*ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ସାମ୍ବାଦିକଙ୍କ ସମନ୍ୱୟ ବୈଠକ: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ମଜବୁତ କରିବାକୁ ଆହ୍ଵାନ*
ନୂଆପଡା (ମିଖାଏଲ ନନ୍ଦ) ତା-୦୧/୧୧/୨୦୨୬
ସାମ୍ବାଦିକତାର କୌଣସି ଭୌଗୋଳିକ ସୀମା ନାହିଁ ଏବଂ ସତ୍ୟ ପ୍ରକାଶ ହିଁ ଏହାର ଚରମ ଲକ୍ଷ୍ୟ—ଏହି ବାର୍ତ୍ତାକୁ ଦୃଢ଼ ଭାବରେ ପ୍ରତିପାଦନ କରି ଓଡ଼ିଶା ଓ ଛତିଶଗଡ଼ ସୀମାନ୍ତ ଅଞ୍ଚଳରେ ଦୁଇ ରାଜ୍ୟର ସାମ୍ବାଦିକମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସୀମାନ୍ତ ଅଞ୍ଚଳର ଜନସାଧାରଣଙ୍କ ସାମାଜିକ, ପ୍ରଶାସନିକ ଓ ଜନସମସ୍ୟାଗୁଡ଼ିକୁ ଅଧିକ ଗୁରୁତ୍ଵ ଦେବା ସହିତ ସାମ୍ବାଦିକମାନଙ୍କ ମଧ୍ୟରେ ପାର୍ସ୍ପରିକ ସହଯୋଗ ଓ ଏକତାକୁ ସୁଦୃଢ଼ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ସିନାପାଲିଠାରେ ଅନୁଷ୍ଠିତ ଏହି ସମନ୍ୱୟ ବୈଠକରେ ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ବାଗ ଅଧ୍ୟକ୍ଷତା କରିଥିଲେ। ଏଥିରେ ନୂଆପଡା ଜିଲ୍ଲାର ସିନାପାଲି ବ୍ଲକ, ଛତିଶଗଡ଼ର ଦେବଭୋଗ, ଗରିଆବନ୍ଦ ଓ ମୈନପୁର, କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଏବଂ ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡିରୁ ବହୁ ସାମ୍ବାଦିକ ଯୋଗଦେଇଥିଲେ। ଏହି ଅବସରରେ ସମସ୍ତ ଯୋଗଦାନକାରୀ ସାମ୍ବାଦିକମାନଙ୍କୁ ପାରମ୍ପରିକ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।
ମିଡିଆ ସ୍ୱାଧୀନତା ଓ ସାମ୍ବାଦିକଙ୍କ ସୁରକ୍ଷା ଉପରେ ଗୁରୁତ୍ୱ:
ବୈଠକରେ ଗଣମାତ୍ରା ଓ ସାମ୍ବାଦିକଙ୍କ ସୁରକ୍ଷା, ବୃତ୍ତିଗତ ମର୍ଯ୍ୟାଦା, ମିଡିଆ ସ୍ୱାଧୀନତା ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ମଧ୍ୟରେ ଦୃଢ଼ ଏକତା ଆବଶ୍ୟକତା ସମ୍ପର୍ଣ୍ଣ ଆଲୋଚନା ହୋଇଥିଲା।
ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ସାମ୍ବାଦିକମାନେ ବୃତ୍ତିର କ୍ରେଡିବିଲିଟି, ସ୍ୱାଧୀନତା ଏବଂ ମର୍ଯ୍ୟାଦା ରକ୍ଷା ପାଇଁ ଏକାଠି ଠିଆ ହେବାକୁ ବକ୍ତାମାନେ ଗୁରୁତ୍ୱାରୋପ କରିଥିଲେ।
ନିର୍ଭୀକ, ସତ୍ୟ ଓ ନିରପେକ୍ଷ ରିପୋର୍ଟିଂ ପ୍ରତ୍ୟେକ ସାମ୍ବାଦିକଙ୍କ ମୌଳିକ ଦାୟିତ୍ଵ ବୋଲି ବରିଷ୍ଠ ସାମ୍ବାଦିକମାନେ ମତ ଦେଇଥିଲେ।
ସୀମାନ୍ତ ଅଞ୍ଚଳର ସମସ୍ୟା ଓ ଦୁଇ ରାଜ୍ୟର ସହଯୋଗ:
ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟସେବା, ପାନୀୟ ଜଳ, ଯାତାୟାତ ଏବଂ ମୌଳିକ ସୁବିଧା ଭଳି ସୀମାନ୍ତ ଅଞ୍ଚଳର ବିଭିନ୍ନ ଜନସମସ୍ୟାକୁ ସରକାର ଓ ପ୍ରଶାସନ ନିକଟରେ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ଜୋର ଦିଆଯାଇଥିଲା।
ଦୁଇ ପଡ଼ୋଶୀ ରାଜ୍ୟର ସାମ୍ବାଦିକମାନଙ୍କ ମଧ୍ୟରେ ନିୟମିତ ତଥ୍ୟ ଆଦାନପ୍ରଦାନ, ପାର୍ସ୍ପରିକ ସହାୟତା ଏବଂ ସମନ୍ୱୟ ରକ୍ଷାକାରୀ ରିପୋର୍ଟିଂର ଗୁରୁତ୍ଵ ଉପରେ ଆଲୋଚନା ହୋଇଥିଲା।
ଭୌଗୋଳିକ ସୀମା ରାଜ୍ୟଗୁଡ଼ିକୁ ଅଲଗା କରିପାରେ, କିନ୍ତୁ ସତ୍ୟର ପ୍ରଚାର ଏବଂ ସମାଜ ସେବା ହିଁ ସାମ୍ବାଦିକତାର ମୂଳ ଲକ୍ଷ୍ୟ ହୋଇ ରହିଛି ବୋଲି ଅଂଶଗ୍ରହଣକାରୀମାନେ ମତପ୍ରକାଶ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଛତିଶଗଡ଼ ଦେବଭୋଗର ପୁରୁଷୋତ୍ତମ ପାତ୍ର, ମନମୋହନ ନେତାମ, ଗିରିଶ ଜଗତ, ରମେଶ ସୋନି; ମୈନପୁରର ରାଧେ ପାଟେଲ; କଳାହାଣ୍ଡି ଧର୍ମଗଡ଼ର ବିରଞ୍ଚି ଜାଲ, ଅଂଶୁମାନ ପାତ୍ର, ବୈଦ୍ୟନାଥ ବେହେରା, ସୁବ୍ରତ ପଣ୍ଡା ଏବଂ ନବରଙ୍ଗପୁର ଚନ୍ଦାହାଣ୍ଡିର ପିତାମ୍ବର ସୋରି, ମଦନ ହିଆଲ, ଅର୍ଜୁନ ଚଣ୍ଡି ପ୍ରମୁଖ ବହୁ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
ସେହିପରି ସିନାପାଲି ପ୍ରେସ୍ କ୍ଲବର ସାମ୍ବାଦିକ ଅଜିତ ଯୋଶୀ, ଜଗନ୍ନାଥ ସାମ୍ବାଦିକ ସଂଘର ସଭାପତି ଜଗନ୍ନାଥ ସାଗର, ବରିଷ୍ଠ ସାମ୍ବାଦିମାନଙ୍କ ମଧ୍ୟରୁ ସୁଭ୍ରାଂଶୁ ନାଏକ, ରାହୁଲ ରାଣା, ବିହାରୀ ଲାଲ ଜଗତ, ବନବିହାରୀ ମେହେର, ସୁଶାନ୍ତ ନାୟକ, ଚିନ୍ତାମଣି ନେତାମ ଓ ଧର୍ମେନ୍ଦ୍ର ଗହିର ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।
ଶେଷରେ, ସମସ୍ତ ସାମ୍ବାଦିକମାନେ ସୀମା ପ୍ରାଚୀର ଅତିକ୍ରମ କରି ପାର୍ସ୍ପରିକ ଭ୍ରାତୃଭାବ, ସମ୍ମାନ ଏବଂ ସହଯୋଗକୁ ଅଧିକ ଦୃଢ଼ କରିବା ସହ ଜନସ୍ଵାର୍ଥ ସମ୍ବନ୍ଧୀୟ ପ୍ରସଙ୍ଗଗୁଡ଼ିକୁ ମିଳିତ ଭାବେ ଉଠାଇବା ପାଇଁ ସଂକଳ୍ପବଦ୍ଧ ହୋଇଥିଲେ।
