ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ବୈଠକ
ଗୋଦାମରେ ନୁହେଁ, ପ୍ରତି ଗାଁରେ ମହଜୁଦ ରହିବ ଖାଦ୍ୟ ଓ ପାନୀୟ ଜଳ
ବିପର୍ଯ୍ୟୟ ସମୟରେ ଲୋକଙ୍କ ସହ ଧୈର୍ଯ୍ୟ, ସହାନୁଭୂତି ଓ ମାନବିକତାର ସହ ବ୍ୟବହାର କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ
ଛତ୍ରପୁର, ୦୧/୧୧: ସମ୍ଭାବ୍ୟ ବାତ୍ୟା ଓ ବନ୍ୟାର ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ଅଞ୍ଚଳରେ ଆଗୁଆ ପ୍ରସ୍ତୁତି ରଖିବାକୁ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ନିର୍ଦ୍ଦେଶ ଦେଇଛନ୍ତି। ରବିବାର ଓସୱାନ୍ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସେ ବିଭିନ୍ନ ବିଭାଗର ପ୍ରସ୍ତୁତି ଓ ବନ୍ୟା ପରବର୍ତ୍ତୀ ସ୍ଥିତି ସମୀକ୍ଷା କରିଥିଲେ।
ଜିଲ୍ଲାପାଳ କହିଥିଲେ ଯେ, କେବଳ ଗୋଦାମରେ ଖାଦ୍ୟ ସାମଗ୍ରୀ ମହଜୁଦ ରଖିଲେ ହେବ ନାହିଁ, ପ୍ରତ୍ୟେକ ଗାଁରେ ଆବଶ୍ୟକ ପରିମାଣର ଖାଦ୍ୟ ଓ ପାନୀୟ ଜଳ ଆଗୁଆ ମହଜୁଦ ରଖିବାକୁ ହେବ। ଆସ୍କା, ଶେରଗଡ଼, ଧରାକୋଟ ଓ ଚିକିଟି ସମେତ ବିଭିନ୍ନ ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରି ସେ ଆବଶ୍ୟକ ପ୍ରସ୍ତୁତି ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ କହିଥିଲେ। କ୍ଷେତ୍ରସ୍ତରୀୟ ଅଧିକାରୀମାନେ ସଠିକ୍ ତଥ୍ୟ ଯାଞ୍ଚ କରି ପ୍ରଦାନ କରିବେ। ଭୁଲ୍ ତଥ୍ୟ ପ୍ରଦାନ କିମ୍ବା କାର୍ଯ୍ୟରେ ଅବହେଳା ହେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ସ୍ପଷ୍ଟ କରିଥିଲେ।
ବିପଦସଙ୍କୁଳ ଓ କ୍ଷତିଗ୍ରସ୍ତ ରାସ୍ତାରେ ବ୍ୟାରିକେଡ୍ ଲଗାଇ ଯାତାୟାତ ନିୟନ୍ତ୍ରଣ, ସମସ୍ତ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ଏବଂ ଜଳ ବିଶୋଧନ ଓ କ୍ଲୋରିନେସନ୍ କାର୍ଯ୍ୟକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆର୍ଡି, ଆର୍ଆଣ୍ଡବି ଓ ପଞ୍ଚାୟତିରାଜ ବିଭାଗ ଅଧୀନରେ ଥିବା କ୍ଷତିଗ୍ରସ୍ତ ରାସ୍ତାଗୁଡ଼ିକର ମରାମତି ୪୮ ଘଣ୍ଟା ମଧ୍ୟରେ ଶେଷ କରିବାକୁ କୁହାଯାଇଛି। ଧରାକୋଟ ଓ ଆସ୍କାର କିଛି ଅଞ୍ଚଳକୁ ବାଦ୍ ଦେଲେ ଜିଲ୍ଲାର ଅଧିକାଂଶ ସ୍ଥାନରେ ବିଦ୍ୟୁତ୍ ସେବା ପୁନଃସ୍ଥାପିତ ହୋଇଥିବା ଟାଟା ପାୱାର ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିସହ ପ୍ରତ୍ୟେକ କଚ୍ଚା ଓ ଚାଳଛପର ଘରେ ରହୁଥିବା ପରିବାରକୁ ତୁରନ୍ତ ପାଲ ବଣ୍ଟନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
ବିପର୍ଯ୍ୟୟ ସମୟରେ ଲୋକଙ୍କ ସହ ଧୈର୍ଯ୍ୟ, ସହାନୁଭୂତି ଓ ମାନବିକତାର ସହ ବ୍ୟବହାର କରିବା ସହ ସମସ୍ତ କାର୍ଯ୍ୟ ଆନ୍ତରିକତାର ସହ ସମ୍ପାଦନ କରିବାକୁ ଜିଲ୍ଲାପାଳ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା, ସୁନୀଲ କେର୍କେଟା, ବ୍ରହ୍ମପୁର ମହାନଗର ନିଗମ କମିଶନର ଆକବରମ୍ ଶଶ୍ୟା ରେଡ୍ଡୀ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବିଭିନ୍ନ ଜିଲ୍ଲାରୁ ଆସିଥିବା ବରିଷ୍ଠ ଅଧିକାରୀ, ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗଦେଇଥିଲେ।
