ଆଗାମୀ ଜନ ଗଣନା ପ୍ରକ୍ରିୟା ଆରମ୍ଭ ପୂର୍ବରୁ ସରକାର ଜିଲ୍ଲା ପୁନର୍ଗଠନ ନେଇ ପଦକ୍ଷେପ ନେବେ ତ ? – ସଞ୍ଜୀବ କୁମାର ପଟ୍ଟନାୟକ।
ବ୍ରହ୍ମପୁର — ୨୦୨୬ ପ୍ରାରମ୍ଭରେ ଆଗାମୀ ଶତାବ୍ଦୀର ଜନ ସଂଖ୍ୟା ନିର୍ଣ୍ଣୟ ନିମନ୍ତେ ଜନ ଗଣନା କାର୍ଯକ୍ରମ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଅଛି। ତାହା ପୂର୍ବରୁ ଡିସେମ୍ବର ୩୧ ସୁଦ୍ଧା ଗ୍ରାମ,ପଞ୍ଚାୟତ, ଏନେଏସି, ମ୍ୟୁନିସିପାଲଟି, ମହାନଗରନିଗମ, ତହସିଲ, ବ୍ଲକ, ଉପଖଣ୍ଡ ତଥା ଜିଲ୍ଲା ସୀମା ନିର୍ଦ୍ଧାରଣ ଓ ପୁନର୍ଗଠନ କାମ ସମ୍ପୂର୍ଣ୍ଣ କରିବାକୁ ଦିନ ଧାର୍ଯ୍ୟ ହୋଇଛି ।ଯଦି ଏହି ପ୍ରକ୍ରିୟା ସେହି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ନ ହେଇ ପାରିଲା ତାହାହେଲେ ଜନଗଣନା କାର୍ଯ୍ଯ ସରିଲା ପରେ ଅର୍ଥାତ୍ ୨୦୨୭ ମସିହା ପରେ ଯାଇ ହିଁ ସରକାର ଏ ସମ୍ବନ୍ଧରେ ପଦକ୍ଷେପ ନେବାକୁ ସମର୍ଥ ହେବେ। ଗଣଗଣନା ପରେ ନୂତନ ଜନସଂଖ୍ୟା ଆଧାରରେ ସୀମା ନିର୍ଦ୍ଧାରଣ କରି ନୂତନ ଜିଲ୍ଲା ଗଠନ କରିବା ସରକାରଙ୍କ ନିମନ୍ତେ ଅନେକ ଆଇନଗତ,ରାଜନୈତିକ ଓ ନୀତିଗତ ପ୍ରତିବନ୍ଧକ ସାମ୍ନାକୁ ଆସିପାରେ। ଏବେ ଯଦି ଜିଲ୍ଲା ସୀମା ନିର୍ଦ୍ଧାରଣ ପୂର୍ବକ ଜିଲ୍ଲା ପୁନର୍ଗଠନ ନେଇ ସରକାର ନୀତିଗତ ନିଷ୍ପତ୍ତି ନିଅନ୍ତି ତାହାହେଲେ ସରକାରଙ୍କୁ ସେମିତି ବିଶେଷ କିଛି ଆହ୍ଵାନର ସମ୍ମୁଖିନ ହେବାକୁ ପଡ଼ିନପାରେ। କାରଣ ପୂର୍ବ ବିଜେଡି ସରକାର ୨୦୨୪ ରେ ନିର୍ବାଚନକୁ ଯିବା ପୂର୍ବରୁ ନୂତନ ଜିଲ୍ଲା ଗଠନ ନେଇ ନୀତିଗତ ନିଷ୍ପତ୍ତି ଘୋଷଣା କରିଥିଲେ। ପଦ୍ମପୁର ଜିଲ୍ଲା ସହ ନୂତନ ଜିଲ୍ଲା ଗଠନ ନେଇ ରାଜ୍ୟର ବିଭିନ୍ନ ସ୍ଥାନରୁ ହସ୍ତଗତ ହୋଇଥିବା ଦାବୀ ନେଇ ମତ ରଖିଥିଲେ। ସେଥିରେ ଗଞ୍ଜାମ ଜିଲ୍ଲାରୁ ବ୍ରହ୍ମପୁର ସହ ଘୁମୁସର ଜିଲ୍ଲା ଗଠନ ନେଇ ଦାବୀ ପତ୍ର ହସ୍ତଗତ ହୋଇଥିବା କଥା ଉଲ୍ଲେଖ କରିଥିଲେ। କିନ୍ତୁ ନୂତନ ଜିଲ୍ଲା ଗଠନ ପୂର୍ବରୁ ଏ ନେଇ କିଛି ବ୍ୟକ୍ତିଙ୍କ ଦ୍ଵାରା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାୟର କରାଯିବା ପରେ ହାଇ କୋର୍ଟ ଏହା ଉପରେ ରହିତାଦେଶ ଜାରି କରିବା ସହ କୋର୍ଟଙ୍କ ବିନା ପରାମର୍ଶରେ ନୂତନ ଜିଲ୍ଲା ଗଠନ ହୋଇ ପାରିବି ନାହିଁ ବୋଲି କହିଥିଲେ ଫାଳରେ ଏହି ପ୍ରସଙ୍ଗ ସେଇଠାରେ ଅଟକି ଗଲା। ଅଧିକନ୍ତୁ ଦୁଇ ହଜାର ଚବିଶି ମସିହା ନିର୍ବାଚନ ବିଜେଡି ହାରିଯିବା ପରେ ଏହି ପ୍ରସଙ୍ଗର କାର୍ଯ୍ୟକାରିତା ଦାୟିତ୍ଵ ନୂତନ ଭାବେ ଗଠିତ ବିଜେପି ନେତୃତ୍ଵାଧୀନ ମୋହନ ମାଝୀ ସରକାରଙ୍କ କାନ୍ଧରେ। ଯେହେତୁ ନିର୍ବାଚନ ପୂର୍ବରୁ ପୁର୍ବ ବିଜେଡି ସରକାର ଘୋଷଣା କରିଥିବା ତଥା ନିଷ୍ପତ୍ତି ନେଇଥିବା ଅଧିକାଂଶ କାର୍ଯ୍ୟକ୍ରମ ଓ ଯୋଜନାକୁ ମୋହନ ମାଝୀଙ୍କ ପରିଚାଳିତ ନୂତନ ସରକାର ସେ ସବୁ ଚାଲୁ ରଖିବା ଓ କର୍ଯ୍ୟକାରି କରିବକୁ ନିଷ୍ପତ୍ତି ନେଇଛନ୍ତି । ସେହିକ୍ରମରେ ଜିଲ୍ଳା ପୁନର୍ଗଠନର ଯେ ଅନିବାର୍ଯ୍ୟ ଆବଶ୍ୟକତା ରହିଛି ଏହାକୁ ସରକାର ହୃଦୟଙ୍ଗମ କରିବା ସହ ଏହାର ଉପଯୋଗୀତାକୁ ସ୍ବୀକାର କରି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବା ଦରକାର। ପ୍ରଥମତଃ ସରକାର ଏ ନେଇ ହାଇକୋର୍ଟରେ ରହିଥିବା ରହିତାଦେଶକୁ ଉଠେଇବା ଦରକାର। କାରଣ ସୀମା ନିର୍ଦ୍ଧାରଣ ନେଇ ରହିଥିବା ଡେଡଲାଇନକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟ ସରକାର ଜିଲ୍ଲା ପୁନର୍ଗଠିତ ସହ ନୂତନ ଜିଲ୍ଲା ଗଠନ ନେଇ ପଦକ୍ଷେପ ନେବା ଆରମ୍ଭ କଲେଣି କିନ୍ତୁ ଆମ ରାଜ୍ୟ ସରକାର ଏ ଦିଗରେ ଅଦ୍ୟାବଧି କଣ ପଦକ୍ଷେପ ନେଉଛନ୍ତି କାହାକୁ ଜଣାଉ ନାହାନ୍ତି ଫଳରେ ଏ ନେଇ ଅନିଶ୍ଚିତତା ଲାଗି ରହିଛି। ଆଶା କରାଯାଉଛି ନୂଆପଡ଼ା ଉପନିର୍ବାଚନ ପରେ ଓଡ଼ିଶା ସରକାର ନୂତନ ଜିଲ୍ଲା ଗଠନ ନେଇ ନିଷ୍ପତ୍ତି ନେଇ ପାରନ୍ତି । ଯେହେତୁ ଅନ୍ୟ ରାଜ୍ୟ ଅପେକ୍ଷା ଓଡିଶା ପରିପ୍ରେକ୍ଷିରେ ତ ଏହାର ସମ୍ପୂର୍ଣ୍ଣ ଅପରିହାର୍ଯ୍ୟତା ରହିଛି ଯେ କେହି କହିବ। ଶାସନ ଓ ପ୍ରାଶାସନିରେ ଉତ୍କର୍ଷତା ଓ ପାରଦର୍ଶିତା ହାସଲ ସକାଶେ ବଡ ଜିଲ୍ଲାକୁ ଭାଗ କରାଯାଇ ନୂତନ ଜିଲ୍ଲା ଗଠନ ବିଷୟରେ ନୀତିଗତ ନିଷ୍ପତ୍ତି ନିଆଯିବା ଦରକାର। ଆବଶ୍ୟକ ହେଲେ ସରକାର ଲୋକଙ୍କ ଦାବୀ ଅନୁରୁପ ଏ ନେଇ ଗୋଟିଏ ମାର୍ଗଦର୍ଶିକା ପ୍ରସ୍ତୁତ କରିପାରନ୍ତି। ନୂତନ ଜିଲ୍ଲା ଗଠନ ନେଇ ପୂର୍ବର ଯେଉଁ ମାର୍ଗଦର୍ଶିକା ରହିଛି ସେଥିରେ ପରିବର୍ତ୍ତିତ ସମୟର ଆବଶ୍ୟକତା ଅନୁଯାୟୀ ସରକାର ସେଥିରେ କିଛି ସଂଶୋଧନ ଆଣି ପାରନ୍ତି। ଜିଲ୍ଲା ପୁନର୍ଗଠନ ନେଇ ସରକାର ଆଉ ଅଧିକ କାଳ ବିଳମ୍ବ କିମ୍ୱା ଟାଳଟୁଳ ନୀତି ଅବଲମ୍ବନ କରିବା ସମିଚୀନ ନୁହଁ। ଆଗାମୀ ଜନ ଗଣନା ଆରମ୍ଭ ପୂର୍ବରୁ ନୂତନ ଜିଲ୍ଲା ଗଠନ ପକ୍ରିୟା ପ୍ରାରମ୍ଭ କରି ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିବା ଉଚିତ୍। ଜିଲ୍ଳା ଗଠନ ନିମନ୍ତେ ସେ ଅଞ୍ଚଳର ଜନସଂଖ୍ୟା ସାନ୍ଧ୍ରତା ଓ ଭୌଗୋଳିକ ଆୟତନ ମୁଖ୍ୟ ବିଚାର୍ଯ୍ୟ ମାନଦଣ୍ଡ ଭିତ୍ତିରେ ପଦକ୍ଷେପ ନେବାର ସମ୍ଭାବନା ଥିବାରୁ ବ୍ରହ୍ମପୁର ଉପଖଣ୍ଡ ସେହି ଯୋଗ୍ୟତା ପ୍ରତିଯୋଗୀତାରେ ସାର୍ବାଗେ ରହୁଥିବାରୁ ବ୍ରହ୍ମପୁର ଜିଲ୍ଲା ଗଠନ ନେଇ ସରକାର ତୁରନ୍ତ ନିଜର ନିଷ୍ପତ୍ତି ଘୋଷଣା କରନ୍ତୁ ବୋଲି ସହର ତଳି ଅଞ୍ଚଳ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ଏହା ଉପରେ ମତ ରଖି କହିଛନ୍ତି। ନୂତନ ଜିଲ୍ଲା ଗଠନ ପ୍ରସଙ୍ଗରେ ସେ ବଳିଷ୍ଠ ଯୁକ୍ତି ଓ ତଥ୍ୟ ରଖିବା ସହ ଶାସନ ଓ ପ୍ରଶାସନକୁ ସମାଜର ତଳ ସ୍ତରରେ ପହଞ୍ଚାଇବା ସହ ବିକାଶ, ଉନ୍ନୟନ ଓ ଅଭିବୃଦ୍ଧିକୁ ତ୍ୱରନିତ୍ଵ କରିବ। ତତ୍ ସହିତ ଗଣତନ୍ତ୍ର ଓ ନେତୃତ୍ଵ ବିକାଶରେ ଏହା ସହାୟକ ହେଇପାରିବ ବୋଲି ସେ କହିଥିଲେ।ଅଜଣା ଓ ଅନାବଶ୍ୟକ ଭାବାବେଗ ଓ ଆବେଦନରେ ଭାସି ଯାଇ ଏହାର ବୃହତ୍ତର ଫାଇଦା ଓ ଉପଯୋଗିତା ଦିଗଟିକୁ ଅଣଦେଖା କରିବା ଉଚିତ୍ ନୁହେଁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
