ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା -୨୦୨୫
ଯାଜପୁର
ଯାଜପୁର/(ଭଞ୍ଜଦୂତ :ନିପ୍ର )ରିପୋର୍ଟର ସରୋଜ କୁମାର ଧଳ
ଜିଲ୍ଲାର ମ୍ୟୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟ, ବାହାବାଳପୁର ପରିସରରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁର ତରଫରୁ ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା (District Level Science Drama), ୨୦୨୫ ଅନୁଷ୍ଠିତ ହୋଇଯାଇଛି l ଏଥିରେ ୧୦ଟି ହାଇସ୍କୁଲରୁ ୭୩ ଜଣ ପ୍ରତଯୋଗୀ ଓ ସେମାନଙ୍କର ଗାଇଡ଼ ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ l “ମାନବ ଜାତିର ହିତରେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା” ବିଷୟ ଉପରେ ଛାତ୍ରଛାତ୍ରୀମାନେ ଦଳୀୟ ଭାବେ ସେମାନଙ୍କର ନାଟକ ପରିବେଷଣ କରିଥିଲେ l ବିଚାରକ ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡ଼. ଆଶୁତୋଷ ବଳ ଓ ଆହ୍ୱାନ ନାଟ୍ୟ ସଂସଦର ପରିଚାଳକ ବିଶ୍ୱଜିତ ସାହୁ ସହଯୋଗ କରିଥିଲେ l ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ସେଠିଙ୍କ ସଭାପତିତ୍ବରେ ଏକ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁର ତରଫରୁ ମୁଖ୍ୟ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ସବିତା ସାହୁ ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ ଏବଂ ସମ୍ମାନିତ ଅତିଥି ରୂପେ ସମାଜସେବୀ ସୁବାଷ ଚନ୍ଦ୍ର ମହାପାତ୍ର ଯୋଗଦାନ କରିଥିଲେ l ଜିଲ୍ଲା ବିଜ୍ଞାନ ନିରୀକ୍ଷକ କୁମାରସେନ ସେନାପତି ସମସ୍ତ କାର୍ଯ୍ୟକୁ ପରିଚାଳନା କରିବା ସହ ଜିଲ୍ଲା ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାର ଆଭୁମୁଖ୍ୟ ଓ ପ୍ରତଯୋଗିତାର ନିୟମାବଳୀ ଉପରେ ଆଲୋକପାତ କରିଥିଲେ l ଏହି ପ୍ରତିଯୋଗିତାରେ ଓ ଏ ଭି, ବଡ଼ଚଣାର ଛାତ୍ରଛାତ୍ରୀମାନେ ପ୍ରଥମ, ଓ ଏ ଭି, ବିଂଝାରପୁର ଦ୍ୱତୀୟ ଏବଂ ଓ ଏ ଭି, ଦଶରଥପୁର ତୃତୀୟ ସ୍ଥାନ ଅଧିକାର କରଛନ୍ତି l ଅପରାହ୍ନରେ ପୁରସ୍କାର ବିତରଣ ସଭା ଅନୁଷ୍ଠିତ ହୋଇଥିଲା l ଉକ୍ତ ସଭାରେ ମୁଖ୍ୟଅତିଥି ରୂପେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଗିରିଶ ଚନ୍ଦ୍ର ମିଶ୍ର, ଦୁଇ ବିଚାରକ, ବିଜ୍ଞାନ ନିରୀକ୍ଷକ ଓ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଉପସ୍ଥିତିରେ ବିଜେତାମାନଙ୍କୁ ଟ୍ରଫି ସହ, ମେଡାଲ ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ସମାପନ କରିବାରେ ଉକ୍ତ ବିଦ୍ୟାଳୟର ଶିକ୍ଷୟତ୍ରୀ ଜୟଶ୍ରୀ ସାମଲ,ଇପ୍ସିତା ସାହୁ,ଶିକ୍ଷକ ହେମନ୍ତ ସାହୁ,ପ୍ରକାଶ ମିଶ୍ର, ଏସ କେ ବକ୍ସର ସହ ଅନ୍ୟ ଶିକ୍ଷକ ଓ କର୍ମଚାରୀ ମାନେ ସହଯୋଗ କରିଥିଲେ l ଏହି ପ୍ରତିଯୋଗିତାର ପ୍ରଥମ ବିଜେତା ୨୮ ଅକ୍ଟୋବର ୨୦୨୫ ରେ ହେବାକୁ ଥିବା ଜୋନାଲ ସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହେଲେ l
