ନିଦାବିଷ୍ଣୁ ସାଜିଛି ଡ୍ରେନେଜ ବିଭାଗ,
କୋଟି କୋଟି ଟଙ୍କା ହେଉଛି ହରିଲୁଟ୍.
ଦଶରଥପୁର
ସଠିକ୍ ଢଙ୍ଗରେ ନାଳ ପୁନରୁଦ୍ଧାର ହେଲେ ଜଳସେଚନ ସହିତ ଜଳ ନିଷ୍କାସନ ହୋଇ ପାରନ୍ତା l ଖରିଫ୍ ପରେ ପରେ ଆଗକୁ ଆସୁଛି ରବି ଚାଷ l ଏପଟେ ଦଳ ଭର୍ତ୍ତି ହୋଇ ଛୋଟ ଛୋଟ ନାଳ ନଦୀ ର ଗର୍ଭ ପୋତି ହୋଇଗଲାଣି l ନଦୀ ନାଳ ପୁନରୁଦ୍ଧାର ନ ହେଲେ ଚାଷୀ କୁଳ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବେ l ଏପଟେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ନାଳ ପୁନରୁଦ୍ଧାର ହୋଇପାରୁନି l ଏପରି ଘଟଣା ଦେଖିବାକୁ ମିଳିଛି ଦଶରଥପୁର ବ୍ଲକ ଅନ୍ତର୍ଗତ ବିରିପଟା ପଞ୍ଚାୟତ ସହିତ ଅନ୍ୟ ପଞ୍ଚାୟତ ଗୁଡ଼ିକରେ ଚାଷ ଜମିକୁ ପାଣି ଆସିବା ପାଇଁ ବେଙ୍ଗା ଓ କେନ୍ଦୁଆ ନାଳ ଯାହା ଉପରେ ଚାଷୀକୂଳ ନିର୍ଭରଶୀଳ l ସେହିପରି କୟାଁ ପଞ୍ଚାୟତ ର କଉଡ଼ିଆ ନାଳ ବୈତରଣୀରୁ ବାହାରି ଅଠରଗୁଣ୍ଠିଆ ଓ ମାଧପୁର ଭେଡ଼ା ରେ ପ୍ରବାହିତ ହୋଇଛି।କୟାଁ ନାଳ କାଣୀ ରୁ ବାହାରି କେଳାଙ୍ଗ ଓ ଇଟାପଡ଼ା ଭେଡ଼ା ରେ ପ୍ରବାହିତ ହୋଇଛି।ଧରମପୁର ମହାରା ଯାହା ବୈତରଣୀ ନଦୀରୁ ବାହାରି ବାରଗାଡ଼ିଆ ଭେଡ଼ାରେ ପଡ଼ିଛି।ବଡ଼ ଯୋର ନାଳ ବୈତରଣୀରୁ ବାହାରି ଗହୀରା ପାଳ ଓ ଦରଭା ପୋଡ଼ା ଅଣ୍ଟା ଭେଡ଼ାରେ ପଡ଼ିଛି।ସେହିପରି ବୁଦ୍ଧିଆ ମାହାରା କରାଣ୍ଡିପୁର ଧନୀପୁର ଅଞ୍ଚଳ ଦେଇ ଗରବନ୍ଧ ଦେଇ ପ୍ରବାହିତ ହୋଇଛି। ଉକ୍ତ ଅଞ୍ଚଳ ବନ୍ୟା ପ୍ଲାବିତ ଅଞ୍ଚଳ ହୋଇଥିବାରୁ ଏଠାକାର ଚାଷୀମାନେ ରବି ଋତୁରେ ସାଧାରଣତଃ ଡ଼ାଳୁଅ ଧାନ ଚାଷ ଉପରେ ନିର୍ଭର କରିଥାନ୍ତି.ନାଳ ଓ ଜୋର ର ପାଣି ଚାଷୀମାନଙ୍କ ଆଶା ଭରଷା ପାଲଟିଥାଏ. ନାଳ ରେ ଦଳ ପଙ୍କ ଭର୍ତ୍ତି ହୋଇଯିବାରୁ ପ୍ରତି ବର୍ଷ କ୍ଷେତକୁ ସଠିକ ଭାବେ ପାଣି ଆସୁନଥିବାରୁ ଚାଷୀ ମାନେ ନାନା ଅସୁବିଧାରେ ସମ୍ମୁଖୀନ ହୋଇଥାଆନ୍ତି। ଭେଡ଼ା ମଝିରେ ନାଳ ର ପାଣି ଚାଷୀ ଙ୍କ ଲାଗି ବରଦାନ ସଦୃଶ ପାଲଟିଥାଏ l କିନ୍ତୁ ଦୁର୍ଭାଗ୍ୟର ବିଷୟ ଧୀରେ ଧୀରେ ଯୋର ଓ ନାଳରେ ଦଳ ପଙ୍କ ଭର୍ତ୍ତି ହୋଇ ପୋତି ହୋଇଯିବା ସହିତ କିଛି ଅସାମାଜିକ ଲୋକ ସ୍ଥାନେ ସ୍ଥାନେ ମାଟି ପକାଇ ଜୋର କୁ ପୋତିଦେବା ଫଳରେ ପାଣି ସଠିକ୍ ଭାବେ ଆସୁନାହିଁ l ଯାହା ଫଳରେ ଚାଷ ଜମିକୁ ପାଣି ଯୋଗାଇବା ଅସମ୍ଭବ ହୋଇ ପଡୁଛିl ଧର୍ମ କୁ ଆଖି ଠାର ମାରିଲା ପରି ମନେ ପଡ଼ିଲେ ମଝିରେ ମଝିରେ ଡ୍ରେନେଜ ବିଭାଗ ତରଫରୁ ଜୋର ପୁନରୁଦ୍ଧାର କରିଥାଆନ୍ତି. ସରକାର ଙ୍କ ରାଜକୋଷରୁ ପ୍ରତିବର୍ଷ ନାଳ ସଫେଇ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ତାହା ଠିକାଦାର ପୋଷଣ ନୀତି ପାଲଟିଛି l ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ କେବଳ ଲୋକ ଦେଖାଣିଆ ଦଳ ପଙ୍କ ଉଦ୍ଧାର ସହ ନାଳ ଖନନ କରି ଟଙ୍କା ଲୁଟୁଥିବା ନେଇ ସାଧାରଣର ଚର୍ଚ୍ଚା ର ବିଷୟ ପାଲଟିଛି l ଯଦି ଉଚ଼ିତ୍ ସମୟ ଏବଂ ସଠିକ୍ ଭାବେ ନାଳଗୁଡ଼ିକ ପୁନରୁଦ୍ଧାର କରାଯାଇପାରନ୍ତା ହଜାର ହଜାର ଚାଷୀ ଉପକୃତ ହୋଇ ପାରନ୍ତେ l ସେହିପରି ଖରିଫ ଚାଷ କରୁଥିବା ଚାଷୀମାନେ ଯୋର ଓ ନାଳର ପାଣି ଉପରେ ନିର୍ଭର କରିଥାନ୍ତି.ନାଳଗୁଡିକ ପୁନରୁଦ୍ଧାର ନ ହେବା ଯୋଗୁଁ ଚାଷୀମାନେ ବର୍ଷା ଜଳ ଉପରେ ଭରସା କରି ଚାଷ କରୁଥିବା ବେଳେ ବର୍ଷା ଠିକ ସମୟରେ ନହେବାରୁ ଚାଷୀ କ୍ଷତି ସହୁଛନ୍ତି l ତାହା ସହିତ ଜୋର ପୋତି ହୋଇଯିବା ଫଳ ରେ ବର୍ଷାଦିନେ ଜଳ ନିଷ୍କାସନ ମଧ୍ୟ ହୋଇ ପାରୁନାହିଁ l ପ୍ରତି ବର୍ଷ ଚାଷୀ ଦାବି କରିବା ସତ୍ୱେ ବିଭାଗୀୟ ଅଧିକାରୀ ଜାଣିଶୁଣି ଚୁପ ରହୁଛନ୍ତି l ସରକାର କେବେ ନାଳ ଜୋରଗୁଡିକ ପୁନରୁଦ୍ଧାର କରାଇବା ବ୍ୟବସ୍ଥା କରି ଚାଷ ଜମିକୁ ପାଣି ଯୋଗାଇ ଦେବେ ସେନେଇ ଚାଷୀ ଚାତକ ପରି ଚାହିଁ ରହୁଛି l ଆଗାମୀ ଦିନରେ ବିଭାଗୀୟ ଅଧିକାରୀ ଚାଷୀଙ୍କ ସମସ୍ୟା ପ୍ରତି ଯଦି ଦୃଷ୍ଟି ନ ଦିଅନ୍ତି ଚାଷୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସାଧାରଣରେ ଦାବୀ ହେଉଅଛି।
