ଆମ୍ବୁଲାନ୍ସ ଅପେକ୍ଷାରେ ଗୁରୁତର ରୋଗୀ
ସିନାପାଲିର ଜରୁରୀକାଳୀନ ସ୍ୱାସ୍ଥ୍ୟସେବାକୁ ନେଇ ଉଠିଲା ପ୍ରଶ୍ନ
ସିନାପାଲି: (ଧର୍ମେନ୍ଦ୍ର କୁମାର ଗହିର) ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ଆମ୍ବୁଲାନ୍ସ ସେବାକୁ ନେଇ ଲଗାତାର ଅଭିଯୋଗ ଆସୁଥିବା ବେଳେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଗୁରୁତର ରୋଗୀ ଓ ଦୁର୍ଘଟଣାଗ୍ରସ୍ତଙ୍କୁ ସମୟରେ ଆମ୍ବୁଲାନ୍ସ ନମିଳିବା ଯୋଗୁଁ ପରିବାର ଲୋକଙ୍କୁ ବିକଳ୍ପ ଯାନବାହନ ଉପରେ ନିର୍ଭର କରିବାକୁ ପଡ଼ୁଥିବା ଅଭିଯୋଗ ହୋଇଛି । ଗତକାଲି ବିଜୁ ଏକ୍ସପ୍ରେସ ୱେରେ ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ସିନାପାଲି ମାଝୀପଡ଼ାର ହରେ ମାଝୀ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ପାଇଁ ଯୋଗାଯୋଗ କରିଥିବା ବେଳେ, ଅଭିଯୋଗ ଅନୁସାରେ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିନଥିଲା। ଫଳରେ ଗୁରୁତର ଆହତ ହରେ ମାଝୀଙ୍କୁ ବାଇକ୍ ଯୋଗେ ସିନାପାଲି ଡାକ୍ତରଖାନାକୁ ନିଆଯାଇଥିଲା। ସିନାପାଲି ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟକୁ ରେଫର୍ କରାଯାଇଥିଲା। ତେବେ ରେଫର୍ ପରେ ମଧ୍ୟ ଆମ୍ବୁଲାନ୍ସ ନମିଳିବାରୁ ଏକ ଅଟୋ ଯୋଗେ ତାଙ୍କୁ ନୂଆପଡ଼ା ନିଆଯାଇଥିବା ଜଣାପଡ଼ିଛି। ପରେ ତାଙ୍କୁ ରାୟପୁରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିବା ଏବଂ ସେଠାରେ ସେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି। ସେହିପରି ବାହାଲପଡ଼ା ଅଞ୍ଚଳର ଧନେଶ୍ୱର ବାଗଙ୍କୁ ମଧ୍ୟ ଜରୁରୀ ଚିକିତ୍ସା ପାଇଁ ଅନ୍ୟତ୍ର ନେବା ସମୟରେ ଆମ୍ବୁଲାନ୍ସ ନମିଳିଥିବା ଅଭିଯୋଗ ହୋଇଛି। ଫଳରେ ପରିବାର ଲୋକେ ତାଙ୍କୁ ଘରୋଇ ଗାଡ଼ିରେ ଖଡ଼ିଆଳ ମିଶନ ହସ୍ପିଟାଲକୁ ନେଇଥିବା ଜଣାପଡ଼ିଛି।
ଏହି ଦୁଇଟି ଘଟଣା ପରେ ସିନାପାଲି ଅଞ୍ଚଳରେ ଜରୁରୀ ସମୟରେ ଆମ୍ବୁଲାନ୍ସ ସେବା କେତେଦୂର ଉପଲବ୍ଧ ହେଉଛି, ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଏହାସହ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତରଙ୍କ ଡ୍ୟୁଟି ବ୍ୟବସ୍ଥାକୁ ନେଇ ମଧ୍ୟ ଅଭିଯୋଗ ରହିଥିବା କୁହାଯାଉଛି। ଅଞ୍ଚଳବାସୀଙ୍କ ଅଭିଯୋଗ ଓ ସମସ୍ୟାର ତଦନ୍ତ କରି ଆମ୍ବୁଲାନ୍ସ ସେବାକୁ ସୁଦୃଢ଼ କରିବା ସହ ଜରୁରୀକାଳୀନ ଚିକିତ୍ସା ବ୍ୟବସ୍ଥାରେ ଥିବା ତ୍ରୁଟି ଦୂର କରିବାକୁ ଦାବି ହୋଇଛି। ଏ ଦିଗରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।
