ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ସୋର ଥାନା ଅଧୀନରେ ଥିବା ପଞ୍ଚାୟତ ଓ ସୋର ପୈରପାଳାକା ରେ ଦିନକୁ ଦିନ ଚୋରି ଡକାୟତି ଓ ରାହାଜାନି ଭଳି ଘଟଣା ବଢ଼ିବାରେ ଲାଗିଛି। ଦିନ ଦ୍ୱିପ୍ରହରେ ଲୁଟ ହେଉଥିବା ବେଳେ ପୁଲିସର ନିଷ୍କ୍ରିୟତା ପାଇଁ ଲୋକ ମାନଙ୍କର ପୁଲିସ ଉପରୁ ଭରସା ଉଠିଲାଣି। ଫଳରେ କେତେକ ଗାଁରେ ଗ୍ରାମବାସୀ ମାନେ ପାଳି କରି ରାତି ଉଜାଗର ହୋଇ ଗାଁକୁ ଜଗୁଛନ୍ତି। ଆଜି ରାତିରେ ସୋର ଥାନା ଟେଣ୍ଟେଇ ପଞ୍ଚାୟତ ଦୟାନିଧିପୂର ଗ୍ରାମରୁ ଚୋରି ଉଦ୍ୟମ ବେଳେ ମାରଣାସ୍ତ୍ର ସହିତ ଏକ ଗାଡି ଓ ଜଣେ ଚୋରକୁ ଗ୍ରାମବାସୀ ଅଟକାଇ ପୁଲିସକୁ ଜିମା ଦେଇଥିବା ବେଳେ ଚାରିଜଣ ଫେରାର ଥିବା ଜଣାପଡିଛି।ଆଜି ରାତିରେ ଏକ ଅଟୋରେ ୫ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ର ସାଙ୍ଗରେ ନେଇ ଗାଁ ଭିତରକୁ ପଶିଥିଲେ। ଦୟାନିଧିପୂର ଛକ ନିକଟରେ ଏକ ଘରୁ ଚୋରି ପାଇଁ ଉଦ୍ୟମ କରୁଥିବା ବେଳେ ଗାଁ ଜଗୁଥିବା ଗ୍ରାମବାସୀ ମାନେ ତାଙ୍କୁ ଦେଖି ଅନ୍ୟମାନଙ୍କୁ ଖବର ଦେଇଥିଲେ। ପରେ ଗ୍ରାମବାସୀ ମାନେ ଜଣେ ଚୋରକୁ କାବୁ କରିଥିବା ବେଳେ ଅନ୍ୟ ଚାରିଜଣ ବିଲ ମଧ୍ୟଦେଇ ଫେରାର ହୋଇଯାଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ଗାଡି ଓ ଯୁବକଙ୍କୁ ଥାନାକୁ ନେଇଥିବା ବେଳେ ଯୁବକ ଜଣଙ୍କ ଚୋରି କରିବାକୁ ଆସିଥିବା ସ୍ୱୀକାର କରିଛି। ପୁଲିସ ଅନ୍ୟମାନଙ୍କୁ ଖୋଜୁଥିବା ଜଣାପଡିଛି। ସୋର ପୁଲିସ ନିଷ୍କ୍ରିୟ ହୋଇପଡିଥିବାରୁ ଜଣେ ଦକ୍ଷ ଥାନାଧିକାରୀଙ୍କ ନିଯୁକ୍ତି ପାଇଁ ସାଧାରଣରେ ଦାବି ହୋଇଛି।