ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କେନ୍ଦୁଝର ଜିଲ୍ଲାରେ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ), ଭୁବନେଶ୍ଵର ପକ୍ଷରୁ କେନ୍ଦୁଝର ଜିଲ୍ଲା ଟାଉନ ହଲରେ ୧୯ ସେପ୍ଟେମ୍ବର ୨୦୨୫ ଦିନ, ଏକ କ୍ଷେତ୍ରସ୍ତରୀୟ ଆର୍ଥିକ ସାକ୍ଷରତା କାର୍ଯ୍ୟକ୍ରମ (ଏଫ୍ଏଲ୍ଏଫ୍ଏଲ୍ଇ) ଅନୁଷ୍ଠିତ ହୋଇଯାଇଛି | ଆରବିଆଇ ମହାପ୍ରବନ୍ଧକ ଶ୍ରୀମତୀ ଅନିତା ପଟ୍ଟନାୟକ; କେନ୍ଦୁଝର ଜିଲ୍ଲା ମିଶନ ଶକ୍ତି ପ୍ରକଳ୍ପ ସଂଯୋଜିକା ଶ୍ରୀମତୀ ସମିଧା ପାଢୀ; ଏସଏଲବିସି ଓଡ଼ିଶାର ଭାରପ୍ରାପ୍ତ ଅଧିକାରୀ ତଥା ସହାୟକ ମହାପ୍ରବନ୍ଧକ ଶ୍ରୀ ଲିଙ୍ଗରାଜ ନାୟକ ଏବଂ ବ୍ୟାଙ୍କ ଅଫ୍ ଇଣ୍ଡିଆ କେନ୍ଦୁଝରର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀ ଅମିତ କୁମାର ପାଲ ଦୀପ ପ୍ରଜ୍ଜ୍ଵଳନ କରି କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିଥିଲେ । ଏହାପରେ ମହାପ୍ରବନ୍ଧକ ଆରବିଆଇ ଅଂଶଗ୍ରହଣକାରୀମାନଙ୍କୁ ସ୍ବାଗତ କରିବା ସହ ମୁଖ୍ୟ ଭାଷଣ ଦେଇଥିଲେ I ନିଜ ଅଭିଭାଷଣରେ ସେ ଆର୍ଥିକ ସାକ୍ଷରତା ଏବଂ ସଚେତନତା ଉପରେ ଗୁରୁତ୍ୱାରୋପ କରିବା ସହ ଏ ଦିଗରେ ରିଜର୍ଭ ବ୍ୟାଙ୍କ ଦ୍ବାରା ନିଆଯାଇଥିବା ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । ସାଧାରଣ ଜନସାଧାରଣ ଜୀବନରେ ସଂଚୟ ତଥା ନିବେଶର ଭୂମିକା ଏବଂ ସରକାରଙ୍କ ତରଫରୁ ଥିବା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କ ପାଇଁ ବିଭିନ୍ନ ଯୋଜନା ଉପରେ ଶ୍ରୀମତୀ ପାଢ଼ୀ ଆଲୋକପାତ କଲେ । ଅନ୍ୟ ଅତିଥିମାନେ ମଧ୍ଯ ସାମ୍ପ୍ରତିକ ପରିସ୍ଥିତିରେ ଆର୍ଥିକ ସଚେତନତାର ଆବଶ୍ୟକତା ବିଷୟରେ ଦୋହରାଇଥିଲେ ଏବଂ ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନା ବିଷୟରେ ଆଲୋକପାତ କଲେ । ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା, କୃଷକ, ଉଦ୍ୟୋଗୀ ଓ ବରିଷ୍ଠ ନାଗରିକଙ୍କ ଭଳି ବିଭିନ୍ନ ଟାର୍ଗେଟ୍ ଗୃପରୁ ପ୍ରାୟ ୨୦୦ ଜଣ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ I ରିଜର୍ଭ ବ୍ୟାଙ୍କର ବିଭିନ୍ନ ବିଭାଗ ଯଥା ଏଫ୍ଆଇଡିଡି, ଡିଓଏସ୍, ଆଇବିଡି ଓ ନିର୍ଗମ ବିଭାଗର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରିଜର୍ଭ ବ୍ୟାଙ୍କର ଅଧିକାରୀମାନେ ଆର୍ଥିକ ଯୋଜନା, ସଞ୍ଚୟ ଏବଂ ଦାୟିତ୍ଵପୂର୍ଣ ଋଣ ନେବା, ନିବେଶ, ବୀମା ସମେତ ସାମାଜିକ ସୁରକ୍ଷା ଯୋଜନା ଏବଂ ପେନସନ, ଶିକ୍ଷା ଋଣ ପାଇଁ ପିଏମ ବିଦ୍ୟାଲକ୍ଷ୍ମୀ ପୋର୍ଟାଲ ଆଦି ଉପରେ ସେମାନଙ୍କର ଅଧିବେଶନ ରଖିଥିଲେ । ଅଂଶଗ୍ରହଣକାରୀଙ୍କୁ ନକଲି ନୋଟ୍ ଚିହ୍ନଟ, ବ୍ୟାଙ୍କ ଦ୍ବାରା ନୋଟ୍ ବିନିମୟ ସୁବିଧା ଏବଂ ମୁଦ୍ରା ଗୁଡିକର ଲିଗାଲ ଟେଡର ସମ୍ପର୍କରେ ଅବଗତ କରାଯାଇଥିଲା I ଏହାବ୍ୟତୀତ ବିଭିନ୍ନ ପ୍ରକାର ଠକେଇ ସମେତ ବାସ୍ତବ ଜୀବନର ଉଦାହରଣ ଦେଇ ସାଇବର ଠକେଇ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଫୋନ୍ ମାଧ୍ୟମରେ କୌଣସି ବି ବ୍ୟକ୍ତି ସହିତ ସମ୍ବେଦନଶୀଳ ଆର୍ଥିକ ତଥ୍ୟ ସେୟାର ନ କରିବାକୁ ଅଂଶଗ୍ରହଣକାରୀମାନଙ୍କୁ ସଚେତନ କରାଯାଇଥିଲା । ଶେଷରେ ଆରବିଆଇର ଅଭିଯୋଗ ସମାଧାନ ବ୍ୟବସ୍ଥା ଏବଂ ଅଭିଯୋଗ ଦାଖଲ ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ସମସ୍ତଙ୍କୁ ଅବଗତ କରାଯାଇଥିଲା | କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିବା ପାଇଁ ଅଡିଓ ଏବଂ ଭିଜୁଆଲ ବିଷୟବସ୍ତୁ ମଧ୍ଯ ବ୍ୟବହାର କରାଯାଇଥିଲା । ସର୍ବଶେଷରେ ଅଂଶଗ୍ରହଣକାରୀଙ୍କ ପ୍ରଶ୍ନର ଉତ୍ତର ଦିଆଯାଇଥିଲା । କେନ୍ଦୁଝର ଏଲଡିଏମ୍ ଶ୍ରୀ ହୀରାଲାଲ ମହାମଲ୍ଲିକ; ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଞ୍ଚଳିକ କାର୍ଯ୍ୟାଳୟର ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା। ସର୍ବଶେଷରେ ବରିଷ୍ଠ ନାଗରିକ ଶ୍ରୀ ଭକ୍ତ ବତ୍ସଳ ମହାନ୍ତି, ଡ ବିନିନ ବିହାରୀ ମହାପାତ୍ର, ସ୍ଵୟଂ ସହାୟକ ଗୋଷ୍ଠୀ ପ୍ରତିନିଧି ଓ ଅଂଶ ଗ୍ରହଣ କାରି ମାନଙ୍କର ପ୍ରଶ୍ନର ଉତ୍ତର ଅତିଥି ମାନେ ପ୍ରଦାନ କରିଥିଲେ।
