ଚଳନ୍ତା ଟ୍ରକ ରେ ଅଗ୍ନିକାଣ୍ଡ: ଅଳ୍ପକେ ବର୍ତ୍ତିଲେ ଚାଳକ
ସୋର, ୨୩/୧୧ (ଭଞ୍ଜଦୂତ , ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):
୧୬ ନମ୍ବର ଜାତୀୟ ରାଜପଥର ତଳନଗର ପୋଲ ଉପରେ ଆଜି ଅପରାହ୍ନରେ ଏକ ଚଳନ୍ତା ଟ୍ରକର ଇଞ୍ଜିନ୍ରେ ହଠାତ୍ ନିଆଁ ଲାଗିଯାଇଥିବା ଘଟଣା ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ସୌଭାଗ୍ୟବଶତଃ ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ଚାଳକଙ୍କ ସମୟୋଚିତ ପଦକ୍ଷେପ ଓ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ନରେ ଓଆର୧୬ଡି୬୭୩୮ ନମ୍ବର ବିଶିଷ୍ଟ ଟ୍ରକଟି ଜାମୁଝାଡ଼ି ପଟୁ ସୋର ଅଭିମୁଖେ ଆସୁଥିଲା। ଗାଡ଼ିଟି ତଳନଗର ପୋଲ ଅତିକ୍ରମ କରୁଥିବା ସମୟରେ ହଠାତ୍ ଗାଡ଼ିର ବ୍ୟାଟେରୀରେ ସର୍ଟ ସର୍କିଟ୍ ହୋଇ ଇଞ୍ଜିନ୍ ଭିତରେ ନିଆଁ ଲାଗିଯାଇଥିଲା। ଇଞ୍ଜିନ୍ରୁ ଧୂଆଁ ଓ ନିଆଁ ବାହାରୁଥିବା ଦେଖି ଚାଳକ ତୁରନ୍ତ ସତର୍କ ହୋଇଯାଇଥିଲେ ଏବଂ ବିଳମ୍ବ ନକରି ଟ୍ରକକୁ ସୁରକ୍ଷିତ ଭାବେ ରାସ୍ତା କଡ଼ରେ ଅଟକାଇ ତଳକୁ ଓହ୍ଲାଇ ପଡ଼ିଥିଲେ।
ଘଟଣା ସମ୍ପର୍କରେ ଖବର ପାଇ ସୋର ପୋଲିସ ଏବଂ ସୋର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁକୁ ସମ୍ପୂର୍ଣ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡ ଯୋଗୁଁ କିଛି ସମୟ ପାଇଁ ୧୬ ନମ୍ବର ଜାତୀୟ ରାଜପଥରେ ଯାତାୟାତ ସାମାନ୍ୟ ପ୍ରଭାବିତ ହୋଇଥିଲେ ହେଁ, ଅଗ୍ନିଶମ ବାହିନୀ ନିଆଁ ଲିଭାଇବା ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା। ଏହି ଅଘଟଣରେ ଟ୍ରକର ଇଞ୍ଜିନ୍ ଅଂଶ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଚାଳକ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଏବଂ ଅନ୍ୟ କୌଣସି ବଡ଼ ଧରଣର କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି।
