ବିକସିତ ଭାରତ ଯୁବ ନେତୃତ୍ୱ ସଂବାଦ–୨୦୨୬ରେ କଳାହାଣ୍ଡିର ଶୁଭଲକ୍ଷ୍ମୀ ଦାଶ
କଳାହାଣ୍ଡି:(କିଶନ ଶର୍ମା)-କଳାହାଣ୍ଡି ଜିଲ୍ଲାର ଶୁଭଲକ୍ଷ୍ମୀ ଦାଶ ପୁଣିଥରେ ଓଡ଼ିଶା ପାଇଁ ଗର୍ବର କାରଣ ହୋଇଛନ୍ତି। “ବିକସିତ ଭାରତ ଯୁବ ନେତୃତ୍ୱ ସଂବାଦ–୨୦୨୬” (Viksit Bharat Young Leaders’ Dialogue 2026)ରେ ସେ ଜିଲ୍ଲାରୁ ଏକମାତ୍ର ପ୍ରତିନିଧି ଭାବେ ଓଡ଼ିଶା ରାଜ୍ୟ ପକ୍ଷରୁ ଚୟନିତ ହୋଇ “ବିକସିତ ଭାରତ ପାଇଁ ଭବିଷ୍ୟତ-ପ୍ରସ୍ତୁତ କାର୍ଯ୍ୟଶକ୍ତି ଗଢ଼ିବା” ବିଷୟ ଉପରେ ଆଧାରିତ ଚ୍ୟାଲେଞ୍ଜ ଟ୍ରାକ୍ରେ ବିଜେତା ହୋଇଛନ୍ତି।
ଏହି ଜାତୀୟ ସ୍ତରର ପ୍ରତିଯୋଗିତା ଅନଲାଇନ୍ କ୍ୱିଜ୍ ମାଧ୍ୟମରେ ଆରମ୍ଭ ହୋଇ ପରେ ନିବନ୍ଧ ଲେଖନ, ପାୱାରପଏଣ୍ଟ ପ୍ରସ୍ତୁତିକରଣ ଓ ବ୍ୟକ୍ତିଗତ ସାକ୍ଷାତ୍କାର ସହିତ ଅନେକ ଚୟନ ପର୍ଯ୍ୟାୟ ଅତିକ୍ରମ କରିଥିଲା। ସମସ୍ତ ପର୍ଯ୍ୟାୟରେ ଶୁଭଲକ୍ଷ୍ମୀ ତାଙ୍କର ଯୁବ କେନ୍ଦ୍ରିକ ଦୃଷ୍ଟିକୋଣ, ନୀତିମୂଳକ ଚିନ୍ତାଧାରା ଓ ବ୍ୟବହାରିକ ପ୍ରସ୍ତାବ ଦ୍ୱାରା ବିଚାରକମାନଙ୍କୁ ପ୍ରଭାବିତ କରିଥିଲେ।
ବର୍ତ୍ତମାନ ଶୁଭଲକ୍ଷ୍ମୀ ଦାଶ ହାଇଦ୍ରାବାଦସ୍ଥିତ ନ୍ୟାସନାଲ୍ ଇନ୍ଷ୍ଟିଟ୍ୟୁଟ୍ ଅଫ୍ ଏଡଭାନ୍ସ୍ଡ୍ ଟେକ୍ନୋଲୋଜି (NIAT)ରେ ଇଂରାଜୀ ଓ ସଂଯୋଗ କୌଶଳ ଶିକ୍ଷକ ଭାବେ କାର୍ଯ୍ୟରତ। ସେ ଶିକ୍ଷାଦାନର ଗୁଣାତ୍ମକ ମୂଲ୍ୟାଙ୍କନ, ଶିକ୍ଷକ ମେଣ୍ଟରିଂ ଓ ପ୍ରମାଣାଧାରିତ ପାଠଦାନ ପ୍ରଣାଳୀ ମାଧ୍ୟମରେ ଉଚ୍ଚ ପ୍ରଭାବଶାଳୀ ଶିକ୍ଷା ପରିବେଶ ଗଢ଼ିବାରେ ସକ୍ରିୟ।
ଗଭର୍ନର୍ସ୍ ଗୋଲ୍ଡ୍ ମେଡାଲ୍ ବିଜେତା ଓ ଏନ୍ସିସିର ପୂର୍ବତନ ସିନିୟର୍ କ୍ୟାଡେଟ୍ କ୍ୟାପ୍ଟେନ୍ ଭାବେ ସେ ଯୁବ ସମ୍ପ୍ରେରଣ, ସମୁଦାୟ ସଂପୃକ୍ତତା ଓ ଘାସମୂଳ ସ୍ତରରେ ସଚେତନତା ଅଭିଯାନରେ ନେତୃତ୍ୱ ନେବା ସହ ନେପାଳରେ SAARC ସଚିବାଳୟ ଅଧୀନରେ ଭାରତୀୟ ଯୁବ ରାଜଦୂତ ଭାବେ ସେ ଆନ୍ତର୍ଜାତୀୟ ମଞ୍ଚରେ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି। ପୂର୍ବତନ ଦୂରଦର୍ଶନ ସମ୍ବାଦ ଉପସ୍ଥାପିକା ଭାବେ ସେ ଜଟିଳ ସାମାଜିକ ଓ ନୀତିଗତ ବିଷୟକୁ ସାଧାରଣ ନାଗରିକଙ୍କ ପାଇଁ ସରଳ ଓ ସହଜ ଭାବେ ପ୍ରସ୍ତୁତ କରିଥିଲେ।
ଏହି ସଫଳତା କଳାହାଣ୍ଡି ସହ ସମଗ୍ର ଓଡ଼ିଶା ପାଇଁ ଗର୍ବର ବିଷୟ ହୋଇ ରହିଛି ଏବଂ ବିକସିତ ଭାରତ ଗଢ଼ିବାରେ ଯୁବଶକ୍ତିର ଭୂମିକାକୁ ଆହୁରି ସୁଦୃଢ଼ କରିଛି।
