
ପୁଣ୍ୟତିଥିରେ ଗଭୀର ଶ୍ରଦ୍ଧାଞ୍ଜଳି **ଭାରତରତ୍ନ ନାନାଜୀ ଦେଶମୁଖ**
ଦେଶର ପ୍ରଥମ ସରସ୍ବତୀ ଶିଶୁ ମନ୍ଦିରର ପ୍ରତିଷ୍ଠାତା♦
ଜନ୍ମ – ୧୯୧୬, ପରଲୋକ – ୨୦୧୦, ଆଜନ୍ମ ବ୍ରହ୍ମଚାରୀ, ଆର୍.ଏସ୍.ଏସ୍.ର ପ୍ରଚାରକ, ଜଣେ ଯଶସ୍ବୀ ସମାଜସେବୀ
ମହାରାଷ୍ଟ୍ରର ଅତି ଗରିବ ପରିବାରରେ ଜନ୍ମିତ ନାନାଜୀ ଦେଶମୁଖ ଶିକ୍ଷା ଲାଭ ପାଇଁ ଅନେକ ଘାତ ପ୍ରତିଘାତର ସାମ୍ନା କରିଥିଲେ | ପରିବା ବ୍ୟବସାୟ କରି ସେ ନିଜ ଖର୍ଚ୍ଚ ନିଜେ ତୁଲାଉଥିଲେ | ସମୟ କ୍ରମେ ଆର୍.ଏସ୍.ଏସ୍.ର ସଂପର୍କରେ ଆସିବା ପରେ ୧୯୪୦ ବେଳକୁ ସଂଘର ପ୍ରଚାରକ ଭାବେ ଦାୟିତ୍ବ ନେଇଥିଲେ | ତାଙ୍କୁ ଉତ୍ତର ପ୍ରଦେଶର ଦାୟିତ୍ବ ମିଳିଥିଲା | ଦେଶ ପରାଧିନ ଥିବା କାରଣରୁ ପ୍ରଚାରକ ଜୀବନ ଅନେକ କଷ୍ଟଦାୟକ ଥିଲା | ପ୍ରଥମେ ସେ ଧର୍ମଶାଳା ଗୁଡିକରେ ରହିବା ସହିତ ସଂଘ ଶାଖା ପ୍ରାରମ୍ଭ କରୁଥିଲେ ମାତ୍ର ୩ ଦିନରୁ ଅଧିକ ସମୟ କୌଣସି ଧର୍ମଶାଳାରେ ରହିବାର ଅନୁମତି ନଥିବାରୁ ବାଧ୍ୟ ହୋଇ ବାବା ରାଘବ ଦାଶଙ୍କ ରୋଷେଇଆ ଭାବେ କାମ କରି ସେଠାରେ ରହିବାର ଅନୁମତି ପାଇଥିଲେ | ଜଣେ କୁଶଳୀ ସଂଗଠକ ହୋଇଥିବାରୁ ସେ ମାତ୍ର ଅଳ୍ପ ଦିନ ମଧ୍ୟରେ ଅନେକ ସଂଘ ଶାଖା ପ୍ରାରମ୍ଭ କରିଥିଲେ | ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ସଂସ୍ପର୍ଶରେ ଆସି ସେ ସଂଘ କାର୍ଯ୍ୟକୁ ଗତିଶୀଳ କରିଥିଲେ | ୧୯୪୮ମସିହାରେ ଗାନ୍ଧି ହତ୍ୟା ପରେ ସଂଘକୁ ସରକାର ବେଆଇନ ଘୋଷଣା କଲାପରେ ସେ ଅତି ଚତୁରତାର ସହିତ ରାଷ୍ଟ୍ରଧର୍ମ, ପାଞ୍ଚଜନ୍ୟ ଓ ସ୍ବଦେଶ ଭଳି ସମ୍ବାଦପତ୍ରର ପରିଚାଳନା ସଂପାଦକ ରହି ବିଭିନ୍ନ ପ୍ରଚାର ପତ୍ର ଅତି ଗୋପନରେ ପ୍ରକାଶ କରି ସଂଘର ବିଚାର ପ୍ରଚାର କରୁଥିଲେ | ପରେ ରାଜନୀତି କ୍ଷେତ୍ରକୁ ଦିଶା ଦର୍ଶନ ପାଇଁ ସଂଘ ପ୍ରମୁଖଙ୍କ ନିର୍ଦ୍ଦେଶ କ୍ରମେ ସେ ଜନସଂଘର ଉତ୍ତର ପ୍ରଦେଶର ଦାୟିତ୍ବ ଗ୍ରହଣ କରିଥିଲେ, ୧୯୫୨ ମସିହାରେ ଗୋରଖପୁରଠାରେ ଭରତୀୟ ବିଚାରର ପ୍ରଥମ ବିଦ୍ୟାଳୟ ସରସ୍ବତୀ ଶିଶୁ ମନ୍ଦିର ପ୍ରତିଷ୍ଠା କରି ଶିକ୍ଷା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲେ | ୧୯୭୫ ମସିହାରେ ଯେତେବେଳେ ଇନ୍ଦିରା ଗାନ୍ଧି ଗଣତନ୍ତ୍ରର ହତ୍ୟା ପାଇଁ ଉଦ୍ୟମ କରିଥିଲେ ସେତେବେଳେ ଜନନାୟକ ଜୟପ୍ରକାଶ ନାରାୟଣଙ୍କୁ ସୁରକ୍ଷା ପ୍ରଦାନ ସହିତ ଲୋକ ସଂଘର୍ଷ ସମିତିର ସାଧାରଣ ସଂପାଦକ ଭାବେ ଦାୟିତ୍ବ ନିର୍ବାହ କରିଥିଲେ | ୧୯୮୦ରେ ବିଜେପି ପ୍ରତିଷ୍ଠା ପରେ ଅଟଳ ବିହାରୀ ବାଜପେୟୀଙ୍କୁ ପ୍ରଧାନମନ୍ତ୍ରୀ କରିବା ପର୍ଯ୍ୟନ୍ତ କାର୍ଯ୍ୟ ତାଙ୍କର କାର୍ଯ୍ୟ ବଳିଷ୍ଠ ସାଂଗଠନିକ ଦକ୍ଷତାର ପରିଚୟ | ବିଜେପିର ସ୍ବର୍ଣ୍ଣିମ ଯୁଗ ସମୟରେ ସେ ଇଚ୍ଛାକୃତ ଭାବରେ ରାଜନୀତିରୁ ଅବ୍ୟାହତି ନେଇ ଚିତ୍ରକୂଟଠାରେ ଗ୍ରାମୀଣ ବିଶ୍ବ ବିଦ୍ୟାଳୟ ପ୍ରତିଷ୍ଠା କରି ନିଜ ଅବଶିଷ୍ଟ ଜୀବନକୁ ସମାଜ ସେବା ପାଇଁ ସମର୍ପିତ କରିଥିଲେ | ବନବାସୀମାନଙ୍କର ସେବା ତାଙ୍କ ଜୀବନର ବ୍ରତ ହୋଇଯାଇଥିଲା | ଗ୍ରାମ ବିକାଶ କ୍ଷେତ୍ରରେ ସେ ଅନେକ ପ୍ରୟୋଗ କରି ସଫଳ ହୋଇଛନ୍ତି, ୧୫୦ରୁ ଉର୍ଦ୍ଧ୍ବ ଗ୍ରାମ ବିକାଶ ତାଙ୍କ ସେବା କୌଶଳର ଅନ୍ୟ ଏକ ଦିଗ | ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଏକାତ୍ମ ମାନବବାଦ ଦର୍ଶନର ସେ ଜଣେ ଉଚ୍ଚ କୋଟୀର ପ୍ରବକ୍ତା | ତାଙ୍କ ଦ୍ବାରା ପ୍ରତିଷ୍ଠିତ ପଣ୍ଡିତ ଦୀନଦୟାଲ ଶୋଧ ସଂସ୍ଥାନ ଏବେ ଗବେଷଣା ପାଇଁ ଅନେକଙ୍କୁ ମାର୍ଗଦର୍ଶନ କରୁଛି | ତାଙ୍କ ସମର୍ପିତ ସେବା ମନଭାବ ପାଇଁ ସେ ୧୯୯୯ରେ ପଦ୍ମ ବିଭୂଷଣ ସମ୍ମାନୀତ ହୋଇଥିବା ବେଳେ ଭରତ ସରକାର ତାଙ୍କୁ ମରଣତ୍ତୋର ଭାବେ ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନରେ ସମ୍ମାନୀତ କରି ଜଣେ କର୍ମ ଯୋଗୀଙ୍କ ସାଧନାକୁ ସ୍ବୀକୃତି ପ୍ରଦାନ କରିଛନ୍ତି | ଭାରତ ସରକାରଙ୍କର ଏହି ପ୍ରଶଂସନୀୟ କାର୍ଯ୍ୟ ପାଇଁ ଆମେ କୃତଜ୍ଞ
ଗୋବିନ୍ଦ ଚନ୍ଦ୍ର ମହାନ୍ତ, ପୂ.ସଂପାଦକ – ବନ ସନ୍ଦେଶ