ସାମାଜିକ ବାସନ୍ଦ ପରିବାରରକୁ ଥାନାରୁ ମିଳୁନି ନ୍ୟାୟ
ପର ପିଣ୍ଡାରେ କାଳ କାଟୁଛନ୍ତି ବାସନ୍ଦ ପରିବାର
ସେଙ୍ଗେଲ ତରଫରୁ ଏସପିଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିପତ୍ର
ବାରିପଦା (ପି. ଏନ. ଏସ.)
ବିଶୋଇ ଥାନା ଅନ୍ତର୍ଗତ ରୁଗୁଳିଡିହି ଗ୍ରାମର ସାମାଜିକ ବାସନ୍ଦ ପରିବାର ନାକୀ ଟୁଡୁ ଏବେ ତାଙ୍କର ସ୍ୱାମୀ ଏବଂ ଦୁଇ ନାବାଳକ ସନ୍ତାନ ସହିତ ପରଘର ବାରଣ୍ଡାରେ ଜୀବନ ବିତାଉଛନ୍ତି. ଏହିପରି ଦୁଃଖଦ ଅସାମ୍ବିଧାନିକ ଘଟଣାରେ ବିଶୋଇ ଥାନା ଅଧିକାରୀଙ୍କ ତରଫରୁ ନିରାଶ୍ରୟ ବାସନ୍ଦ ପରିବାରକୁ କୌଣସି ନ୍ୟାୟ ଏବଂ ସୁରକ୍ଷା ଦିଆଯାଇ ପାରୁନାହିଁ. ଏଣୁ ଆଜି ସେଙ୍ଗେଲ ପ୍ରଦେଶ ପାର୍ଗାନା ଓଡ଼ିଶା ତଥା ଆଦିବାସୀ ସେଙ୍ଗେଲ ଅଭିଯାନ ବାରିପଦା ଜୋନାଲ ସଭାପତି ନାରାନ ମୁର୍ମୁଙ୍କ ନେତୃତ୍ୱରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇ ସାମାଜିକ ବାସନ୍ଦ ପରିବାରକୁ ତୁରନ୍ତ ନ୍ୟାୟ ଯୋଗାଇ ଦେବାକୁ ଦାବୀ କରାଯାଇଛି. ସୂଚନା ମୁତାବକ ଜମିବାଡ଼ି ବିବାଦକୁ ନେଇ 10 ବର୍ଷରୁ ଉର୍ଦ୍ଧ୍ବ ହେବ ନାକି ଟୁଡୁଙ୍କ ପରିବାରକୁ ଗ୍ରାମରେ ସାମାଜିକ ବାସନ୍ଦ କରାଯାଇ ତାଙ୍କ ଉପରେ ଅନେକ ଥର ଅତି ଅମାନବୀୟ ଅନ୍ୟାୟ, ଅତ୍ୟାଚାର, ନିର୍ଯାତନା କରାଯାଇଥିବା ଘଟଣାକୁ ନେଇ ବିଶୋଇ ଥାନା ଅଧିକାରୀଙ୍କୁ ଅନେକ ଥର ଲିଖିତ ଅଭିଯୋଗ କରିବା ସତ୍ତ୍ୱେ କୌଣସି ନ୍ୟାୟ, ସୁରକ୍ଷା ବା ଅଧିକାର ମିଳିନାହିଁ. ତେବେ ଏହିପରି ଅବସ୍ଥାରେ ଗତ ସେପ୍ଟେମ୍ବର 21ତାରିଖରେ ଗ୍ରାମର କେତେକ ପ୍ରଭାବଶାଳୀ ବ୍ୟକ୍ତି ଠେଙ୍ଗା-ବାଡି ଆଦି ମାରଣାସ୍ତ୍ର ଧରି ବାସନ୍ଦ ପରିବାର ଘରକୁ ପଶିଯାଇ ତାଙ୍କ ସ୍ୱାମୀ ଏବଂ ତିନି ନାବାଳକଙ୍କୁ ଘୋଷାରି ଘରୁ ବାହାର କରି ନିସ୍ତୁକ ମାଡ଼ ମାରି ଚେତାଶୂନ୍ୟ ସହ ଲହୁଲୁହାଣ କରି ପରିବାରର ସମସ୍ତଙ୍କୁ ଗୋଇଁଠା ମାରି ମାରି ପ୍ରାୟ 8 କିଲୋମିଟର ଦୂରରେ ଥିବା ଜଳଡିହା ଗ୍ରାମକୁ ପହଞ୍ଚାଇ ଥିଲେ ଏପରିକି ରାସ୍ତାରେ ପୀଡିତା ମହିଳାଙ୍କୁ ଅସଦାଚରଣ କରିଥିଲେ. ଜଳଡିହା ଗ୍ରାମକୁ ପହଞ୍ଚିବା ପରେ ମୁଚିରାମ ଟୁଡୁଙ୍କୁ ଚିକିତ୍ସା ପାଇଁ ରାଇରଙ୍ଗପୁର ମେଡ଼ିକାଲ ନିଆଯାଇଥିଲା. ସେଠାରୁ ବାରିପଦାକୁ ସ୍ଥାନାନ୍ତରିତ କରାଯାଇ ଅତି ସାଙ୍ଘାତିକ ହେବାରୁ କଟକ ମେଡିକାଲରୁ ସୁସ୍ଥ ହୋଇ ଆସି ତା.29.09.2025 ରିଖ ଦିନ ବିଶୋଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ. କିନ୍ତୁ ଏବେ ସୁଦ୍ଧା ଥାନା କୌଣସି ସକରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ. ନିଜ ଘରକୁ ଗଲେ ବାସନ୍ଦ ପରିବାରକୁ ଜୀବନରେ ମାରିଦେବାକୁ ଧମକ ଦିଆଯାଇଛି. ତେଣୁ ଏବେବି ପର ପିଣ୍ଡାରେ ଜୀବନ ବିତାଉଛନ୍ତି. ଏଣୁ ଏଭଳି ଏକ ସ୍ପର୍ଶ କାତର ଘଟଣାରେ ଅବିଳମ୍ବେ ନିରପେକ୍ଷ ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଦୋଷୀ ମାନଙ୍କୁ ଗିରଫ କରାଯିବାକୁ ଦାବି କରାଯାଇଛି. ଦାବିପତ୍ର ପ୍ରଦାନ ବେଳେ ଜୋନାଲ ଉପ-ସେଙ୍ଗେଲ ସଭାପତି ବାହାଦୁର ମୁର୍ମୁ, ଜିଲ୍ଲା ଯୁବ ସଭାପତି ଉଦୟନାଥ ହେମ୍ବ୍ରମ, ଜିଲ୍ଲା ସାର୍ନା ଧର୍ମ ସଭାପତି ଚୈତନ୍ୟ ହେମ୍ବ୍ରମ ପ୍ରମୁଖ ଉପସ୍ଥିତ ଥିଲେ.
