ରାୟଗଡ଼ରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ – ୨୦୨୬ ଅନୁଷ୍ଠିତ*
(ଡା:ରମେଶ କୁମାର.ନି:ପ୍ର)
ରାୟଗଡ଼, ୭ ନଭେମ୍ବର ୨୦୨୬: ଯୁବ ପ୍ରତିଭାର ବିକାଶ, କଳା ଓ ସଂସ୍କୃତିର ପ୍ରୋତ୍ସାହନ ତଥା ଯୁବପିଢ଼ିଙ୍କ ମଧ୍ୟରେ ସୃଜନଶୀଳତା ଓ ସାମାଜିକ ସଚେତନତା ବୃଦ୍ଧି ଲକ୍ଷ୍ୟରେ ଆଜି ରାୟଗଡ଼ସ୍ଥିତ ବିଜୁ ପଟ୍ଟନାୟକ ଅଡିଟୋରିୟମଠାରେ ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ – ୨୦୨୬ ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବର ବିଷୟବସ୍ତୁ ଥିଲା “ନିଶାମୁକ୍ତ ଯୁବ – ବିକଶିତ ଭାରତ” (Nasha Mukt Yuva for Viksit Bharat)।
ଏହି କାର୍ଯ୍ୟକ୍ରମରେ ରାୟଗଡ଼ ବିଧାୟକ ଶ୍ରୀ ଆପଲାସ୍ୱାମୀ କାଡ୍ରାକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କୁ ନିଜର ପ୍ରତିଭା ଓ ସାମର୍ଥ୍ୟର ସଠିକ୍ ଉପଯୋଗ କରିବା ସହ ନିଶାମୁକ୍ତ ସମାଜ ଗଠନ ଏବଂ ବିକଶିତ ଭାରତ ନିର୍ମାଣରେ ସକ୍ରିୟ ଭାଗୀଦାର ହେବାକୁ ଆହ୍ୱାନ ଜଣାଇଥିଲେ। ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରବୀନ୍ଦ୍ରନାଥ କହଁରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଳା ମିନିଆକା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଦେବରାଜ ଟାକ୍ରି, ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ଭି. କିଶୋର, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁସ୍ମିତା ବାଉରୀ ଏବଂ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ କୈଳାସ ଚନ୍ଦ୍ର ସ୍ୱାଇଁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।
କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଏହି ମହୋତ୍ସବରେ ଲୋକନୃତ୍ୟ, ଲୋକସଙ୍ଗୀତ, ଚିତ୍ରାଙ୍କନ, କବିତା ଲିଖନ ଓ ପଥପ୍ରାନ୍ତ ନାଟକ ଆଦି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ବ୍ଲକ୍ ଓ ଶିକ୍ଷାନୁଷ୍ଠାନରୁ ଯୁବ ପ୍ରତିଯୋଗୀମାନେ ଉତ୍ସାହର ସହ ଏଥିରେ ଭାଗ ନେଇ ନିଜର କଳା ଓ ପ୍ରତିଭା ପ୍ରଦର୍ଶନ କରିଥିଲେ।
ପ୍ରତିଯୋଗିତାର ଫଳାଫଳ ଅନୁଯାୟୀ, ଲୋକନୃତ୍ୟ ବିଭାଗରେ ମା’ ମଝୀଘରିଆଣୀ ନୃତ୍ୟ ଦଳ, କୋଲନରା ପ୍ରଥମ, ଏମ୍.ଏସ୍.କେ.ପି. ଜେ.କେ.ପୁର ଦ୍ୱିତୀୟ ଏବଂ ରୟାଲ୍ ଡ୍ୟାନ୍ସ ଗ୍ରୁପ୍ ତୃତୀୟ ସ୍ଥାନ ହାସଲ କରିଥିଲେ। ସେହିପରି ଲୋକସଙ୍ଗୀତ ବିଭାଗରେ ମହିଳା ମହାବିଦ୍ୟାଳୟ, ରାୟଗଡ଼ ପ୍ରଥମ, ଗାୟତ୍ରୀ କଳା ସଂଗଠନ, ରାୟଗଡ଼ ଦ୍ୱିତୀୟ ଏବଂ ମ୍ୟୁଜିକ୍ ଗ୍ୟାଲେକ୍ଷ, ରାୟଗଡ଼ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଚିତ୍ରାଙ୍କନ ବିଭାଗରେ ରାୟଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଜିତ କାଡ୍ରାକା ପ୍ରଥମ, ଅଭିନବ ସାହୁ ଦ୍ୱିତୀୟ ଏବଂ ମହିଳା ମହାବିଦ୍ୟାଳୟ, ରାୟଗଡ଼ର ଜିୟା ମିର୍ଜା ତୃତୀୟ ସ୍ଥାନ ହାସଲ କରିଥିଲେ। କବିତା ଲିଖନ ବିଭାଗରେ ରାୟଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ହେରାଡାଟୋସ୍ ଗମାଙ୍ଗୋ ପ୍ରଥମ, ମହିଳା ମହାବିଦ୍ୟାଳୟର ପ୍ରିୟଙ୍କା ବାଡ଼ିକା ଦ୍ୱିତୀୟ ଏବଂ ରାୟଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ତପସ୍ୱିନୀ ବ୍ରହ୍ମା ତୃତୀୟ ସ୍ଥାନ ହାସଲ କରିଥିଲେ।
ସେହିପରି ନୁକ୍କଡ଼ ନାଟକ ବିଭାଗରେ ମା’ ସନ୍ତୋଷୀ କଳା ପ୍ରତିଷ୍ଠାନ, ଗୁଣପୁର ପ୍ରଥମ, ମା’ ମଝୀଘରିଆଣୀ ମହିଳା ନର୍ସିଂ ପ୍ରତିଷ୍ଠାନ, ରାୟଗଡ଼ ଦ୍ୱିତୀୟ ଏବଂ ରାୟଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ତୃତୀୟ ସ୍ଥାନ ହାସଲ କରିଥିଲେ।
ପୁରସ୍କାର ରାଶି ଅନୁଯାୟୀ, ଦଳଗତ ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଁ ଯଥାକ୍ରମେ ୧୦,୦୦୦ ଟଙ୍କା, ୭,୫୦୦ ଟଙ୍କା ଓ ୫,୦୦୦ ଟଙ୍କା ଏବଂ ବ୍ୟକ୍ତିଗତ ପ୍ରତିଯୋଗିତାରେ ଯଥାକ୍ରମେ ୩,୦୦୦ ଟଙ୍କା, ୨,୦୦୦ ଟଙ୍କା ଓ ୧,୦୦୦ ଟଙ୍କା ପୁରସ୍କାର ରାଶି ରହିଛି।
ଲୋକନୃତ୍ୟ, ଲୋକସଙ୍ଗୀତ, ଚିତ୍ରାଙ୍କନ ଓ କବିତା ଲିଖନ ପ୍ରତିଯୋଗିତାରେ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ଓ ଦଳଗୁଡ଼ିକ ଆଗାମୀ ରାଜ୍ୟସ୍ତରୀୟ ଯୁବ ମହୋତ୍ସବରେ ରାୟଗଡ଼ ଜିଲ୍ଲାର ପ୍ରତିନିଧିତ୍ୱ କରିବେ। ତେବେ ପଥପ୍ରାନ୍ତ ନାଟକ ପ୍ରତିଯୋଗିତାରେ କେବଳ ପ୍ରଥମ ସ୍ଥାନ ହାସଲ କରିଥିବା ମା’ ସନ୍ତୋଷୀ କଳା ପ୍ରତିଷ୍ଠାନ, ଗୁଣପୁର ରାଜ୍ୟସ୍ତରରେ ଜିଲ୍ଲାର ପ୍ରତିନିଧିତ୍ୱ କରିବେ।
ଏହି ମହୋତ୍ସବ ଯୁବପିଢ଼ିଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ସହ ନିଶାମୁକ୍ତ ସମାଜ ଗଠନ ଏବଂ ଏକ ସଶକ୍ତ ଓ ବିକଶିତ ଭାରତ ନିର୍ମାଣ ଦିଗରେ ସଚେତନତା ସୃଷ୍ଟି କରିବାର ଏକ ଉତ୍ତମ ମଞ୍ଚ ପ୍ରଦାନ କରିଥିଲା।
