ସାହିତ୍ୟିକ ବଂଶୀଧର ଷଡ଼ଙ୍ଗୀଙ୍କ ଶ୍ରଦ୍ଧାଞ୍ଜଳି ସମାବେଶ।
ଭଞ୍ଜନଗର :୧୪/୦୯(ପ୍ରଫୁଲ୍ଲ କୁମାର ମହାରଣା ) ଲୋହରାଖଣ୍ଡି ସାହିତ୍ୟ ସଂସଦ ଓ ଭଞ୍ଜନଗର ସାଂସ୍କୃତିକ ପରିଷଦ ତରଫରୁ ‘ସକାଳ’, ‘ଗୁଜବ ସହର’, ‘ଧସେଇ ପଶୁଥିବା ବର୍ଷା’ର କବି ତଥା କଥାକାର ଓ ଔପନାସିକ ବଂଶୀଧର ଷଡ଼ଙ୍ଗୀଙ୍କ ଶ୍ରଦ୍ଧାଞ୍ଜଳି ସମାବେଶ ସ୍ଥାନୀୟ ପ୍ରେସ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଲୋହରାଖଣ୍ଡି ସାହିତ୍ୟ ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ପ୍ରାରମ୍ଭରେ ସୂଚନା ପ୍ରଦାନ କରିଥିଲେ। କବି ପ୍ରଶାନ୍ତ ମହାନ୍ତି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ବଂଶୀଧର ଷଡ଼ଙ୍ଗୀ ଜଣେ ଛାତ୍ରବତ୍ସଳ ଶିକ୍ଷକ ସହିତ କବି, ଗାଳ୍ପିକ ତଥା ପ୍ରତୀକ ସାହିତ୍ୟ ସଂସଦର ପୂର୍ବତନ ସଭାପତି ଥିଲେ। ସେ ଘୁମୁସର କାହିଁକି ସମଗ୍ର ଓଡ଼ିଶାର ସାହିତ୍ୟକଙ୍କ ମଧ୍ୟରେ ସେ ଜଣେ ଆଗଧାଡ଼ିର କବି ଥିଲେ। ଏହା ସହିତ ଅନେକ ସାହିତ୍ୟ ଅନୁଷ୍ଠାନ ସହିତ ଜଡ଼ିତ ଥିଲେ। ତାଙ୍କର କବିତା ପୁସ୍ତକ ‘ସକାଳ’, ‘ଗୁଜବ ସହର’, ‘ଧସେଇ ପଶିଥିବା ବର୍ଷା’, ଗଳ୍ପ ସଙ୍କଳନ ଭାବେ ‘ସମ୍ପର୍କ’, ‘ଚଇତି ଚିତ୍ର ଲେଖା’, ‘କକୁ ଓ ଅନ୍ୟମାନେ’, ଉପନ୍ୟାସ ସଙ୍କଳନ ଭାବେ ‘ମନ୍ଦିର ମାଳିନୀ ମନସ୍ୱିନୀ’ ଓ ‘ଶବର ପଲ୍ଲୀରୁ ଶ୍ରୀକ୍ଷେତ୍ର’ ପ୍ରକାଶିତ ହୋଇ ବାଣୀ ଭଣ୍ଡାରକୁ ସମୃଦ୍ଧ କରିପାରିଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅରୁଣାଞ୍ଚଳ ପତି, କୃତ୍ତିବାସ ବିଶ୍ୱାଳ, ନେତାଜୀ ବିଷୋୟୀ, ସନ୍ତୋଷ କୁମାର ଜେନା, ଡ. ସୁରେଶ ଚନ୍ଦ୍ର ପଣ୍ଡା, ଅଶୋକ ସାହୁ, ପ୍ରଭାତ କୁମାର ଆଚାର୍ଯ୍ୟ, ଧ୍ରୁବ ମହାରଣା, ମୋତିଲାଲ ପତି, ସୁରେଶ ଚନ୍ଦ୍ର ସ୍ୱାଇଁ, ଅଶୋକ ମହାପାତ୍ର, ବାବୁଲା ପ୍ରଧାନ ସମେତ ଅନେକ ସାହିତ୍ୟିକ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ। ସ୍ୱର୍ଗତ ଷଡ଼ଙ୍ଗୀଙ୍କ କବିତାକୁ ଆବୃତ୍ତି କରିଥିଲେ ଅଶୋକ ସାହୁ ଓ ପ୍ରଭାତ କୁମାର ଆଚାର୍ଯ୍ୟ। କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟମାନେ।
