
ସାରସକଣା, ଜାମଶଳା (ଅନିଲ କୁମାର ସାହୁ) : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି(ପିଏମ୍ – କିଷାନ) ଯୋଜନାର ୨୦ ତମ କିସ୍ତି ଅଗଷ୍ଟ ୨ ତାରିଖରେ ମିଳିବ।ପିଏମ୍ କିଷାନର ଏକ୍ସ ଆକାଉଣ୍ଟରେ ଏହି ଘୋଷଣା କରାଯାଇଛି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ବାରଣାସୀରୁ ଏହି କିସ୍ତି ରାଶିକୁ ପ୍ରଦାନ କରିବେ। ପୂର୍ବ କିସ୍ତି ଚଳିତ ବର୍ଷ ଫେବୃୟାରୀରେ ପ୍ରଦାନ କରାଯାଇଥିଲା।ପ୍ରକାଶଯୋଗ୍ୟ ଯେ,ପିଏମ୍ କିଷାନ ଯୋଜନା ଅଧିନରେ ପ୍ରତି ୪ ମାସରେ ଯୋଗ୍ୟ ଚାଷୀଙ୍କ ଖାତାକୁ ୨,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥାଏ।ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୨୪ ରେ ପିଏମ କିଷାନ ଯୋଜନାରେ ୧୯ ତମ କିସ୍ତି ପ୍ରଦାନ କରିଥିଲେ।ଏହା ମାଧ୍ୟମରେ ୯.୮ କୋଟି ଚାଷୀଙ୍କ ବ୍ୟାଙ୍କ୍ ଖାତାକୁ ୨୨,୦୦୦ କୋଟି ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା।ଏହି ଯୋଜନା ଅଧିନରେ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀଙ୍କୁ ବର୍ଷକରେ ୩ ଟି କିସ୍ତିରେ ୨ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ। ଅର୍ଥାତ୍ ସମ୍ପୁର୍ଣ୍ଣ ବର୍ଷକରେ ଚାଷୀଙ୍କୁ ମୋଟ ୬,୦୦୦ ଟଙ୍କାର ସହାୟତା ରାଶି ମିଳିଥାଏ। ଏ ଯୋଜନାର ଆରମ୍ଭ ୨୦୧୯ ରେ ଚାଷୀଙ୍କୁ ଚାଷ କାର୍ଯ୍ୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା।ଏହି ସହାୟତା ରାଶି ହିତାଧିକାରୀଙ୍କ ବ୍ୟାଙ୍କ୍ ଖାତାରେ ଜମା କରାଯାଇଥାଏ।