୧୩୬ ବାଟାଲିୟନ BSF ପକ୍ଷରୁ ଧୁମ୍ଧାମରେ ଦୀପାବଳି ପାଳିତ
ବାଲିଗୁଡ଼ା ମୁଖ୍ୟାଳୟ ସମେତ ସମସ୍ତ COBରେ ଦୀପ ଜାଳି ଆଲୋକର ପର୍ବ ପାଳନ
କନ୍ଧମାଳ,ବାଲିଗୁଡ଼ା:(ନି.ପ୍ର)୯/୧୧/୨୬ ଆଲୋକର ପର୍ବ ଦୀପାବଳି ଅବସରରେ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାସ୍ଥିତ ୧୩୬ ବାଟାଲିୟନ BSF ମୁଖ୍ୟାଳୟ ସମେତ ସମସ୍ତ COBରେ ଆନନ୍ଦ ଓ ଉତ୍ସାହର ସହ ଦୀପାବଳି ପାଳନ କରାଯାଇଛି। ବାଟାଲିୟନ କମାଣ୍ଡାଣ୍ଟ ଶ୍ରୀ ମାନସ ରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ୨IC ଶ୍ରୀ ସତପାଲ ସିଂହ, ଡେପୁଟି କମାଣ୍ଡାଣ୍ଟ ଶ୍ରୀ କେ.କେ. ଦାଶ ଓ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଶ୍ରୀ ନିର୍ମଳ ଚନ୍ଦ୍ର ଦାସଙ୍କ ସମେତ ୨୦ରୁ ଅଧିକ ଅଧିକାରୀ ଏବଂ ୪୬ ଜଣ ଯବାନ ଏହି ଉତ୍ସବରେ ସାମିଲ ହୋଇଥିଲେ।ଏହି ଅବସରରେ କ୍ୟାମ୍ପ ପରିସରରେ ମାଟି ଦୀପ ଓ ମହମବତୀ ଜାଳି ଆଲୋକମାଳାରେ ସଜାଯାଇଥିଲା। ବରିଷ୍ଠ ଅଧିକାରୀମାନେ ଯବାନଙ୍କ ସହ ମିଶି ଉତ୍ସବ ପାଳନ କରିବା ସହ ମୁଖ୍ୟାଳୟ ପକ୍ଷରୁ ପଠାଯାଇଥିବା ମିଠା ଓ ଉପହାର ବଣ୍ଟନ କରିଥିଲେ। ତେବେ ଉତ୍ସବର ଆନନ୍ଦ ମଧ୍ୟରେ ଦେଶର ସୁରକ୍ଷା ଦାୟିତ୍ୱକୁ ଭୁଲି ନଥିଲେ BSF ଯବାନ। କିଛି ଯବାନ ଦୀପାବଳି ପାଳନରେ ସାମିଲ ହୋଇଥିବା ବେଳେ ଅନ୍ୟ ଯବାନମାନେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ କଡ଼ା ନଜର ରଖି ନିଜ ଦାୟିତ୍ୱ ତୁଲାଇଥିଲେ।ଏକପଟେ ଦୀପାବଳିର ଆଲୋକ, ଅନ୍ୟପଟେ ଦେଶର ସୁରକ୍ଷା ପାଇଁ ଅବିରତ ପ୍ରହରା। ଉତ୍ସବ ଓ କର୍ତ୍ତବ୍ୟର ଏହି ସୁନ୍ଦର ସମନ୍ୱୟ ୧୩୬ ବାଟାଲିୟନ BSFର ଶୃଙ୍ଖଳା, ଏକତା ଓ ଦେଶପ୍ରେମର ପରିଚୟ ଦେଇଛି।
