ହରଭଙ୍ଗ(କୃଷ୍ଣଚନ୍ଦ୍ର ସିଂହ): ହରଭଙ୍ଗା ବ୍ଲକ ଅନ୍ତର୍ଗତ ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ପରିପ୍ରେକ୍ଷୀରେ ପ୍ରାଣୀ ପାଳନ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ଗୋପାଳନ, ଘାସ ଚାଷ ଓ ମାଈ ବାଛୁରୀ ପାଳନ ଯୋଜନା ପାଇଁ ଚୟନ କରାଯାଇଥିବା ହିତାଧିକାରୀମାନଙ୍କୁ ଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ଦ୍ଵାରା କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିଲା l ବୌଦ୍ଧ ଅତିରିକ୍ତ ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ ଅଭିମନ୍ୟୁ ରାଉତଙ୍କ ଉପସ୍ଥିତିରେ ଚୟନ କରାଯାଇଥିବା ହରଭଙ୍ଗା, ଛତ୍ରଙ୍ଗ, ସଙ୍କୁଲୋଇ ଏବଂ କୁଶଙ୍ଗ ପଞ୍ଚାୟତର ୧୮ ଜଣ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା l ଏଠାରେ ସୂଚନାଯୋଗ୍ୟ ଯେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମାଧ୍ୟମରେ ସରକାର ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟର ଦୁଗ୍ଧ ଉତ୍ପାଦନ ହାର ଦ୍ଵିଗୁଣିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି l ଏଥିପାଇଁ ଗୋପାଳନ ବାବଦକୁ ହିତାଧିକାରୀଙ୍କୁ ସର୍ବାଧିକ ୧,୬୧,୦୦୦ ଟଙ୍କା, ଘାସ ଚାଷ କରିବା ପାଇଁ ଏକର ପିଛା ୩୫,୦୦୦ ଟଙ୍କା ଓ ମାଈ ବାଛୁରୀ ପାଳନ ଯୋଜନା ମାଧ୍ୟମରେ ୨୮ କ୍ଵିଣ୍ଟାଲ ଖାଦ୍ୟ ୫୦ ପ୍ରତିଶତ ରିହାତି ଦରରେ ଦେବା ପାଇଁ ବ୍ୟବସ୍ଥା କରାଯାଇଛି l ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ଃ ବୀରେନ୍ଦ୍ର କୁମାର ପୃଷ୍ଟି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ପରିଶେଷରେ ଡ଼ଃ ରାଉତ ଚାଷୀମାନଙ୍କୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅନ୍ତର୍ଗତ ବିଭିନ୍ନ ଯୋଜନାଗୁଡିକ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଭାବରେ ବର୍ଣ୍ଣନା କରିଥିଲେ l
