ଇଟାଲୀ ଦେଶର ଦମ୍ପତିଗଜପତିରୁ ପୋଷ୍ୟ ସନ୍ତାନ ଗ୍ରହଣ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲାରୁ ୮୨ ଓ ୮୩ ତମ ଶିଶୁଙ୍କୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ମୁନୀନ୍ଦ୍ର ହୋନନଗା ପୋଷ୍ୟ ସନ୍ତାନ ଭାବେ ଇଟାଲୀ ଦେଶର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି। ଆଜକୁ ପ୍ରାୟ ୩ ବର୍ଷ ପୂର୍ବେ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ଏହି ଶିଶୁଦ୍ୱୟଙ୍କୁ ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶ କ୍ରମେ ଯତ୍ନ ଓ ସୁରକ୍ଷା ନିମନ୍ତେ ଉତ୍କଳ ବାଳାଶ୍ରାମ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନ, ହାତିବାଡିଠାରେ ରଖାଯାଇଥିଲା। ପରବର୍ତ୍ତି ମୁହୁର୍ତ୍ତରେ ଶିଶୁ ମଙ୍ଗଳ ସମିତି, ଗଜପତି ଶିଶୁଦ୍ୱୟଙ୍କୁ ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ ଏବଂ ଏହାପରେ ଶିଶୁଙ୍କର ତଥ୍ୟ ମିଶନ ବାତ୍ସଲ୍ଯ ପୋର୍ଟାଲ୍ ରେ ଅପଲୋଡ଼୍ କରାଯାଇଥିଲା, ଯାହାଦ୍ୱାରା ଶିଶୁଦ୍ୱୟ ପୋଷ୍ୟ ସନ୍ତାନ ଭାବେ ଯେକୌଣସି ଯୋଗ୍ୟ ପରିବାର ପାଖକୁ ଯାଇପାରିବ, ତାହା ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା। ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ପ୍ରାୟ ୪ବର୍ଷରୁ ଉର୍ଦ୍ଧ ସମୟ ଧରି ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଉକ୍ତ ଦମ୍ପତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ। ଉପରୋକ୍ତ ପରିବାର ଶାରିରୀକ ସ୍ତରରେ ଶିଶୁଦ୍ୱୟଙ୍କୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ। ତାପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ, ଗଜପତି ପ୍ରସ୍ତୁତ କରିଥିଲେ । ସମସ୍ତ ଦସ୍ତାବିଜକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଯାଞ୍ଚ କରିବା ପରେ ଆଜି ଶିଶୁଦ୍ୱୟଙ୍କୁ ଉକ୍ତ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ। ଶିଶୁଦ୍ୱୟ ଦୁଇ ଭଉଣୀ ଓ ଶିଶୁଦ୍ୱୟଙ୍କର ବୟସ ୧୨ ଓ ୧୪ ବର୍ଷ ହୋଇଥିବାବେଳେ, ଶିଶୁଦ୍ୱୟ ଓ ଉକ୍ତ ଦମ୍ପତି ଶିଶୁଦ୍ୱୟଙ୍କୁ ପାଇ ବେଶ ଖୁସି ଥିବା ଲକ୍ଷ୍ୟ କରାଯାଇଥିଲା।
ହସ୍ତାନ୍ତର ସମୟରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ଅମିୟ କୁମାର ତ୍ରିପାଠୀ,ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ଶ୍ରୀମତୀ ମନୋରମା ଦେବୀ, ସୁରକ୍ଷା ଅଧିକାରିଣୀ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଶ୍ରୀମତୀ ଶାରଳା ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ, ସି ଡି ପି ଓ, ରାୟଗଡ଼ ଶ୍ରୀମତୀ ବି କୋମଳାଙ୍ଗୀ, ଉତ୍କଳ ବାଳାଶ୍ରାମ ଓ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
