କଳାହାଣ୍ଡିତଳାଗାଁରେ ବାହାଦି ଠାକୁରଙ୍କ ବାର୍ଷିକ ଦଶରା ସମ୍ପନ୍ନ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
ତଳାଗାଁରେ ବାହାଦି ଠାକୁରଙ୍କ ବାର୍ଷିକ ଦଶରା ସମ୍ପନ୍ନ, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
କୋକସରା, ୦୨/୧୧ (କଳାହାଣ୍ଡି ଜିଲ୍ଲା କୋକସରା ରୁ ମଣ୍ଟୁ ପାଣିଗ୍ରାହୀ ଭଞୀଦୁତ ଖବର) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ତଳାଗାଁରେ ପ୍ରଭୁ ବାହାଦି ଠାକୁରଙ୍କ ବାର୍ଷିକ ଦଶରା ପର୍ବ ରବିବାର ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମହାସମାରୋହରେ ସମ୍ପନ୍ନ ହୋଇଛି। ଏହି ପାରମ୍ପରିକ ପର୍ବରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସମଗ୍ର ଅଞ୍ଚଳ ଭକ୍ତିମୟ ହୋଇଉଠିଥିଲା।ପ୍ରଭୁ ବୁଢ଼ାରଜାଙ୍କ ଦଶରା ପରେ ବାହାଦି ଠାକୁରଙ୍କ ଦଶରା ପାଳନ କରାଯାଉଥିବାରୁ ଏହି ପର୍ବର ରହିଛି ଏକ ସ୍ୱତନ୍ତ୍ର ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ। ସାହାଜଖୋଲ ସଂରକ୍ଷିତ ଜଙ୍ଗଲର ପାଦଦେଶରେ ଥିବା ବାହାଦି ଡଙ୍ଗରରେ ପ୍ରଭୁ ବାହାଦି ଠାକୁରଙ୍କ ପ୍ରସିଦ୍ଧ ପୀଠ ରହିଛି। ଏହି ପୀଠରେ ପ୍ରଭୁ ବାହାଦି ଠାକୁରଙ୍କ ସମେତ ମା’ ବସ୍ତରାଣୀ ଓ ମା’ ମାଉଲିଙ୍କ ପୀଠ ରହିଛି lଏହି ଦଶରା ଉତ୍ସବରେ ସିଉନି, ବଡ଼ପୋଡ଼ାଗୁଡ଼ା, ଦାବିରୀଗୁଡ଼ା, ସର୍ଗିଗୁଡ଼ା ଓ ଭେଳିଆଜୋର ସମେତ ବାରପାଳିର ବିଭିନ୍ନ ଗ୍ରାମରୁ ଲାଠି ଓ କାଳିସୀମାନେ ପାରମ୍ପରିକ ବେଶଭୂଷାରେ ପୀଠକୁ ଆଗମନ କରିଥିଲେ। ପ୍ରଥମେ ମା’ ବସ୍ତରାଣୀଙ୍କ ପୀଠରେ ପାରମ୍ପରିକ ରୀତିନୀତି ଅନୁସାରେ ସମସ୍ତ ଦେବାଦେବୀଙ୍କ ଲାଠି ଓ କାଳିସୀଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା। ପରେ ସେମାନେ ମା’ ମାଉଲିଙ୍କ ପୀଠକୁ ଯାଇଥିଲେ।ପ୍ରଭୁ ବାହାଦି ଠାକୁର, ମା’ ବସ୍ତରାଣୀ ଓ ମା’ କଳାକଅଁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନେ ଦେବାଦେବୀଙ୍କ ଦର୍ଶନ କରି ନିଜ ପରିବାରର ସୁଖ, ଶାନ୍ତି ଓ ସମୃଦ୍ଧି କାମନା କରିଥିଲେ। ମା’ ମାଉଲିଙ୍କ ପୀଠରେ ଲାଠି ଓ କାଳିସୀ ପହଞ୍ଚିବା ପରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା।ଘଣ୍ଟ, ଶଙ୍ଖ, ହୁଳହୁଳି, ନାଗରା ଓ ମହୁରୀର ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା ତଳାଗାଁ ମାଟି । ଲାଠି ଓ କାଳିସୀଙ୍କ ପାରମ୍ପରିକ ଦୈବୀ ନୃତ୍ୟ ଦେଖିବା ପାଇଁ ଭକ୍ତମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖାଯାଇଥିଲା। ଏହା ସହ କାଳିସୀମାନେ ଲୁହାକଣ୍ଟାର ଦୋଳିରେ ଝୁଲି ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ପିଢ଼ି ପରେ ପିଢ଼ି ଧରି ଚାଲିଆସୁଥିବା ଏହି ଆସ୍ଥା, ବିଶ୍ୱାସ ଓ ପରମ୍ପରାକୁ ତଳାଗାଁ ଅଞ୍ଚଳବାସୀ ଆଜି ମଧ୍ୟ ନିଷ୍ଠାର ସହ ବଜାୟ ରଖିଛନ୍ତି।ଏହି ଧାର୍ମିକ କାର୍ଯ୍ୟକ୍ରମରେ ପୂଜକ ବଳଭଦ୍ର ପୂଝାରୀ, କାଳିସୀ ସପୂରସିଂହ ନାଗ, ଦାମୁ ରାଉତ, ହେମରାଜ ବେମାଲ, କୈଳାଶ ନାଏକ, ବାହାଦି କାଳିସୀ ତୁଲାରାମ ଓ ଅମର ରାଉତ ପ୍ରମୁଖ ସାମିଲ ହୋଇ ଦୈବୀ କାର୍ଯ୍ୟ ସମ୍ପାଦନ କରିଥିଲେ।ଶ୍ରୀ ଶ୍ରୀ ବାହାଦି ଠାକୁର ପୂଜା କମିଟିର ସଭାପତି ଧର୍ମାନନ୍ଦ ନାଏକ, ସମ୍ପାଦକ ମନୋଜ କୁମାର ଦାସ, କୋଷାଧ୍ୟକ୍ଷ ଧନବଳ ଲହଜଳ, ସଦସ୍ୟ ଜଗଦୀଶ ନାଏକ, ଲାଲସିଂ ବାଗଙ୍କ ସମେତ ଗ୍ରାମର ଅନେକ ଯୁବକ ଓ ଗ୍ରାମବାସୀ ସହଯୋଗ କରିଥିଲେ।ବାହାଦି ଠାକୁରଙ୍କ ପ୍ରତି ଅଞ୍ଚଳବାସୀଙ୍କ ଅତୁଟ ଆସ୍ଥା, ଶ୍ରଦ୍ଧା ଓ ବିଶ୍ୱାସ ସହ ଏହି ଦଶରା ମହୋତ୍ସବ ପୁଣିଥରେ ଅଞ୍ଚଳର ଗୌରବମୟ ଲୋକସଂସ୍କୃତି, ଐତିହ୍ୟ ଓ ପରମ୍ପରାର ଝଲକ ପ୍ରଦର୍ଶନ କରିଥିଲା ।
