ହରିହର ଯୋର ପାଣିରୁ ମହାଦେବ ଆବିର୍ଭାବ।
# ଯୋର ଭିତରେ ଲୁକାୟିତ ଅବସ୍ଥାରେ ଥିବା ନାଗ ପ୍ରତିମା ମୂର୍ତ୍ତି ଉଦ୍ଧାର।
ରେଢ଼ାଖୋଲ ୨୧.୧୧(ଭଂଜଦୂତ ): ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ରେଙ୍ଗାଲି ଗ୍ରାମ ପଞ୍ଚାୟତ ଅଧୀନ କଷଣ୍ଡା ଗ୍ରାମ ନିକଟସ୍ଥ ହରିହର ଯୋର ପାଣି ଭିତରୁ ଶନିବାର ଦିନ ଦେବ ଦେବ ମହାଦେବଙ୍କ ନାଗ ପ୍ରତିମା ମୂର୍ତ୍ତି ଆବିର୍ଭାବ ହୋଇଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଏହି ଖବର ପ୍ରଚାରିତ ହେବା ପରେ ଉକ୍ତ ସ୍ଥାନରେ ଭକ୍ତ ଓ ସ୍ଥାନୀୟ ବାସିନ୍ଦାଙ୍କ ପ୍ରବଳ ଭିଡ଼ ଜମିବାରେ ଲାଗିଛି। ସୂଚନା ଅନୁଯାୟୀ, କଷଣ୍ଡା ଗ୍ରାମ ସ୍ଥିତ ହରିହର ଯୋର ବ୍ରିଜ୍ ପାଖ ପାଣି ଭିତରୁ ଶିବଶମ୍ଭୁ ଙ୍କ ନାଗ ପ୍ରତିମା ମୂର୍ତ୍ତି ଦେଖିବାକୁ ମିଳିଥିଲା। ପ୍ରଥମେ କିଛି ସ୍ଥାନୀୟ ଲୋକ ଏହାକୁ ଦେଖିବା ପରେ ଗ୍ରାମବାସୀଙ୍କୁ ଖବର ଦେଇଥିଲେ। ସେଠାରେ ଗ୍ରାମବାସୀ ମାନେ ପହଞ୍ଚି ଏକ ବଡ଼ ଧରଣର ନାଗ ପ୍ରତିମା ମୂର୍ତ୍ତି ପାଣି ଭିତରୁ ଉଦ୍ଧାର କରିଥିଲେ। ଧୀରେ ଧୀରେ ଏହି ଖବର ଆଖପାଖ ପଞ୍ଚାୟତ ଓ ଅଞ୍ଚଳରେ ବ୍ୟାପି ଯାଇଥିଲା। ଉକ୍ତ ସ୍ଥାନରେ ବିଭିନ୍ନ ଅଞ୍ଚଳରୁ ଜନ ସାଧାରଣ ପହଞ୍ଚି ଧୂପ, ଦୀପ ଓ ଫୁଲ ଦେଇ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି। ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ବେଳେ ମହାଦେବଙ୍କ ଦର୍ଶନ ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଛି।
