ସୋର ଅବକାରୀ ବିଭାଗ କୁ ବଡ଼ ସଫଳତା।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ, ନିପ୍ର):::: ସୋର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ମିଳିତ ଚଢ଼ାଉ କରି କାର ଏବଂ ଅଟୋ ସହ ଗଞ୍ଜେଇ ଜବତ କରିବା ସହିତ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ଜଣେ ଫେରାର ହୋଇଯାଇଥିବା ଜଣାପଡିଛି। ବାଲେଶ୍ୱର ଜିଲ୍ଲା ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଧେଶରେ ସହ ଅଧିକ୍ଷକ ସ୍ବପ୍ନରାଣୀ ସାହୁଙ୍କ ତତ୍ୱାବଧାନରେ ନୀଳଗିରି ରେଞ୍ଜ ଅବକାରୀ ଆଇଆଇସି କେଶବ ଦାସ, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଆଇଆଇସି ହରିହର ସିଂ, ସୋର ଆଦର୍ଶ ଅବକାରୀ ଥାନା ଅଧିକାରିଣୀ ପ୍ରଜ୍ଞାପ୍ରିୟା ନାୟକ ଏବଂ ଭବେଶ ଦାସଙ୍କୁ ନେଇ ଏକ ଟିମ ଅନନ୍ତପୁର ବଜାରରେ ପେଟ୍ରୋଲିଙ୍ଗ କରୁଥିଲେ। ଏହି ସମୟରେ ଓଡି ୦୫ ଏଏନ ୪୧୦୦ ନମ୍ବର ବିଶିଷ୍ଟ ଫୋର୍ଡ଼ କାର ଟି ସୋରରୁ ଗୁଡ଼ ଅଭିମୁଖେ ଯାଉଥିବା ବେଳେ ଏଥିରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୁତ୍ରରୁ ଖବର ପାଇ ଏହି ଟିମ ଗାଡିକୁ ଅଟକାଇ ଥିଲେ। ଏହି ସମୟରେ ଦୟାନିଧିପୁର ଗ୍ରାମର ସନାତନ ନାୟକ କାର ଅଟକାଇ ଦୌଡ଼ି ପଳେଇ ଯାଇଥବା ବେଳେ ତାଙ୍କ ସ୍ତ୍ରୀ ମଧୁସ୍ମିତା ନାୟକକୁ ଅଟକ ରଖି ଗାଡି ଯାଞ୍ଚ କରିଥିଲେ। ଯାଞ୍ଚ ପରେ କାରରୁ ୨୫ କିଲୋ ଗଞ୍ଜେଇ ଜବତ କରିବା ସହିତ ମଧୁସ୍ମିତାକୁ ଗିରଫ କରିଥିଲେ। ସେହିପରି ଏହି ଟିମ ଟେଣ୍ଟେଇ ଛକରେ ଚଢ଼ାଉ କରି ଅଇଁରୀ ଛକରୁ ଟେଣ୍ଟେଇ ଅଭିମୁଖେ ଆସୁଥିବା ଓଡି ୦୧ ବିଡି ୯୮୯୭ ବିଶିଷ୍ଟ ଯାତ୍ରୀବାହୀ ଅଟୋକୁ ଅଟକାଇ ଯାଞ୍ଚ କରିବା ପରେ ସେଥିରୁ ୧୨ କିଲୋ ଗଞ୍ଜେଇ ଜବତ କରିବା ସହିତ ରାମଚନ୍ଦ୍ରପୁର ଗ୍ରାମର ଦୟାନିଧି ଜେନା ଏବଂ ଦୟାନିଧିପୁର ଗ୍ରାମର ମିନତୀ ନାୟକକୁ ଗିରଫ କରିଥିଲେ। ଅପରାହ୍ନରେ ବାଲେଶ୍ୱର ମେଡିକାଲରେ ସମସ୍ତଙ୍କ ଡାକ୍ତରୀ ମାଇନା ପରେ ସମସ୍ତଙ୍କୁ ବାଲେଶ୍ୱର କୋର୍ଟକୁ ଚାଲାଣ କରାଯାଇଛି।ଏହି ଚଢ଼ାଉରେ ଏଏସଆଇ ବସନ୍ତ ବାରିକ,ଲମ୍ବୋଦର ମହନ୍ତ,ଅନିକ କୁମାର ସାଠୁଆ,କ୍ଷିରୋଦ ବେହେରା, କନେଷ୍ଟବଳ ଶଶୀକାନ୍ତ ସାହୁ,ସୁନାରାମ ସୋରେନ, ନୁହାନ ମୁର୍ମୁ,କାଜଲ ପ୍ରିୟଦର୍ଶିନୀ, ମିନତୀ ପରିଡାଙ୍କ ସମେତ ଜଳେଶ୍ୱର ରେଞ୍ଜ ଅବକାରୀ ବିଭାଗ, ନୀଳଗିରି ରେଞ୍ଜ ଅବକାରୀ ବିଭାଗର କର୍ମଚାରୀ ସାମିଲ ହୋଇଥିଲେ।
