ରାୟଗଡରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ .
(ଡା:ରମେଶ କୁମାର.ନି:ପ୍ର)
ରାୟଗଡ, ୬ ନଭେମ୍ବର ୨୦୨୬: ରାୟଗଡ ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଶ୍ରୀ ଅନ୍ନ ଅଭିଯାନ ଆନୁକୂଲ୍ୟରେ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ଉତ୍ସାହ ଓ ଉଦ୍ଦୀପନାର ସହ ସ୍ଥାନୀୟ ବିଜୁପଟନାୟକ ଅଡିଟରିମ ଠାରେ ପାଳିତ ହୋଇଯାଇଛି।
ଏହି ଅବସରରେ ରାୟଗଡ ବିଧାୟକ ଶ୍ରୀ କାଡ୍ରାକା ଅପ୍ପଲା ସ୍ୱାମୀ ମୁଖ୍ୟ ଅତିଥି ଏବଂ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସରସ୍ୱତୀ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ବିଷମକଟକ ବିଧାୟକ ଶ୍ରୀ ନୀଳମାଧବ ହିକକା, କୋରାପୁଟ ସାଂସଦଙ୍କ ପ୍ରତିନିଧି ଶ୍ରୀ ସୁଧୀର ଚନ୍ଦ୍ର ପଣ୍ଡା ଏବଂ ସ୍ୱତନ୍ତ୍ର ଉନ୍ନୟନ ପରିଷଦ (SDC) ଅଧ୍ୟକ୍ଷ ଶ୍ରୀ ବିଦ୍ୟାଧର ଶବର ଯୋଗଦେଇଥିଲେ।
ଏହାସହ ବରିଷ୍ଠ ବୈଜ୍ଞାନିକ ଡ. ଅରବିନ୍ଦ ଦାସ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ (CDMO) ଡ. ମମତା ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ (DSWO) ଶ୍ରୀମତୀ ମିନତୀ ଦେଓ, ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ (SDVO) ଡ. ଅଶୋକ କୁମାର ଦେହେରା, ନିର୍ବାହୀ ଯନ୍ତ୍ରୀ (କୃଷି) ଶ୍ରୀ ସ୍ୱରୂପ ସିଂ ମାଝୀ, ରାୟଗଡ ସହକାରୀ କୃଷି ଅଧିକାରୀ ଶ୍ରୀ ଏସ୍.କେ. ଅହେସାନ, ମୁନିଗୁଡା ସହକାରୀ କୃଷି ଅଧିକାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ବେହେରା ଏବଂ ଗୁଣପୁର ସହକାରୀ କୃଷି ଅଧିକାରୀ ଶ୍ରୀମତୀ ସୁଜାତା ନିଶଙ୍କଙ୍କ ସମେତ ବହୁ ଅଧିକାରୀ, କୃଷକ ଓ ଅଂଶଗ୍ରହଣକାରୀ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମର ଶୁଭାରମ୍ଭ ପ୍ରଦୀପ ପ୍ରଜ୍ଜ୍ୱଳନ ମାଧ୍ୟମରେ ହୋଇଥିଲା। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ (CDAO) ଶ୍ରୀ ନକ୍ଷତ୍ର ମୋହନ ରାଉଳ ସ୍ୱାଗତ ଭାଷଣ ପ୍ରଦାନ କରି ଅତିଥି, ଚାଷୀ ଓ ଅଂଶଗ୍ରହଣକାରୀଙ୍କୁ ସ୍ୱାଗତ ଜଣାଇଥିଲେ। ନିଜ ବକ୍ତବ୍ୟରେ ସେ କହିଥିଲେ ଯେ, ରାୟଗଡ ଜିଲ୍ଲାରେ ପ୍ରାୟ ୧୨,୦୦୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରାଯାଉଛି। ଗତ ବର୍ଷ ଜିଲ୍ଲାରେ ୬,୦୦୦ ମେଟ୍ରିକ୍ ଟନ୍ ମାଣ୍ଡିଆ ସଂଗ୍ରହ କରାଯାଇଥିବା ସହ ଏହି କ୍ଷେତ୍ରରେ ରାୟଗଡ ରାଜ୍ୟରେ ଦ୍ୱିତୀୟ ସ୍ଥାନ ହାସଲ କରିଛି। ସରକାରୀ ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ଏବଂ ତୃଣମୂଳସ୍ତରର କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ସହ ଚାଷୀ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସହଯୋଗ ଏହି ସଫଳତାର ମୁଖ୍ୟ ଆଧାର ବୋଲି ସେ ପ୍ରକାଶ କରିଥିଲେ।
ମାଣ୍ଡିଆର ପୁଷ୍ଟିଗୁଣ ଓ ସ୍ୱାସ୍ଥ୍ୟ ଉପକାରିତା ସମ୍ପର୍କରେ ଆଲୋକପାତ କରି ସେ କହିଥିଲେ ଯେ, ମାଣ୍ଡିଆ ପ୍ରୋଟିନ୍, ଖାଦ୍ୟସାର, କ୍ୟାଲସିୟମ୍ ଓ ବିଭିନ୍ନ ଆବଶ୍ୟକୀୟ ଖଣିଜ ପଦାର୍ଥରେ ଭରପୂର ଏକ ଉତ୍କୃଷ୍ଟ ପୁଷ୍ଟିଶସ୍ୟ। ଏହା ଶରୀରକୁ ସୁସ୍ଥ ରଖିବା ସହ ପୁଷ୍ଟି ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ। ମାଣ୍ଡିଆ ଏକ ଜଳବାୟୁ ସହନଶୀଳ ଫସଲ ହୋଇଥିବାରୁ କମ୍ ଜଳ ଓ ପ୍ରତିକୂଳ ପାଣିପାଗରେ ମଧ୍ୟ ଚାଷ କରାଯାଇପାରେ। ବଜାରରେ ଏହାର ବଢ଼ୁଥିବା ଚାହିଦା ଓ ଉଚିତ ମୂଲ୍ୟ ଚାଷୀଙ୍କ ଆୟ ବୃଦ୍ଧିରେ ସହାୟକ ହେଉଛି। ତେଣୁ ଦୈନନ୍ଦିନ ଖାଦ୍ୟରେ ମାଣ୍ଡିଆକୁ ସାମିଲ କରିବା ସହ ଏହାର ଚାଷ ଓ ବ୍ୟବହାରକୁ ଅଧିକ ବ୍ୟାପକ କରିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିଥିଲେ।
ମୁଖ୍ୟ ଅତିଥି ବିଧାୟକ ରାୟଗଡ ନିଜ ବକ୍ତବ୍ୟରେ ମାଣ୍ଡିଆ ଚାଷରେ ଆଧୁନିକ ବୈଜ୍ଞାନିକ ଜ୍ଞାନକୌଶଳର ଉପଯୋଗ କରି ଉତ୍ପାଦନ ଓ ଉତ୍ପାଦକତା ବୃଦ୍ଧି ଦିଗରେ ଚାଷୀମାନଙ୍କୁ ସଚେତନ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏଥିସହ ମହିଳା ଚାଷୀମାନେ ପାରମ୍ପରିକ ଫସଲର ସଂରକ୍ଷଣ ଓ ଜୈବ ବିବିଧତାର ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖୁଥିବାରୁ ମାଣ୍ଡିଆକୁ ପ୍ରତ୍ୟେକ ପରିବାରର ଖାଦ୍ୟ ଥାଳିରେ ସ୍ଥାନ ଦେବା ପାଇଁ ସମସ୍ତେ ମିଳିତ ଉଦ୍ୟମ କରିବା ଆବଶ୍ୟକ ବୋଲି ସେ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ବିଭିନ୍ନ ପୁଷ୍ଟିଶସ୍ୟ ଭିତ୍ତିକ ଖାଦ୍ୟ ଓ ଉତ୍ପାଦର ପ୍ରଦର୍ଶନୀ ସହ ଖାଦ୍ୟ ମେଳା ଆୟୋଜିତ ହୋଇଥିଲା। ପରିଶେଷରେ ମାଣ୍ଡିଆ ଚାଷରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଚାଷୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG), କୃଷକ ଉତ୍ପାଦକ ସଂଗଠନ (FPO) ଏବଂ କୃଷକ ଉତ୍ପାଦକ କମ୍ପାନୀ (FPC) ଗୁଡ଼ିକୁ ସମ୍ବର୍ଦ୍ଧିତ କରାଯାଇଥିଲା।
