ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) – ସୋରରେ ଏବେ ବ୍ୟାପକ ମାତ୍ରାରେ ବ୍ରାଉନ ସୁଗାର ,ମଦ , ଗଞ୍ଜେଇ ଚୋରା କାରବାର ବଢିବାରେ ଲାଗିଛି। ସୋରରେ ବ୍ରାଉନ ସୁଗାର କାରବାର ହେଉଥିବା ବେଳେ ସୋର ପୌର ପାଳିକା ଅନ୍ତର୍ଗତ ପଠାଣ ମହଲ୍ଲା ଗ୍ରାମରେ ଗ୍ରାମବାସୀ ମାନେ ବେପାରୀ ଏବଂ ଖାଉଟିଙ୍କୁ ସବାଡ଼ କରିବା ପାଇଁ ଏକ ପ୍ରୟାସ ଆରମ୍ଭ କରିଛନ୍ତି।ଫଳରେ ଆଜି ଅପରାହ୍ନରେ ଜଣେ ବ୍ରାଉନ ସୁଗାର ବେପାରୀକୁ ଧରି ଅବକାରୀ ବିଭାଗକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ।ସୂଚନା ଅନୁସାରେ ପଠାଣ ମହଲ୍ଲା ଗ୍ରାମରେ ବ୍ରାଉନ ସୁଗାର କାରବାର ଏତେ ମାତ୍ରାରେ ବଢିଥିଲା ଯେ ଗ୍ରାମବାସୀ ମାନେ ଏଥିରେ ଅତିଷ୍ଠ ହୋଇପଡ଼ିଥିଲେ। ଫଳରେ ଗ୍ରାମବାସୀ ମାନେ ଏକତ୍ରିତ ହୋଇ ସେମାନଙ୍କୁ ସାବାଡ଼ କରିବା ପାଇଁ ଗାଁ ମୁଖିଆଙ୍କ ସହିତ ଆଲୋଚନା କରିଥିଲେ। ସେଥିପାଇଁ ଗତ ୩ ଦିନ ଧରି ଗ୍ରାମବାସୀ ମାନେ ବ୍ରାଉନ ସୁଗାର ସେବନ କରୁଥିବା ଯୁବକଙ୍କୁ ଧରି ଉତ୍ତମ ମାଧ୍ୟମ ଦେବା ଫଳରେ ସେମାନେ ବ୍ରାଉନ ସୁଗାର କିଣୁଥିବା ବେପାରୀଙ୍କ ନାମ କହିଥିଲେ। ଗ୍ରାମବାସୀ ମାନେ ତାଙ୍କ ଘରକୁ ଯାଇ ଖୋଜାଖୋଜି କରିଥିଲେ। ସେହିକ୍ରମରେ ଆଜି ଅପରାହ୍ନରେ ଗ୍ରାମବାସୀ ମାନେ ବ୍ରାଉନ ସୁଗାର ବିକୁଥିବା ସେକ ରହିମତ ଅଲ୍ଲୀକୁ ଧରିଥିଲେ। ତାଙ୍କ ନିକଟରୁ ବ୍ରାଉନ ସୁଗାର ମିଳିବା ପରେ ପୁଲିସ ଏବଂ ଅବକାରୀ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ସୋର ଅବକାରୀ ଅଧିକାରୀ ସୁରଜ ଟୀଗା ଏବଂ ସୋର ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ପରେ ଗ୍ରାମବାସୀ ମାନେ ରହିମତକୁ ଅବକାରୀ ବିଭାଗକୁ ହସ୍ତାନ୍ତର କରିଥିଲେ। ଅବକାରୀ ପୁଲିସ ତା ନିକଟରୁ ପ୍ରାୟ ୨ ଶହ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିବା ସୂଚନା ମିଳିଛି। ତେବେ ଗ୍ରାମବାସୀଙ୍କର ଏହି ପଦକ୍ଷେପରେ ନିଶାଡି ଏବଂ ବ୍ରାଉନ ସୁଗାର ବେପାରୀଙ୍କ ମଧ୍ୟରେ କୁକୁଆ ଭୟ ଖେଳି ଯାଇଛି। ଗ୍ରାମବାସୀ ମାନେ ସୋର ଅଞ୍ଚଳର ପ୍ରତ୍ୟେକ ଗ୍ରାମର ଗ୍ରାମବାସୀଙ୍କୁ ଏଭଳି ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।ନିଶା ସେବନ ଫଳରେ ଯୁବ ପିଢ଼ି ବିପଥଗାମୀ ହେଇଥିବା ବେଳେ ଅକାଳରେ ଅନେକ ଜୀବନ ଯାଉଛି। ତେବେ ପଠାଣ ମହଲ୍ଲା ଗ୍ରାମବାସୀଙ୍କ ଏ ଭଳି ପଦକ୍ଷେପକୁ ବିଭିନ୍ନ ମହଲରେ ପ୍ରଶଂଶା କରାଯାଇଛି।