*ଇଚ୍ଛାପୁର- ଠୋଙ୍ଗୋ ରାସ୍ତାରେ ନିର୍ମାଣଧୀନ ବ୍ରିଜ କାର୍ଯ୍ୟ ନିମ୍ନମାନର ହୋଇଥିବା ଗ୍ରାମବାସୀଙ୍କ ଅଭିଯୋଗ,*
ନୁଆପଡା:(ମିଖାଏଲ ନନ୍ଦ)
ରାଜ୍ୟ ଓ କେନ୍ଦ୍ର ସରକାର ଜନ ସାଧାରଣମାନଙ୍କ ଗମନା ଗମନ ପାଇଁ ରାସ୍ତା ନିର୍ମାଣ, ବ୍ରିଜ ନିର୍ମାଣ କାମ ଗୁଡିକ ପାଇଁ ବିଭିନ୍ନ ଯୋଜନା ଓ ପାଣ୍ଠିର ବ୍ୟବସ୍ଥା କରୁଛନ୍ତି। କିନ୍ତୁ ବିଭାଗୀୟ ଅଧିକାରୀ ଓ ଠିକାଦାର ମାନଙ୍କ ମଧୁ ଚନ୍ଦ୍ରିକା ଯୋଗୁଁ ତାହା ଉନ୍ନତ ମାନର ହୋଇ ପାରୁନାହିଁ । ସେଥିପାଇଁ ଜନ ସାଧାରଣ ଅସୁବିଧା ର ସମ୍ମୁଖୀନ ହେବା ସହ କାମ ଟି ନିମ୍ନମାନର ବୋଲି ଜଣା ପଡିଛି, ଏପରି ଏକ ଘଟଣା ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲା କୋମନା ବ୍ଲକ ଜଡ଼ାମୁଣ୍ଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଇଛାପୁର ଗ୍ରାମରେ ଇଚ୍ଛାପୁର ଠାରୁ ଠୋଙ୍ଗୋ ଯିବା ପାଇଁ ଏକ ବ୍ରିଜ ନିର୍ମାଣ କରାଯାଇଛି। ଏହି ବ୍ରିଜଟି ଦେଢ଼ ବର୍ଷ ପୂର୍ବରୁ ନିର୍ମାଣ କରାଯାଇଥିଲା । ଏହା କେତେ ଟଙ୍କାର ପ୍ରୋଜେକ୍ଟ, ଅଟକଳ ପରିମାଣ,କେଉଁ ବିଭାଗ ତରଫରୁ କାହାକୁ ଠିକା କାମ ଦିଆଯାଇଥିଲା ଏହାର ସୂଚନା ଜାଣିନାହାନ୍ତି । ଏହି ବ୍ରିଜ ନିର୍ମାଣ କରିଥିବା ଠିକାଦାର ହିଁ ଜାଣିଥିବ ଏହା କେତେ ଟଙ୍କାର ବ୍ରିଜ ବୋଲି । ଏହି ବ୍ରିଜ ନିର୍ମାଣ ହୋଇଥିବାର କୌଣସି ସୂଚନା ଫଳକ ନାହିଁ। ଏହି ମାସରେ ପ୍ରବଳ ବର୍ଷା ଯୋଗୁଁ ଜଡ଼ାମୁଣ୍ଡା ଡ୍ୟାମର ପାଣି ନିଷ୍କାସନ କରାଯାଇ ଏହି ନଦୀ ପଟେ ଛଡା ଯାଇଥିଲା ।ଏହା ଇଚ୍ଛାପୁର ଗ୍ରାମ ନିକଟରେ ନିର୍ମାଣଧୀନ ବ୍ରିଜ ଦେଇ ପାଣି ପ୍ରବାହିତ ହୋଇଥିଲା।ଡ୍ୟାମ ପାଣି ପ୍ରବାହିତ ଫଳରେ ବ୍ରିଜର ପିଲର ଖମ୍ବ ର ସିମେଣ୍ଟ ଗୁଡିକ ଖସି ରଡ଼ ଗୁଡିକ ଦେଖାଯାଉଛି। ବ୍ରିଜ ଉପରେ ଗାଡି ମୋଟର ଚାଲିଲେ ତାହା ଧପଧପ କରୁଛି।ମଝିର ଖମ୍ବ ଦବି ଯାଇଛି । ତେଣୁକରି ଏହି ବ୍ରିଜ କେତେ ଦିନ ପାଇଁ ସୁରକ୍ଷିତ ରହିବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି I ତେଣୁକରି ଏହି ବ୍ରିଜର ନିର୍ମାଣ କାମ ନିମ୍ନ ମାନର ହୋଇଥିବା ନେଇ ଏହାର ଉଚ୍ଚସ୍ତରୀୟ ତଦନ୍ତ ସହ ବ୍ରିଜର ସ୍ଥାୟୀ ସମାଧାନ ନିମନ୍ତେ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଅଧିକାରୀ ନିକଟରେ ଅଭିଯୋଗ କରିଛନ୍ତି । ଗ୍ରାମର ଭରତ ବିଶ୍ଵାଳ, ନରସିଂ ପ୍ରଧାନ, ଡ଼ୋଲାମଣି ପୋଡ଼, ଟେଙ୍ଗନୁ ବିଶ୍ଵାଳ, ଜଗବନ୍ଧୁ ପ୍ରଧାନ, ଶଶୀବନ୍ତ ହଂସ, ରାଜେସ ପ୍ରଧାନ, ଶ୍ରୀମତ ପ୍ରଧାନ, ସମବାରୁ ସାହୁ,ରମେଶ କେତକୀ, ନବୀନ ସାହୁ ଉମା ସୁନାନୀ ସମେତ ଗ୍ରାମବାସୀ ମାନେ ତଦନ୍ତ ପାଇଁ ଦାବୀ କରିଛନ୍ତି ।ତେବେ ଦେଖିବାକୁ ବାକି ରହିଲା ପ୍ରଶାସନ ଏହା ଉପରେ କେତେ ଦୃଷ୍ଟି ଦେଉଛନ୍ତି ଓ କଣ ପଦକ୍ଷେପ ନେଉଛନ୍ତି ।
