍ରଧାନ, ସୁକାନ୍ତି ପ୍ରଧାନ ଓ ମାର୍କଣ୍ଡ ଗିରି ତଥା ପ୍ରଫୁଲ୍ଲ କୁମାର ପ୍ରଧାନ ପ୍ରମୁଖଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
