*ଢେଙ୍କାନାଳ ଜିଲ୍ଲାକୁ ଶିଶୁଶ୍ରମିକ ମୁକ୍ତ କରିବା ପାଇଁ ୪୪ ଦିନିଆ ସଚେତନତା ଅଭିଯାନ* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )
ଶିଶୁଶ୍ରମିକ ନିୟୋଜନ ରୋକିବାକୁ ବିଭିନ୍ନ ବିଭାଗର ସମନ୍ୱିତ ପଦକ୍ଷେପ ଉପରେ ଗୁରୁତ୍ୱ l
ଢେଙ୍କାନାଳ, ୩୧/୧୦: ଢେଙ୍କାନାଳ ଜିଲ୍ଲାକୁ ଶିଶୁଶ୍ରମିକ ମୁକ୍ତ କରିବା ଏବଂ ଶିଶୁଶ୍ରମ ପ୍ରଥାର ସମ୍ପୂର୍ଣ୍ଣ ଉଚ୍ଛେଦ ଲକ୍ଷ୍ୟରେ ଜିଲ୍ଲା ଶ୍ରମ ବିଭାଗ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ୪୪ ଦିନିଆ ସ୍ୱତନ୍ତ୍ର ସଚେତନତା ଅଭିଯାନ ଚାଲୁ ରହିଛି। ଗାନ୍ଧୀ ଜୟନ୍ତୀ ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ନଭେମ୍ବର ୧୪ ତାରିଖ ଶିଶୁ ଦିବସ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ୍ ଓ ଗ୍ରାମପଞ୍ଚାୟତରେ ଚାଲୁ ରହିବ।
ଏହି ପରିପ୍ରେକ୍ଷୀରେ ଆଜି ପୂର୍ବାହ୍ନରେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷରେ ଶିଶୁଶ୍ରମ ପ୍ରଥାର ଉଚ୍ଛେଦ ଓ ଏହା ବିରୋଧରେ ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ।
ବୈଠକରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ମୋନାଲିସା ନାୟକ, ଶିଶୁ କଲ୍ୟାଣ କମିଟିର ଅଧ୍ୟକ୍ଷ ଶ୍ରୀ ଗୋଲେଖ ବିହାରୀ ପାଣିଗ୍ରାହୀଙ୍କ ସମେତ ଆରକ୍ଷୀ ଅଧୀକ୍ଷକ, ଜନସ୍ୱାସ୍ଥ୍ୟ ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ, ଜିଲ୍ଲା ନିୟୋଜନ ଅଧିକାରୀ, ବ୍ଲକ୍ ଶିକ୍ଷା ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା କଲ୍ୟାଣ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଏବଂ ସହକାରୀ ଶ୍ରମ ଅଧିକାରୀଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀ ଯୋଗଦେଇଥିଲେ। ଏଥିସହ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ଟ୍ରେଡ୍ ୟୁନିୟନ, ଶିଳ୍ପ ଓ ବାଣିଜ୍ୟ ସଂସ୍ଥା, ଷ୍ଟୋନ୍ କ୍ରସର୍, ଚାଉଳ କଳ ମାଲିକ ସଂଘ ଏବଂ ଅନ୍ୟାନ୍ୟ ଅଂଶୀଦାରମାନେ ଉପସ୍ଥିତ ଥିଲେ।
ବୈଠକରେ ଜିଲ୍ଲାକୁ ଶିଶୁଶ୍ରମିକ ମୁକ୍ତ କରିବା ପାଇଁ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ନିୟମିତ ଯାଞ୍ଚ ଓ ଆବଶ୍ୟକ ଆଇନଗତ ପଦକ୍ଷେପ ଗ୍ରହଣ ଉପରେ ଆଲୋଚନା ହୋଇଥିଲା। ୧୪ ବର୍ଷରୁ କମ୍ ବୟସର ଶିଶୁମାନଙ୍କୁ ଦୋକାନ, ହୋଟେଲ ଓ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନରେ ନିୟୋଜିତ ନକରିବା ସହ ୧୪ରୁ ୧୮ ବର୍ଷରୁ କମ୍ ବୟସର କିଶୋରମାନଙ୍କୁ ବିପଦସଙ୍କୁଳ କାର୍ଯ୍ୟରେ ନିୟୋଜନରୁ ଦୂରେଇ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ନିୟମର ଉଲ୍ଲଂଘନ କ୍ଷେତ୍ରରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଆଲୋଚନା କରାଯାଇଥିଲା।
ଅଭିଯାନକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ଏକ ସଚେତନତା ରଥର ବ୍ୟବସ୍ଥା କରାଯାଇଛି। ଏହି ରଥ ଜିଲ୍ଲାର ସମସ୍ତ ବ୍ଲକ୍, ବିଜ୍ଞାପିତ ଅଞ୍ଚଳ, ଢେଙ୍କାନାଳ ପୌରପାଳିକା ଓ ବିଭିନ୍ନ ଗ୍ରାମପଞ୍ଚାୟତ ପରିକ୍ରମା କରି ଶିଶୁଶ୍ରମିକ ପ୍ରଥା ବିରୋଧରେ ଜନସଚେତନତା ସୃଷ୍ଟି କରିବା ସହ ପ୍ରଚାରପତ୍ର ବଣ୍ଟନ କରିବ।
କୌଣସି ସ୍ଥାନରେ ଶିଶୁଶ୍ରମିକ ନିୟୋଜିତ ହେଉଥିବା ଦେଖିଲେ ତୁରନ୍ତ ଚାଇଲ୍ଡ ହେଲ୍ପଲାଇନ୍ ନମ୍ବର ୧୦୯୮ କିମ୍ବା ନିକଟସ୍ଥ ଶ୍ରମ କାର୍ଯ୍ୟାଳୟରେ ସୂଚନା ଦେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବସାଧାରଣଙ୍କୁ ନିବେଦନ କରାଯାଇଛି।
କାର୍ଯ୍ୟକ୍ରମକୁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ତପନ କୁମାର ସୂତାର ପରିଚାଳନା କରିଥିଲେ।
