ବନ୍ୟା ବିପନ୍ନଙ୍କ ସହାୟତା ପାଇଁ ଛତ୍ରପୁର ପ୍ରେସ୍ କ୍ଲବର ୫୧ ହଜାର ଟଙ୍କା ସହାୟତା
ସାମ୍ବାଦିକଙ୍କ ସେବା ଓ ସମ୍ବେଦନଶୀଳତାକୁ ଜିଲ୍ଲାପାଳଙ୍କ ଭୂୟସୀ ପ୍ରଶଂସା
ଛତ୍ରପୁର, ୧୦/୧୧: ବନ୍ୟା ବିପନ୍ନଙ୍କ ଦୁଃଖ ଓ ଦୁର୍ଦ୍ଦଶାରେ ସହଭାଗୀ ହୋଇ ମାନବିକ ଓ ସାମାଜିକ ଦାୟିତ୍ୱବୋଧର ଉଦାହରଣ ସୃଷ୍ଟି କରିଛି ଛତ୍ରପୁର ପ୍ରେସ୍ କ୍ଲବ। ବନ୍ୟା ପ୍ରଭାବିତ ପରିବାରଙ୍କ ସହାୟତା ନିମନ୍ତେ କ୍ଲବ ପକ୍ଷରୁ ଗଞ୍ଜାମ ଜିଲ୍ଲା ରିଲିଫ୍ ପାଣ୍ଠିକୁ ୫୧ ହଜାର ଟଙ୍କା ପ୍ରଦାନ କରାଯାଇଛି। ଛତ୍ରପୁର ପ୍ରେସ୍ କ୍ଲବର ସଭାପତି ଓ ସମ୍ପାଦକଙ୍କ ନେତୃତ୍ୱରେ କ୍ଲବର କର୍ମକର୍ତ୍ତା ଓ ସଦସ୍ୟମାନେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ସାକ୍ଷାତ କରି ଏହି ଅର୍ଥରାଶିର ଚେକ୍ ପ୍ରଦାନ କରିଥିଲେ।
ଏହି ମହତ୍ ଅବଦାନ ପାଇଁ ଜିଲ୍ଲାପାଳ ଛତ୍ରପୁର ପ୍ରେସ୍ କ୍ଲବକୁ ସାଧୁବାଦ ଜଣାଇବା ସହ ସାମ୍ବାଦିକମାନଙ୍କ ସାମାଜିକ ସମ୍ବେଦନଶୀଳତାର ଭୂୟସୀ ପ୍ରଶଂସା କରିଥିଲେ।
ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ସମୟରେ ସାମ୍ବାଦିକମାନେ ଦିନରାତି ଏକ କରି ଘଟଣାସ୍ଥଳରୁ ଖବର ପ୍ରସାରଣ କରିବା ସହ ବିପନ୍ନଙ୍କ ସମସ୍ୟା ଓ ଆବଶ୍ୟକତାକୁ ଲୋକଲୋଚନକୁ ଆଣିଥିଲେ। ଏଥିସହ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଲୋକଙ୍କ ସମସ୍ୟାର ସମାଧାନ କରିବାରେ ସାହାଯ୍ୟ କରିଥିଲେ । ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟରତ ତଥା ଜିଲ୍ଲା ବାହାରୁ ଆସି ଖବର ପରିବେଷଣ କରିଥିବା ସମସ୍ତ ସାମ୍ବାଦିକ ବନ୍ଧୁଙ୍କ ନିଷ୍ଠା, ସାହସ ଓ ନିରନ୍ତର ସହଯୋଗ ପାଇଁ ଜିଲ୍ଲାପାଳ ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଓ ସାଧୁବାଦ ଜଣାଇଥିଲେ।
ବନ୍ୟା ବିପତ୍ତି ସମୟରେ ସାମ୍ବାଦିକମାନେ କେବଳ ଖବର ପରିବେଷଣରେ ସୀମିତ ନ ରହି ଜନସାଧାରଣଙ୍କ ଦୁଃଖ ଓ ଦୁର୍ଦ୍ଦଶାର ସ୍ୱର ହେବା ସହ ନିଜସ୍ୱ ଉଦ୍ୟମରେ ସହାୟତାର ହାତ ବଢ଼ାଇବା ଏକ ଅନୁକରଣୀୟ ଉଦାହରଣ।
