*ଯାଜପୁର ମ୍ୟୁନିସପାଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଆଇନ୍ ସେବା ଦିବସ ଓ ସଚେତନତା ସଭା ଅନୁଷ୍ଠିତ*
*ଯାଜପୁର, ୦୯.୧୧.୨୬ (ଭଞ୍ଜଦୂତ ଖବର :ସରୋଜ କୁମାର ଧଳ )
ଯାଜପୁର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପକ୍ଷରୁ ଯାଜପୁର ମ୍ୟୁନିସପାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜାତୀୟ ଆଇନ୍ ସେବା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଅମୃତ ରଞ୍ଜନ ନନ୍ଦଙ୍କ ଅଧ୍ୟକ୍ଷତାରେ ଏକ ଆଇନ୍ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।
ଅଧ୍ୟକ୍ଷ ଶ୍ରୀ ନନ୍ଦ ଦିବସର ମହତ୍ତ୍ବ ବୁଝାଇବା ସହ ଶିଶୁଙ୍କ ସର୍ବୋତ୍ତମ ସ୍ବାର୍ଥର ସୁରକ୍ଷା ଓ ସେମାନଙ୍କ ପ୍ରଗତି ସମ୍ବନ୍ଧରେ ବିସ୍ତୃତ ଆଲୋଚନା କରିଥିଲେ। ପ୍ରାଧିକରଣ ସଚିବ ଲିପା ମହାନ୍ତି ଜିଲ୍ଲା ଓ ତାଲୁକ ସ୍ତରୀୟ ଆଇନ୍ ସେବା ପ୍ରାଧିକରଣର କାର୍ଯ୍ୟ ପରିସର ସମ୍ପର୍କରେ ଆଲୋକପାତ କରିଥିଲେ। ମହିଳା, ଶିଶୁ, ଆର୍ଥିକ ଦୁର୍ବଳ ବ୍ୟକ୍ତି (ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ୍), ଦଙ୍ଗା ପୀଡ଼ିତ ଏବଂ ତଫସିଲଭୁକ୍ତ ଜାତି ଓ ଜନଜାତିର ଲୋକମାନଙ୍କୁ କିପରି ବିନା ମୂଲ୍ୟରେ ଆଇନ୍ ପରାମର୍ଶ ଓ ସମାନ ନ୍ୟାୟ ମିଳିପାରିବ, ସେ ବିଷୟରେ ସେ ବର୍ଣ୍ଣନା କରିଥିଲେ।
ଏହି ସଭାରେ ଅତିଥି ଆଲୋଚକ ଭାବେ ସିଜେଏମ୍ ସର୍ବେଶ୍ୱର ଦାସ, ଜେଏମ୍ ଏଫ୍ ସି (ଏଲ୍ ଆର୍ ଏଣ୍ଡ ଏଲଟିଭି) ଅଂଶୁମାନ ରଥ, ଜେଏମ୍ ଏଫ୍ ସି ବୀଣାପାଣି ତାଣ୍ଡି ଏବଂ ପ୍ରାଧିକରଣର ପ୍ରାକ୍ତନ ସଦସ୍ୟ ଡ. ରୁଦ୍ରନାରାୟଣ ପୃଷ୍ଟି ପ୍ରମୁଖ ଯୋଗଦେଇଥିଲେ। ୧୯୮୭ ମସିହା ନଭେମ୍ବର ୯ ତାରିଖରେ ଗୃହୀତ ଆଇନ୍ ସେବା ପ୍ରାଧିକରଣ ଅଧିନିୟମ କିପରି ଜାତୀୟ ସ୍ତରରୁ ତାଲୁକ ସ୍ତର ପର୍ଯ୍ୟନ୍ତ କାର୍ଯ୍ୟ କରୁଛି, ସେ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ। ଏଥିସହିତ ଲୋକ ଅଦାଲତ, ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ, ମଧ୍ୟସ୍ଥତା କେନ୍ଦ୍ର ଏବଂ ବିଚାରାଳୟ ପରିସରର ସମ୍ମୁଖ କାର୍ଯ୍ୟାଳୟ ଜରିଆରେ ଉଚିତ୍ ହିତାଧିକାରୀଙ୍କୁ ବିନା ମୂଲ୍ୟରେ ଆଇନ୍ ସହାୟତା ଯୋଗାଇ ଦିଆଯାଉଥିବା ବିଷୟରେ ସୂଚନା ଦେଇଥିଲେ। ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଗଠିତ ଆଇନ୍ ସାକ୍ଷରତା କ୍ଲବ୍ଗୁଡ଼ିକୁ କ୍ରିୟାଶୀଳ କଲେ ଛାତ୍ରଛାତ୍ରୀଙ୍କ ସମେତ ଶିକ୍ଷକ, ଅଭିଭାବକ ଓ ବାପା-ମା’ମାନେ ମଧ୍ୟ ଆଇନଗତ ସଚେତନତା ହାସଲ କରିପାରିବେ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।
କାର୍ଯ୍ୟକ୍ରମର ଆରମ୍ଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚିତ୍ତରଞ୍ଜନ ସେଠୀ ସ୍ବାଗତ ଭାଷଣ ଦେବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭା ଶେଷରେ ଯୋଗଦେଇଥିବା ବିଚାରପତି, ଶିକ୍ଷକ-ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆୟୋଜିତ ଏକ ସଚେତନତା ଶୋଭାଯାତ୍ରାରେ ମଧ୍ୟ ଭାଗନେଇଥିଲେ। ପ୍ରାଧିକରଣର କର୍ମଚାରୀ ଏବଂ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ସହକାରୀ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
_*ଅଭିନାଶ ସାଗର*_
_ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ_
