ରଘୁନାଥପୁର ବ୍ଲକ ରେ ଜନ ଶୁଣାଣି ଶିବିର।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ରଘୁନାଥପୁର ବ୍ଲକ ରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ଶିବିରରେ ୫୩ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିବା ବେଳେ ୧୦ ଟି ଅଭିଯୋଗର ତତକ୍ଷଣାତ ସମାଧାନ ହୋଇପାରିଥିଲା। ରାସନ କାର୍ଡ ସମସ୍ୟା କୁ ନେଇ କିଛି ବ୍ୟକ୍ତି ବହୁବାର ଗୁହାରି କରିଥିଲେ ବି ସମସ୍ୟା କାହିଁକି ସମାଧାନ ହେଉ ନାହିଁ ବୋଲି ପଚାରିବା ଘଟଣା ବ୍ଲକ ଯୋଗାଣ ଅଧିକାରୀ ସନ୍ଦୀପା ଦାସଙ୍କୁ ଅଡୁଆରେ ପକାଇଥିଲା । ଏପରିକି ବହୁଦିନ ଧରି ଖଣ୍ଡେ ରାସନ କାର୍ଡ ପାଇବା ପାଇଁ ଅନଲାଇନ ରେ ଆବେଦନ କରିଥିଲେ ବି ତଦନ୍ତ ହୋଇ ନଥିବାରୁ ସେ ନେଇ ଅଭିଯୋଗ ବି ଆସିଥିଲା। ଆବାସ ଯୋଜନା, ଜମିଜମା ସମ୍ପର୍କିତ, ଗ୍ରାମ୍ୟ ସମସ୍ୟା ଓ ରଘୁନାଥପୁର ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ ଙ୍କ ମନମୁଖୀ କାରବାର ପାଇଁ ବି ଅଭିଯୋଗ ଆସିଥିଲା। ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ରବିନାରାୟଣ ଜେଠି, ,ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇ, ମଣ୍ଡଳ ଉନ୍ନୟନ ଅଧିକାରୀ ବିରଞ୍ଚି ନାରାୟଣ ବେହେରା, ତହସିଲଦାର ରାଜଲକ୍ଷ୍ମୀ ନାୟକ ଓ ତିର୍ତ୍ତୋଲ ଏସ୍ ଡି ପି ଓ ଅଜୟ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ବିଭିନ୍ନ ବ୍ଲକ ରେ ହେଉଥିବା ଜନଶୁଣାଣି ଶିବିରରେ ବ୍ଲକ ଅଧ୍ଯକ୍ଷ, ଉପାଧ୍ଯକ୍ଷ ମାନେ ଉପସ୍ଥିତ ରହି ଲୋକମାନଙ୍କ ଅଭିଯୋଗ ଶୁଣୁଥିବା ବେଳେ ରଘୁନାଥପୁର ବ୍ଲକ ରେ ଏହି ଦୁଇ ଲୋକ ପ୍ରତିନିଧି ମାନଙ୍କୁ ଦେଖିବାକୁ ମିଳେନାହିଁ। ଏ ଦିଗରେ ଜିଲାପାଳ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି କରାଯାଇଛି।
