ଅଁଳାକଟା ଗ୍ରାମରେ ମା ମଙ୍ଗଳାଙ୍କ ନିଶା ମଙ୍ଗଳବାର ଓଷା ପାଳିତ
ସ୍ଥାନ ପରଜଙ୍ଗ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ , କୁମୁସୀ ପଞ୍ଚାୟତଅଁଳାକଟା ଗାଁ ଚଉପାଢ଼ୀ ପ୍ରାଙ୍ଗଣରେ ରହିଥିବା ମା ମଙ୍ଗଳାଙ୍କ କୋଠିରେ ମଙ୍ଗଳବାର ଦିନ ମହାସମାରୋହରେ ପାଳିତ ହୋଇଯାଇଛି ନିଶା ମଙ୍ଗଳବାର ଓଷା । ଆମ ସଂସ୍କୃତି ଆମ ପରମ୍ପରା ଅନୁଯାୟୀ ବାର ମାସରେ ତେର ପର୍ବ ପାଳନ ହେଉଥିବା ବେଳେ ଏଥି ମଧ୍ୟରେ କାର୍ତ୍ତିକ ମାସ ଅନ୍ୟତମ ରହିଛି । ଏହି ପବିତ୍ର ମାସରେ ସମସ୍ତ ଧାର୍ମିକ ଅନୁଷ୍ଠାନ ଚଳଚଞ୍ଚଳ ହେଉଥିବା ବେଳେ ଏହାରି ମଧ୍ୟରେ ନିଶା ମଙ୍ଗଳବାର ଓଷା ପାଳିତ ହୋଇଥାଏ। ଏହି ଓଷା ବହୁ ବର୍ଷ ଧରି ଅଁଳାକଟା ଗାଁ ଚଉପାଢ଼ୀ ପ୍ରାଙ୍ଗଣରେ ରହିଥିବା ମା ମଙ୍ଗଳାଙ୍କ ଓଷା କୋଠିରେ ଗ୍ରାମର ମହିଳା ମାନେ ପାଳନ କରିଆସୁଥିବା ବେଳେ ଚଳିତ ବର୍ଷ ମା ଙ୍କ ନିଶା ମଙ୍ଗଳବାର ଓଷା ସ୍ଵତନ୍ତ୍ର ନିଆରା ରହିଥିଲା । ନିଜର ନିଜ ପରିବାରର ମନସ୍କାମନା ପୂର୍ଣ୍ଣ ଉଦ୍ଦେଶ୍ୟରେ ଗ୍ରାମର ଓଷାଧାରୀ ମହିଳା ମାନେ ଦିନ ବ୍ୟାପୀ ନିଷ୍ଠାର ସହ ଏହି ଓଷା ପାଳନ କରିଥିବା ଦେଖିବାକୁ ମିଳିଥିଲା । ଦିନରେ ଗ୍ରାମର ମହିଳା ମାନେ ନୂଆ ବସ୍ତ୍ର ପରିଧାନ କରି ବିଭିନ୍ନ କିସମର ଭୋଗ ସାମଗ୍ରୀ ଧରି ମା ଙ୍କ ଓଷା କୋଠିରେ ଧୂପ ଦୀପ ପ୍ରଜ୍ବଳନ କରି ଓଷା ପାଳନ କରିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା ।ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ସନ୍ଧ୍ୟା ସମୟରେ ପୂର୍ବ ପରମ୍ପରା ଅନୁଯାୟୀ ଓଷାଧାରୀ ମହିଳା ମାନଙ୍କ କଳସ ଯାତ୍ରା ଦେଖିବାକୁ ମିଳିଥିଲା । ଦିନରେ ମହିଳା ମାନେ ମା ଙ୍କ ପୂଜା ଓ ସନ୍ଧ୍ୟାରେ କଳସ ଯାତ୍ରା ଲାଗି ମା ଙ୍କ ପୂଜା ସ୍ଥାନ ଚଳଚଞ୍ଚଳ ହୋଇପଡ଼ିଥିଲା । ସନ୍ଧ୍ୟାରେ ଓଷାଧାରୀ ମହିଳା ମାନେ ମା ଙ୍କ ଆସ୍ଥାନରେ ପହଞ୍ଚି ନିଜ ନିଜର ସୁସଜ୍ଜିତ କଳସ ଧରି ଗାଁ ଡିମିରିବନ୍ଧ ପୋଖରୀରେ ପହଞ୍ଚି ଥିଲେ । ସେଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ମା ଙ୍କ ମନ୍ଦିର ଅଭିମୁଖେ କଳସ ଶୋଭାଯାତ୍ରା ବାହାରିଥିଲା । ଆଗରେ ବାଜା ବାଣ ସାଉଣ୍ଡରେ କଳସ ଯାତ୍ରା ବାହାରି ବଜାର ଓ ଗାଁ ପରିକ୍ରମା କରି ପୂଜା ସ୍ଥଳରେ ପହଞ୍ଚିଥିଲେ । ଏହା ପରେ ପୂଜା ଆରମ୍ଭ କରାଯାଇ ନିର୍ଦ୍ଧାରିତ ସମୟ ପୂର୍ବରୁ ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିଥିବା ସମେତ ଅନ୍ୟ ସମସ୍ତ ସଦସ୍ୟ ମାନଙ୍କ ସହଯୋଗରେ ନିଶା ମଙ୍ଗଳବାର ଓଷା ପାଳିତ ହୋଇଥିଲା । ଗ୍ରାମର ଯୁବକ ମାନଙ୍କ ସହଯୋଗରେ ନିଶା ମଙ୍ଗଳବାର ଓଷା ମହାସମାରୋହରେ ପାଳିତ ହୋଇଯାଇଛି ।
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
