ବାଲେଶ୍ଵର ଜିଲ୍ଲାରେ ସେବା ପର୍ବ -୨୦୨୫ ଉପଲକ୍ଷେ “ବିକଶିତ ଭାରତ ୨୦୪୭” :
ବାଲେଶ୍ଵର, “ସେବା ପର୍ବ ୨୦୨୫” ଉପଲକ୍ଷେ ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବାଲେଶ୍ଵର ଜିଲ୍ଲାସ୍ତରୀୟ ଏକ ଦିବସୀୟ କର୍ମଶାଳା-ତଥା- ଚିତ୍ରକଳା ପ୍ରତିଯୋଗିତା ବାଲେଶ୍ଵର ଚାରୁ ଓ କାରୁକଳା ମହାବିଦ୍ୟାଳୟଠାରେ ପୂର୍ବାହ୍ନ ୯.୩୦ ଘଟିକା ସମୟରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଏବଂ ବାଲେଶ୍ଵର ଚାରୁ ଓ କାରୁକଳା ମହାବିଦ୍ୟାଳୟର ମିଳିତ ସହଯୋଗରେ ଆୟୋଜିତ ହୋଇଯାଇଅଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ମନସ୍ଵିନୀ ରାଉତ, ବାଲେଶ୍ଵର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନିକୁଞ୍ଜ ବିହାରୀ ଦାସ ଯୋଗ ଦେଇ ଅନୁଷ୍ଠାନିକ ଭାବେ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ଜେନା ସମସ୍ତ ପ୍ରତିଯୋଗୀଙ୍କୁ ସ୍ଵାଗତ କରିବା ସହ ସେବା ପର୍ବ -୨୦୨୫ ଉପଲକ୍ଷେ ୧୭ ସେପ୍ଟେମ୍ବର ଠାରୁ ୦୨ ଅକ୍ଟୋବର ୨୦୨୫ ମଧ୍ୟରେ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ଜିଲ୍ଲା, ବ୍ଲକ ଏବଂ ଗ୍ରାମାଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଛି ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିଭା ବେହେରା ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ଦେବା ସହ ଚିତ୍ରକଳା କ୍ଷେତ୍ରରେ ସେମାନଙ୍କ ସଫଳତା କାମନା କରିଥିଲେ । ବାଲେଶ୍ଵର ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ନିକୁଞ୍ଜ ବିହାରୀ ଦାସ ପ୍ରତିଯୋଗୀ ମାନଙ୍କୁ “ବିକଶିତ ଭାରତ ୨୦୪୭” ବିଷୟକୁ ଆଧାର କରି କିପରି ଚିତ୍ରାଙ୍କନ କରିବେ ସେ ବିଷୟରେ ସବିଶେଷ ବିବରଣୀ ଉଲ୍ଲେଖ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି ଅଧିକାରୀ ମନସ୍ଵିନୀ ରାଉତ ପ୍ରତିଯୋଗିତା ଆୟୋଜନର ପ୍ରାରମ୍ଭିକ ସୂଚନା ଦେବା ସହ ସମସ୍ତ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ଉକ୍ତ ପ୍ରତିଯୋଗିତାରେ ବାଲେଶ୍ଵର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ବୃତ୍ତିଗତ ଚିତ୍ରକାରମାନେ ଅଂଶ ଗ୍ରହଣ କରିଥିଲେ । ଏହି ପ୍ରତିଯୋଗିତା ୩ ଗୋଟି ବର୍ଗରେ ଯଥା – ବୃତ୍ତିଗତ ଚିତ୍ରକାର, ବିଦ୍ୟାଳୟ ଛାତ୍ରଛାତ୍ରୀ, ମହାବିଦ୍ୟାଳୟ/ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିଲା । ପ୍ରତିଯୋଗୀମାନଙ୍କ ଦ୍ଵାରା କରାଯାଇଥିବା ଚିତ୍ରକଳାଗୁଡିକୁ ବାଲେଶ୍ଵର ଜିଲ୍ଲାର ବିଶିଷ୍ଟ ଚିତ୍ରଶିଳ୍ପୀ ଶ୍ରୀ ନିକୁଞ୍ଜ ବିହାରୀ ଦାସ, ଶ୍ରୀ କେଶୁ ଦାସ ଏବଂ ଶ୍ରୀ ବ୍ରଜ ନାରାୟଣ ଷଡ଼ଙ୍ଗୀ ମୂଲ୍ୟାୟନ କରି ୩ ଗୋଟି ବର୍ଗର ଶ୍ରେଷ୍ଠ ଚିତ୍ରକଳାଗୁଡିକୁ ଚୟନ କରିଥିଲେ । ଜିଲ୍ଲାସ୍ତରରେ ଚୟନିତ କଳାକୃତିଗୁଡିକ ୨୫ ସେପ୍ଟେମ୍ବର ୨୦୨୫ ରେ ଭୁବନେଶ୍ଵରରେ ଆୟୋଜନ ହେବାକୁ ଥିବା ରାଜ୍ୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀରେ ପ୍ରଦର୍ଶିତ ହେବା ସହ ମୂଲ୍ୟାୟନ କରାଯିବ ଏବଂ ସେଥିରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ଅର୍ଥରାଶି ପ୍ରଦାନ କରାଯିବ । ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
