ଭିଆଇ ପି ଏରିଆ ରୁ ପରିବା ମାର୍କେଟ ସ୍ଥାନାନ୍ତର
କାମକ୍ଷାନାଗାର (ମନିସ)
ଭୁବନ ଏନ୍ ଏ ସି ଅନ୍ତର୍ଗତ ୧ ନମ୍ବର ୱାର୍ଡ ର ଭି ଆଇ ପି ଏରିଆ ( ଡାକ ବଙ୍ଗଳା ସମ୍ମୁଖ )ରୁ ଏନ୍ ଏ ସି ଅଫିସ ନିକଟକୁ ପରିବା ମାର୍କେଟ ସ୍ଥାନାନ୍ତର ହୋଇଛି । ବିଧାୟକ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଓ ତହସିଲଦାର ସୂର୍ଯ୍ୟ ଶଙ୍କର ଦାଶ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଫିତା କାଟି,ନଡ଼ିଆ ଭାଙ୍ଗି ଦୈନିକ ପରିବା ମାର୍କେଟ କୁ ଉଦଘାଟନ କରିଥିଲେ। ଭି ଆଇ ପି ଏରିଆରେ ଦୀର୍ଘଦିନ ହେଲା ଦୈନିକ ପରିବା ମାର୍କେଟ ବସୁଥିଲା । ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ,ଭୁବନ ଉଚ୍ଚ ବିଦ୍ୟାଳୟ ସମେତ ଡାକ ବଙ୍ଗଳା,ତହସିଲଦାର ଙ୍କ ବାସ ଭବନ ସମ୍ମୁଖରେ ପରିବା ହାଟ ବସୁଥିବାରୁ ଏହାକୁ ସ୍ଥାନାନ୍ତର ପାଇଁ ଦାବି ହୋଇ ଆସୁଥିଲା । ଏନ୍ ଏ ସି ତରଫରୁ ରଗଡ଼ି ଛକରେ ପରିବା ମାର୍କେଟ ପାଇଁ ପିଣ୍ଡି ନିର୍ମାଣ କରାଯାଇଥିଲା ବେଳେ ବାରମ୍ବାର ତାଗିଦ ପରେ ଦୂର ବାଟ ପାଇଁ ବ୍ୟବସାୟୀ ମାନେ ସେଠାକୁ ଯାଉ ନଥିଲେ । ଏନ୍ ଏ ସି ଅଫିସ ସମ୍ମୁଖରେ ଏକ ପରିତ୍ୟକ୍ତ ତଥା ଅବ୍ୟବହୃତ ସ୍ଥାନରେ ମୋରମ ବିଛାଇ ପବିତ୍ର ବିଶ୍ଵକର୍ମା ପୂଜାରୁ ଦୈନିକ ପରିବା ମାର୍କେଟ ଆରମ୍ଭ ହୋଇଛି । କୌଣସି ଭିତ୍ତିଭୂମି କିମ୍ବା ସୁବିଧା ନଥାଇ ଏହି ସ୍ଥାନରେ ପରିବା ହାଟ କରାଯାଇ ଥିବାରୁ ଚାଷୀ,ବେପାରୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଖୁବ୍ ଶୀଘ୍ର ପିଣ୍ଡି ନିର୍ମାଣ ସହ ଆଲୋକ ଏବଂ ପାଣି ବ୍ୟବସ୍ଥା କରାଯିବ ବୋଲି ବିଧାୟକ ଶ୍ରୀଯୁକ୍ତ ଜେନା ପ୍ରତିଶ୍ରୁତି ଦେଇଥିଲେ ।
ଢେଙ୍କାନାଳ ଜିଲ୍ଲା ରୁ ଗୋକୁଳାନନ୍ଦ ବେହେରା ଙ୍କ ରିପୋର୍ଟ ଭଞ୍ଜଦୂତ ଖବର
