ବସ୍ତା:- (ସେଖ ଆଜାରୁଦ୍ଦିନ) : ବିଧାୟିକା ସୁବାସିନୀ ଜେନାଙ୍କ ଅଧ୍ଯକ୍ଷତାରେ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ଉନ୍ନୟନ କମିଟି ବୈଠକ ବୁଧବାର ଦିନ ବସ୍ତା ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ଲକ ଅଧ୍ୟକ୍ଷା ଅଞ୍ଜଳି ଦାସ, ଉପାଧ୍ୟକ୍ଷ ଦିଲ୍ଲୀପ ଦାସମହାପାତ୍ର, ବାଲେଶ୍ବରର ଅତିରିକ୍ତ ଜିଲ୍ଲାପାଳ (ରାଜସ୍ଵ) ହେମନ୍ତ କୁମାର ସିଂହ, ଉପଜିଲ୍ଲାପାଳ ଶ୍ରୀ ଶିବ ମାଲବ୍ୟ, ବ୍ଲକ ଉନ୍ନୟନ ଅଧିକାରୀ ମିହିର ରଂଜନ ବେହେରା, ତହସିଲଦାର ସୁଶାନ୍ତ ପଟ୍ଟନାୟକଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ ଓ ଜିଲ୍ଲା ପରିଷଦ ବୃନ୍ଦ, ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟସଭ୍ୟାମାନେ ଉପସ୍ଥିତ ଥିଲେ | ଜଳକା ନଦୀରେ ଲଗାତାର ଭାବରେ ବନ୍ୟା ଜଳ ଆସି କ୍ଷୟକ୍ଷତି ହୋଇଥିବା ବିଭିନ୍ନ ପଞ୍ଚାୟତର ଚାଷୀ ଭାଇ ମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବାପାଇଁ ବିଧାୟିକା ଜେନା ସଭାଗୃହରେ ଉପସ୍ଥିତ ଥିବା କୃଷି ବିଭାଗୀୟ ଅଧିକାରୀଙ୍କୁ ଠିକ୍ ଭାବେ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କହିଥିଲେ । ସେହିପରି ବନ୍ୟା ପରବର୍ତ୍ତୀ ଅବସ୍ଥାରେ ପଞ୍ଚାୟତ ଗୁଡ଼ିକର ନଷ୍ଟ ହୋଇଯାଇଥିବା ରାସ୍ତାଘାଟର ମରାମତି ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ରାସ୍ତା ଗୁଡ଼ିକ ବାବଦରେ ମିଟିଂରେ ସବିଶେଷ ଆଲୋଚନା ହୋଇଥିଲା। ବ୍ଲକ ସ୍ତରରେ ଆୟୋଜିତ ହେଉଥିବା ଭିନ୍ନକ୍ଷମ ମେଳାରେ ଯୋଗଦାନ କରିଥିବା ହିତାଧିକାରୀ ମାନେ ଏପର୍ଯ୍ୟନ୍ତ ସେମାନଙ୍କ ଭିନ୍ନକ୍ଷମ ପ୍ରମାଣପତ୍ର ପାଇବାରେ ବିଳମ୍ବର କାରଣ ସମ୍ପର୍କରେ ବିଧାୟିକା ପ୍ରଶ୍ନ କରି ଯଥାଶୀଘ୍ର ସେମାନଙ୍କୁ ପ୍ରମାଣପତ୍ର ଯୋଗାଇଦେବା ସହ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ପଳପଳା ନାଳରୁ ଜଳ ନିଷ୍କାସନ, ୧୭ ଗୋଟି ପଞ୍ଚାୟତରେ ଥିବା ପିଇବା ପାଣିର ସମସ୍ୟା ସହିତ ବ୍ଲକରେ ଚାଲିଥିବା ଶିକ୍ଷା, ସ୍ବାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ ବିଭାଗ, ଯୋଗାଣ ସମେତ ବିଭିନ୍ନ ବିଭାଗର କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା ହୋଇଥିଲା। ଏହି ବୈଠକରେ ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହିତ ବ୍ଲକସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ |
