ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ ‘ମାଣ୍ଡିଆ ଦିବସ-୨୦୨୬’ ପାଳିତ
ପୂର୍ବପିଢ଼ି ମାଣ୍ଡିଆ ଜାଉ ଖାଇବା ସହ ଶାରୀରିକ ପରିଶ୍ରମ କରୁଥିବାରୁ ସୁସ୍ଥ ଓ ସବଳ ରହୁଥିଲେ: ଛତ୍ରପୁର ବିଧାୟକ
ଛତ୍ରପୁର, ୧୦/୧୧: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଛତ୍ରପୁରଠାରେ ଜିଲ୍ଲାସ୍ତରୀୟ ‘ମାଣ୍ଡିଆ ଦିବସ-୨୦୨୬’ ତଥା ଶ୍ରୀ ଅନ୍ନ ଅଭିଯାନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାଣ୍ଡିଆ ଏକ ପୁଷ୍ଟିସମୃଦ୍ଧ ଶସ୍ୟ ହୋଇଥିବାରୁ ଏହାକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରିବାକୁ ଆହ୍ୱାନ ଦେଇଥିଲେ। ପୂର୍ବପିଢ଼ି ନିୟମିତ ମାଣ୍ଡିଆ ଜାଉ ଖାଇବା ସହ ଶାରୀରିକ ପରିଶ୍ରମ କରୁଥିବାରୁ ସୁସ୍ଥ ଓ ସବଳ ରହୁଥିଲେ ବୋଲି ସେ କହିଥିଲେ।
ଚାଷୀଙ୍କ ଆର୍ଥିକ ସଶକ୍ତିକରଣ ନିମନ୍ତେ ସରକାର ସର୍ବନିମ୍ନ ସହାୟକ ମୂଲ୍ୟରେ ମାଣ୍ଡିଆ କ୍ରୟ କରିବା ସହ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଡିବିଟି ମାଧ୍ୟମରେ ପ୍ରୋତ୍ସାହନ ରାଶି ପ୍ରଦାନ କରୁଥିବା ସେ ଉଲ୍ଲେଖ କରିଥିଲେ।
ଜିଲ୍ଲାପାଳ ଭି କୀର୍ତ୍ତି ଭାସନ ମାଣ୍ଡିଆ ଓ ଏଥିରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀର ପ୍ରଦର୍ଶନୀ ପରିଦର୍ଶନ କରିବା ସହ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ।
ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋରଞ୍ଜନ ରାଉଳ ଗଞ୍ଜାମ ଜିଲ୍ଲାର ଜଗନ୍ନାଥପ୍ରସାଦ, ପୋଲସରା, ସୋରଡ଼ା, ଧରାକୋଟ, ପାତ୍ରପୁର, ଶେରଗଡ଼ ଓ ସାନଖେମୁଣ୍ଡି ବ୍ଲକରେ କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ଶ୍ରୀ ଅନ୍ନ ଅଭିଯାନ କାର୍ଯ୍ୟକାରୀ ହେଉଥିବା ସୂଚନା ଦେଇଥିଲେ।
ସୂଚନା ଯୋଗ୍ୟ ଯେ, ୨୦୨୫-୨୬ କୃଷି ବର୍ଷରେ ୧୪,୧୫୮ ଜଣ ଚାଷୀ ଏଥିରେ ସାମିଲ ହୋଇ ଖରିଫରେ ୬,୬୬୪.୯୫ ହେକ୍ଟର ଓ ରବିରେ ୪୩୨.୪୦ ହେକ୍ଟର ଜମିରେ ମାଣ୍ଡିଆ ଚାଷ କରିଥିଲେ। ଧାର୍ଯ୍ୟ ୩୬ ହଜାର କ୍ୱିଣ୍ଟାଲ ଲକ୍ଷ୍ୟ ତୁଳନାରେ ୩୩,୭୫୧.୧୯ କ୍ୱିଣ୍ଟାଲ ମାଣ୍ଡିଆ ସଂଗ୍ରହ କରାଯାଇଛି, ଯାହା ଧାର୍ଯ୍ୟ ଲକ୍ଷ୍ୟର ୯୩.୭୫ ପ୍ରତିଶତ ଅଟେ ।
ମାଣ୍ଡିଆକୁ ‘ଶ୍ରୀ ଅନ୍ନ’ ଭାବେ ପୁଷ୍ଟିକର ଖାଦ୍ୟର ମାନ୍ୟତା ଦେଇ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଯାଇଛି। ଓଡ଼ିଶାର ଶ୍ରୀ ଅନ୍ନ ମଡେଲକୁ ଭାରତ ସରକାର, ନୀତି ଆୟୋଗ ଓ ଜି-୨୦ ଭଳି ମଞ୍ଚରେ ପ୍ରଶଂସା ମିଳିଛି।
ଏହି ଅବସରରେ ଜିଲ୍ଲାର ୨୦୦ରୁ ଊର୍ଦ୍ଧ୍ୱ ଚାଷୀ ଯୋଗଦେଇଥିଲେ। କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ତିନି ଜଣ ଶ୍ରେଷ୍ଠ ପ୍ରଗତିଶୀଳ ଚାଷୀ ସବିତା ସାହୁ (ପୋଲସରା), ସତ୍ୟ ନାୟକ (ଧରାକୋଟ) ଓ ଶରତ ନାୟକ (ଜଗନ୍ନାଥପ୍ରସାଦ)ଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଶ୍ରେଷ୍ଠ ବିହନ ସଂରକ୍ଷଣକାରୀ ଚାଷୀ ଭାବେ ସୁଦର୍ଶନ ଗମାଙ୍ଗ (ଧରାକୋଟ), ଭାଗିରଥି ସାହୁ (ପାତ୍ରପୁର) ଓ ଗୋଲା ସ୍ୱାଇଁ (ସାନଖେମୁଣ୍ଡି)ଙ୍କୁ ସମ୍ମାନିତ କରାଯାଇଥିଲା। ଶ୍ରେଷ୍ଠ ମିଲେଟ୍ ଉଦ୍ୟୋଗୀ ଭାବେ ମାଆ ମଙ୍ଗଳା ସ୍ୱୟଂ ସହାୟକ ଗୋଷ୍ଠୀ (ଜଗନ୍ନାଥପ୍ରସାଦ), ଭାରତମାତା ସ୍ୱୟଂ ସହାୟକ ଗୋଷ୍ଠୀ (ଶେରଗଡ଼) ଓ ନାରାୟଣ ସ୍ୱୟଂ ସହାୟକ ଗୋଷ୍ଠୀ (ସୋରଡ଼ା) ପୁରସ୍କୃତ ହୋଇଥିଲେ। ଏଥିସହ ଶ୍ରେଷ୍ଠ ଶ୍ରୀ ଅନ୍ନ ସହଯୋଗୀ ସଂସ୍ଥା ଭାବେ ଇଣ୍ଡିଆ ସଂସ୍ଥା (ପୋଲସରା) ଏବଂ ଶ୍ରେଷ୍ଠ ମାଣ୍ଡିଆ ଖାଦ୍ୟ ପ୍ରସ୍ତୁତି ପାଇଁ ଧରାକୋଟର କୃଷକ ଉତ୍ପାଦକ ସଂଗଠନକୁ ଅତିଥିମାନେ ପୁରସ୍କୃତ କରିଥିଲେ।
ଏହି ସମାରୋହରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟା, କୃଷି ବିଜ୍ଞାନ କେନ୍ଦ୍ର-୧ର ବରିଷ୍ଠ ବୈଜ୍ଞାନିକ ତଥା ମୁଖ୍ୟ ସୁଜିତ କୁମାର ନାଥ, ଏନ୍.ସି.ଆର୍.ଏସ୍., ଅଙ୍କୁଶପୁରର ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ପଣ୍ଡା, ଉପ-ଉଦ୍ୟାନ କୃଷି ନିର୍ଦ୍ଦେଶକ ଲଳିତ କୁମାର ପଣ୍ଡା, ଜଳଛାୟା ପ୍ରକଳ୍ପର ଉପନିର୍ଦ୍ଦେଶକ, ବିଭିନ୍ନ କୃଷି ଜିଲ୍ଲା ଅଧିକାରୀ, ବିଭାଗୀୟ ଅଧିକାରୀ, କୃଷି ବୈଜ୍ଞାନିକ, ଚାଷୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ।
ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ, ଗଞ୍ଜାମ
