ବାଘଶାଳା ରାଧାକାନ୍ତ ମଠର ମହନ୍ତ ଭାବେ ଦାୟିତ୍ୱ ନେଲେ ଗୋପାଳ ଦାସ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶାଳା ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ରାଧାକାନ୍ତ ମଠର ନୂତନ ମହନ୍ତ ଭାବେ ଗୋପାଳ ଦାସ ଦାୟିତ୍ୱ ଗ୍ରହଣ କରିଛନ୍ତି। ପାରଳା ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ସମେତ ବିଭିନ୍ନ ମଠର ମହନ୍ତ ମହାରାଜମାନଙ୍କ ଉପସ୍ଥିତିରେ ଏହି ଦାୟିତ୍ୱ ହସ୍ତାନ୍ତର ପ୍ରକ୍ରିୟା ସମ୍ପନ୍ନ ହୋଇଛି।
ପୂର୍ବତନ ମହନ୍ତ ରାଧାଚରଣ ଦାସଙ୍କ ବିୟୋଗ ପରେ ଦୀର୍ଘଦିନ ଧରି ରାଧାକାନ୍ତ ମଠରେ ସ୍ଥାୟୀ ମହନ୍ତ ନଥିବାରୁ ମଠର ପରିଚାଳନାକୁ ନେଇ ଅନିଶ୍ଚିତତା ରହିଥିଲା। ମଠ ପରିଚାଳିତ ବିଦ୍ୟାଳୟର କର୍ମକର୍ତ୍ତା, ସ୍ଥାନୀୟ ଲୋକଙ୍କ ସହଯୋଗ ଏବଂ ହାଇଟେକ୍ ଗ୍ରୁପ୍ର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀଙ୍କ ଉପସ୍ଥିତିରେ ପୂର୍ବରୁ କାଶୀନଗର ମହନ୍ତ ମହାରାଜଙ୍କୁ ଉତ୍ତରାଧିକାରୀ ତଥା ଚେଲା ଭାବେ ଦାୟିତ୍ୱ ଦିଆଯାଇଥିଲା। ତେବେ ସ୍ଥାୟୀ ଭାବେ ମହନ୍ତ ଦାୟିତ୍ୱ ଗ୍ରହଣ ହୋଇନଥିଲା।
ଏହି ପରିପ୍ରେକ୍ଷୀରେ ଆଜି ଏକ ବିଶେଷ ଧାର୍ମିକ ଓ ପରମ୍ପରାଗତ ପ୍ରକ୍ରିୟା ମଧ୍ୟରେ ଗୋପାଳ ଦାସଙ୍କୁ ରାଧାକାନ୍ତ ମଠର ମହନ୍ତ ମହାରାଜ ଭାବେ ଉତ୍ତରାଧିକାରୀ ତଥା ଚେଲା ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଛି।
ଏହି ଅବସରରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀଙ୍କ ସହ ପୁରୀ ରାଧାକାନ୍ତ ମଠର ମହନ୍ତ ମହାରାଜ, ପାରଳାଖେମୁଣ୍ଡି ମହନ୍ତ ମହାରାଜ, ରେକିଲି ମହନ୍ତ, ଶ୍ରୀକାକୁଲମ ମହନ୍ତ, ଚଙ୍ଗୁଡ଼ି ମହନ୍ତଙ୍କ ସମେତ ବିଭିନ୍ନ ମଠର ସାଧୁସନ୍ଥ ଓ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।
ଗୋପାଳ ଦାସ ମହନ୍ତ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ମଠର ଧାର୍ମିକ ପରମ୍ପରା, ପୂଜାପାଠ ଓ ସାମାଜିକ କାର୍ଯ୍ୟକ୍ରମକୁ ଆଗକୁ ନେବା ସହ ମଠ ପରିଚାଳିତ ବିଦ୍ୟାଳୟର କାର୍ଯ୍ୟକୁ ସୁଚାରୁ ଭାବେ ଚଳାଇବା ନେଇ ଆଶା ପ୍ରକାଶ ପାଇଛି। ଗୋପାଳ ଦାସଙ୍କ ଦାୟିତ୍ୱ ଗ୍ରହଣକୁ ନେଇ ସ୍ଥାନୀୟ ଭକ୍ତ ଓ ଗ୍ରାମବାସୀଙ୍କ ମଧ୍ୟରେ ମଧ୍ୟ ଆନନ୍ଦ ପ୍ରକାଶ ପାଇଛି।
