ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ତହସିଲଦାର ହେବ ତ ଦୈତାରି ମଲ୍ଲିକ ଙ୍କ ପରି। ଛୁଟି ଦିନରେ ବି ଅଭିଯୋଗ ପାଇଲେ ଧାଇଁ ଯାଆନ୍ତି ଲୋକଙ୍କ ସମାଧାନ ପାଇଁ। ଆଜି ଏଭଳି ଏକ ରୋଚକ ଖବର ଦେଖିବାକୁ ମିଳିଛି ସୋର କଲେଜ ଛକ ଓ ସରଶଙ୍ଖ ପଞ୍ଚାୟତ ରେ ।ସୋର ରେ ସମସ୍ତ ମୈଳିକ ସୁବିଧା ସୁଯୋଗ ମିଳିଯାଉଥିବାରୁ ଏବେ ସୋର ପୌରପାଳିକାରେ ସୋର ସହର ବାହାରୁ ଲୋକ ମାନେ ଆସି ଜାଗା କିଣି ଘର କରି ରହୁଛନ୍ତି। ବେଆଇନ ଭାବରେ ଘର ତିଆରି କରି ପାଣି ନିଷ୍କାସନ ପାଇଁ ପର୍ଯ୍ୟାପ୍ତ ପରିମାଣର ଜାଗା ନ ଛାଡ଼ିବା,ପାଣି ନିଷ୍କାସନ ପାଇଁ ଥିବା ଡ୍ରେନକୁ ପୋତା ଯାଇଥିବାରୁ ସୋର କଲେଜ ଛକ ଓ ସରଶଙ୍ଖ ପଞ୍ଚାୟତର ବ୍ରାହ୍ମଣସାହିରେ ଏକର ଏକର ଚାଷ ଜମିରେ ପାଣି ଜମି ରହିବା ସହିତ ଲୋକଙ୍କ ଘରେ ପାଣି ପଶୁଛି। ଯାହାକୁ ନେଇ ସ୍ଥାନୀୟ ଲୋକେ ସୋର ତହସିଲରେ ଅଭିଯୋଗ କରିବା ପରେ ଆଜି ମଧ୍ୟାହ୍ନରେ ସୋର ତହସିଲଦାର ଦୈତାରୀ ମଲ୍ଲିକ ସୋର କଲେଜ ଛକ ରାସ୍ତା କଡରେ ଜଳନିଷ୍କାସନ ପାଇଁ ପୋତାଯାଇଥିବା ଉକ୍ତ ଡ୍ରେନକୁ ସଫା କରିବା ସହିତ ଉକ୍ତ ରାସ୍ତାକୁ କଟାଯାଇ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଥିଲା। ସେହିପରି ସୋର କଲେଜ ଛକ ବିଦ୍ୟୁତ ବିଭାଗ କଣ୍ଟ୍ରୋଲ ଅଫିସ ବିପରୀତ ଦିଗରେ ଦୀର୍ଘ ଦିନରୁ ବଡ଼ ବଡ଼ କୋଠା କରି ରହି ଆସୁଥିବା କିଛି ଲୋକେ ହୋମ ପାଇପ ପକାଇ ନିଜ ଘରକୁ ରାସ୍ତା କରିବା ଫଳରେ ଜଳ ନିଷ୍କାସନରେ ବାଧା ଉପୁଜୁଛି। ଛୁଟି ଦିନରେ ମଧ୍ୟ ବର୍ଷାକୁ ଖାତିର ନ କରି ଲୋକଙ୍କ ସହିତ ଜଳନିଷ୍କାସନ କରାଇଥିବାରୁ ସ୍ଥାନୀୟ ଲୋକେ ତହସିଲଦାରଙ୍କ ଏପରି କାର୍ଯ୍ୟକୁ ପ୍ରଶଂସା କରିଥିଲେ। ଆଗାମୀ ଦିନରେ କୌଣସି ସରକାରୀ ଜାଗାକୁ ଯଦି କୌଣସି ଲୋକେ ଜବରଦଖଲ କରିବା ଦ୍ୱାରା ଜଳ ନିଷ୍କାସନରେ ବାଧା ହେଉଥାଏ ତେବେ ନିଶ୍ଚିତ ଭାବେ ଉକ୍ତ ବ୍ୟକ୍ତିଙ୍କ ବିରୋଧରେ ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଦୃଢୋକ୍ତି ପ୍ରକାଶ କରିଛନ୍ତି।