
ଭବାନୀପାଟଣା (କିଶନ ଶର୍ମା) : ଇଣ୍ଡିଆନ୍ କ୍ରିଏଟିଭ ଆର୍ଟିଷ୍ଟ ନେଟୱର୍କ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ବିକାଶ କଲେଜର ୱିସଡମ ପାର୍କର ସମ୍ମିଳନୀ କକ୍ଷରେ ୨୬ ତମ କାର୍ଗିଲ୍ ବିଜୟ ଦିବସ ପାଳିତ ହୋଇଛି। ଏଥିରେ ରାଜ୍ୟ ସଭା ସଦସ୍ୟ ସୁଜିତ୍ କୁମାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବିଶିଷ୍ଟ ନାଟ୍ୟକାର ତଥା ଶିକ୍ଷାବିତ୍ ଡ଼ ଉମେଶ ଚନ୍ଦ୍ର ଶତପଥୀ, ବିକାଶ ଗ୍ରୁପ୍ ଅଫ୍ ଇନଷ୍ଟିଚୁସନର ନିର୍ଦେଶକ ଡି ରାମ କୁମାର, ବରିଷ୍ଠ ଆଇନ ଜିବୀ ଭବେନ୍ଦ୍ର ପଣ୍ଡା ଓ ବରିଷ୍ଠ ସାମ୍ବାଦିକ ହରଜିନ୍ଦର୍ ସିଂ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଏହି ଅବସରରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଉଦ୍ଘାଟନ କରିଥିଲେ। ଏଥିରେ ମହାତ୍ମା ଗାନ୍ଧୀ ଙ୍କ ଜୀବନୀ ଉପରେ ୨୦ ଟି ପେଣ୍ଟିଂ ସହ ବିକାଶ ଆବାସିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଚିତ୍ରକଳା ପ୍ରଦର୍ଶିତ ହୋଇଥିଲା। ପରେ ପରେ ଆୟୋଜିତ ସଭାରେ ଇଣ୍ଡିଆନ୍ କ୍ରିଏଟିଭ ଆର୍ଟିଷ୍ଟ ନେଟୱର୍କ ଟ୍ରଷ୍ଟର ଅଧ୍ୟକ୍ଷ ଡ଼ ଅଜୟ କୁମାର ମିଶ୍ର ସ୍ୱାଗତ ଭାଷଣ ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ କାର୍ଗିଲ୍ ଯୁଦ୍ଧରେ ଲଢେଇ କରିଥିବା ୯ ଜଣ ସମେତ ୧୧ ଜଣ ସେନା ଅଧିକାରୀ ଓ ସେବା ନିବୃତ ସୈନିକଙ୍କୁ ସମ୍ମାନିତ କରାଯାଇଥିଲା। ସେହିପରି କାର୍ଗିଲ୍ ବିଜୟ ଦିବସ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତାର କୃତି ଛାତ୍ର ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଏହି ଅବସରରେ ସାଂସ୍କୃତିକ କୂଟନୀତି ଉଦ୍ଦେଶ୍ୟରେ ବିଦେଶରେ ଆୟୋଜିତ ଭାରତ ଉତ୍ସବରେ କଳାହାଣ୍ଡିର ଲୋକକଳା ପ୍ରଦର୍ଶନ କରି କଳାହାଣ୍ଡି ପାଇଁ ଗୌରବ ଆଣିଥିବା କଳାକାର ମାନଙ୍କ ସମ୍ବର୍ଦ୍ଧିତ କରାଯାଇଥିଲା। ୨୦୨୪ ମସିହାରେ ଜାପାନ ଠାରେ ଆୟୋଜତ ଭାରତ ଉତ୍ସବରେ ଅଂଶ ଗ୍ରହଣ କରିଥିବା ମହାବୀର ସାଂସ୍କୃତିକ ଅନୁଷ୍ଠାନର ୧୩ ଜଣ କଳାକାର ଓ ଗତ ମାସରେ ଋଷିଆର ମସ୍କୋ ଠାରେ ଆୟୋଜିତ ଭାରତ ଉତ୍ସବରେ ଅଂଶ ଗ୍ରହଣ କରିଥିବା ପ୍ରତିଭା ଅନୁଷ୍ଠାନର ୧୨ ଜଣ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିକାଶ ଆବାସିକ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ଆଶୁତୋଷ ପାତ୍ର ମଞ୍ଚ ସଂଯୋଜନା କରିଥିଲେ। ଇଣ୍ଡିଆନ୍ କ୍ରିଏଟିଭ ଆର୍ଟିଷ୍ଟ ନେଟୱର୍କ ଟ୍ରଷ୍ଟର ଉପ ସଭାପତି ଶିଳ୍ପୀ ତରୁଣ ମହାପାତ୍ର, ସମ୍ପାଦକ ଅଭିଜିତ ମିଶ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।