ବେତନଟୀ , ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକ ଅନ୍ତର୍ଗତ ବୈଶିଙ୍ଗା ଉପକଣ୍ଠ ଡାହିବାଡ଼ି ସାପ୍ତାହିକ ହାଟ ଶହେ ବର୍ଷରୁ ଉର୍ଦ୍ଧ୍ଵ ହାଟ ହୋଇଥିବା ବେଳେ ଏଠାରେ ଅବ୍ୟବସ୍ଥା ଚରମ ସ୍ଥିତିରେ ପହଞ୍ଚିଛି। ମୟୂରଭଞ୍ଜ ମହାରାଜାଙ୍କ ଅମଳର ଏହି ସର୍ବପୁରାତନ ଚଳଚଞ୍ଚଳ ହାଟ ବ୍ୟବସାୟୀକ କାରବାର ଦୃଷ୍ଟିକୋଣରୁ ଖୁବ୍ ଗୁରୁତ୍ଵ ରଖେ। ବୁଧବାର ଓ ଶନିବାର ଦୁଇଦିନ ହାଟ ଲାଗୁଥିବା ବେଳେ ପ୍ରାୟ ପାଞ୍ଚଶହରୁ ଉର୍ଦ୍ଧ୍ଵ ଦୋକାନୀ ଏବଂ ପାଞ୍ଚ ହଜାରରୁ ଊର୍ଦ୍ଧ୍ଵ ଗ୍ରାହକଙ୍କ ଗହଳି ଲାଗିଥାଏ। ବ୍ୟବସାୟୀକ କାରବାର ଦିବସକୁ ଛାଡି ଦେଲେ ଅନ୍ୟ ଦିନ ମାନଙ୍କରେ ସମଗ୍ର ଅଞ୍ଚଳ ଅନ୍ଧାର ଭିତରେ ପଡି ରହିଥାଏ। ଫଳରେ ଏହି ଅଞ୍ଚଳ ନିଶାଡି ଏବଂ ଅସାମାଜିକ ବ୍ୟକ୍ତି ମାନଙ୍କର ଆଡ୍ଡାସ୍ଥଳୀରେ ପରିଣତ ହୋଇଛି। ତେବେ ବଡ଼ସାହି ବିଧାୟକ ସନାତନ ବିଜୁଳି ନିଜସ୍ଵ ହାତ ପାଣ୍ଠିରୁ ଚାରଟି ଖୁଣ୍ଟରେ ୧୬ ରୁ ଉର୍ଦ୍ଧ୍ଵ ହାଇମାକ୍ସ ଲାଇଟ ବନ୍ଦୋବସ୍ତ କରିଥିଲେ ଏବଂ ବିଧାୟକଙ୍କ ଏହି ପଦକ୍ଷେପ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ସାଧୁବାଦ ଜଣାଇଥିଲେ। ହେଲେ ଲାଇଟ ଲଗାଇବାର ମାତ୍ର ତିନିମାସ ପରେ ଦୁଇ ଖୁଣ୍ଟରେ ଥିବା ୮ ରୁ ଉର୍ଦ୍ଧ୍ଵ ହାଇମାକ୍ସ ଲାଇଟ୍ ଚୋରି ହୋଇଯାଇଥିଲା। ସ୍ଥାନୀୟ ପୋଲିସର ନିଷ୍କ୍ରିିୟତା ପାଇଁ ଏଯାଏ ଦୁର୍ବୃତ୍ତଙ୍କ କୌଣସି ପତ୍ତା ମିଳିନାହିଁ। ବର୍ତ୍ତମାନ ସମୟରେ ଦୁଇ ହାଟପାଳିକୁ ଛାଡି ଦେବା ପରେ ରାତ୍ରି ସମୟରେ ପୁଣି ଜୁଆଡ଼ି , ନିଶାଡ଼ି ଏବଂ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଥିବାର ଦେଖାଯାଉଛି। ନିଛାଟିଆ ଜାଗା ସହ ଅନ୍ଧାର ହେଉଥିବାରୁ ଅସାମାଜିକ , ନିଶାଡ଼ି ଏବଂ ଜୁଆଡିଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି l
ପରିତାପର ବିଷୟ ଏହି ହାଟଟି ବୈଶିଙ୍ଗା ପଞ୍ଚାୟତର ମୂଖ୍ୟ ରାଜସ୍ବ ଆଦାୟକାରୀ ହାଟ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନର ଏକତରଫା ନିଷ୍ପତ୍ତି କ୍ରମେ ୨୫ ବର୍ଷ ତଳେ ହାଟରୁ ମାହାସୁଲ ଆଦାୟକୁ ନେଇ ଭାଗିଦାରୀ ହିସାବରେ ବେତନଟୀ ଆରଏମସି ଓ ବୈଶିଙ୍ଗା ପଞ୍ଚାୟତକୁ ଯୁଗ୍ମ ଦାୟିତ୍ୱ ଦିଆଯାଇଥିଲା। ଫଳରେ ଦୈତ୍ୟ ଶାସନ ବ୍ୟବସ୍ଥା ଯୋଗୁଁ ଆରଏମସି କିମ୍ବା ପଞ୍ଚାୟତ କର୍ତ୍ତୃପକ୍ଷ କେହିହେଲେ ଏହାର ଉନ୍ନତିକରଣରେ କୈାଣସି ପଦକ୍ଷେପ ନେଉନାହାନ୍ତି। ଏହି ହାଟର ଆଲୋକିକରଣ , ଉନ୍ନତିକରଣ ଏବଂ ଅସାମାଜିକ ଯୁବକଙ୍କ ଦୌରତ୍ମ୍ୟ ରୋକିବା ପାଇଁ ଜିଲ୍ଲା ପ୍ରଶାସନ , ଆରଏମସି କର୍ତ୍ତୃପକ୍ଷ ଏବଂ ପୋଲିସ ପ୍ରଶାସନ ପକ୍ଷରୁ ଠୋସ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ତେବେ ବୈଶିଙ୍ଗା ଥାନାଧିକାରୀ ବାରିଣୀ ଦାସଙ୍କୁ ଏ ବିଷୟରେ ପଚାରିବାରୁ ସେ ନୂଆକରି ଏହି ଥାନାରେ ଦାୟିତ୍ବ ନେଇଥିବା ବେଳେ ଆଗାମୀ ଦିନରେ ଏହି ଅଞ୍ଚଳ ପ୍ରତି ସ୍ଵତନ୍ତ୍ର ଦୃଷ୍ଟି ଦେବେ ଏବଂ ଆବଶ୍ୟକ ସ୍ଥଳେ ଅସାମାଜିକଙ୍କ ଉପଦ୍ରବ ରୋକିବାକୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲିି କହିଲେ। ବେତନଟୀ ନିୟନ୍ତ୍ରୀତ ବଜାର କମିଟିର ସମ୍ପାଦକ ସଦାନନ୍ଦ ମାରାଣ୍ଡିଙ୍କୁ ଏ ସମ୍ପର୍କରେ ପଚାରିବାରୁ ଏହି ଅଞ୍ଚଳରେ ଆଲୋକିକରଣ ପାଇଁ ତ୍ୱରିତ ପଦକ୍ଷେପ ନିଆଯିବ ବୋଲି କହିଥିଲେ।