*ସାରସକଣାରେ ଚାଞ୍ଚଲ୍ୟ: ସରକାରୀ ଚେକ୍ ଡେମ୍ ଭାଙ୍ଗି ଓଁ କାର ମନ୍ଦିର ପ୍ରାଙ୍ଗଣରୁ ମାଟି ଲୁଟ୍!*
*ରାତି ଅଧରେ ଜେସିବି ଲଗାଇ ଠିକାଦାରଙ୍କ ଦାଦାଗିରି, ମନ୍ଦିର ଅସୁରକ୍ଷିତ*
*ସାରସକଣା, ୩୦/୧୦ (ଭଞ୍ଜଦୂତ):* ରାଜ୍ୟ ସରକାର ଏକ ପଟେ ଓଡ଼ିଶାର ପ୍ରତ୍ୟେକ ମନ୍ଦିରର ପୁନଃରୁଦ୍ଧାର ଓ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସାରସକଣାରେ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି। ସରକାରଙ୍କ ଦ୍ୱାରା ନିର୍ମିତ ଚେକ୍ ଡେମ୍ର ପାଚେରୀକୁ ଭାଙ୍ଗି ଐତିହାସିକ ମନ୍ଦିର ପ୍ରାଙ୍ଗଣରୁ ମାଟି ଚୋରି ଅଭିଯୋଗ ସାମ୍ନାକୁ ଆସିଛି।
*ଘଟଣା କଣ?*
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଗୋଳପମଣି ଉଚ୍ଚ ବିଦ୍ୟାଳୟ ନିକଟସ୍ଥ ଚାକଦହ ଠାରେ ପ୍ରାୟ ୧୦୦ ବର୍ଷ ପୁରୁଣା ପ୍ରସିଦ୍ଧ “ଓଁ କାର” ମନ୍ଦିର ଅବସ୍ଥିତ। ରାଜ୍ୟ ସରକାରଙ୍କ ଅନୁଦାନରେ ଏହାର ପୁନଃରୁଦ୍ଧାର ହୋଇଥିଲା। ମନ୍ଦିର ପାଖ ଦେଇ ଯାଇଥିବା କୁଚୁଲା ନାଳରୁ ମନ୍ଦିରକୁ ସୁରକ୍ଷା ଦେବା ପାଇଁ ସରକାରଙ୍କ ଦ୍ୱାରା ଏକ ଚେକ୍ ଡେମ୍ ନିର୍ମାଣ କରାଯାଇଥିଲା।
ହେଲେ ବର୍ତ୍ତମାନ ସେହି ସ୍ଥାନରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ *୩,୮୯,୪୭,୯୮୬ ଟଙ୍କା* ବ୍ୟୟରେ ଏକ ନୂତନ ପୋଲ ନିର୍ମାଣ କାର୍ଯ୍ୟ ଚାଲିଛି।
*ଟ୍ରଷ୍ଟର ସଙ୍ଗୀନ ଅଭିଯୋଗ:*
ମନ୍ଦିର ଟ୍ରଷ୍ଟର ଅଭିଯୋଗ ଅନୁସାରେ, ପୋଲ ନିର୍ମାଣ କରୁଥିବା ଠିକାଦାର ପୋଲ ଆପ୍ରୋଚ୍ ରାସ୍ତାକୁ ସମାନ କରିବା ପାଇଁ ରାତି ଅଧରେ କାହାକୁ ନ ଜଣାଇ *ଜେସିବି ମେସିନ୍ ଦ୍ୱାରା ଚେକ୍ ଡେମ୍ର ପାଚେରୀ ଭାଙ୍ଗି ଦେଇଛନ୍ତି।* ଏହା ପରେ ଟ୍ରାକ୍ଟର ଲଗାଇ ମନ୍ଦିର ପ୍ରାଙ୍ଗଣ ଭିତରୁ ପ୍ରାୟ *୧୦ ଫୁଟ ଗଭୀର ଗାତ ଖୋଳି ମାଟି ଲୁଟ୍ କରି ନେଇଛନ୍ତି।*
*ମନ୍ଦିର ପ୍ରତି ବିପଦ:*
ଏହା ଫଳରେ ଆଗାମୀ ବର୍ଷା ଦିନରେ ନାଳର ବନ୍ୟା ପାଣି ସିଧା ମନ୍ଦିର ପ୍ରାଙ୍ଗଣରେ ପଶି ମାଟି ଧୋଇ ନେବାର ଆଶଙ୍କା ରହିଛି। ମନ୍ଦିର ପ୍ରାଙ୍ଗଣ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସହ ମନ୍ଦିରର ଭିତ୍ତିଭୂମି ପ୍ରତି ବିପଦ ସୃଷ୍ଟି ହୋଇଛି।
*ପ୍ରଶ୍ନ ଉଠାଇଲା ଟ୍ରଷ୍ଟ:*
ସରକାରୀ ସମ୍ପତ୍ତି ଚେକ୍ ଡେମ୍କୁ ଭାଙ୍ଗିବାକୁ ଠିକାଦାରଙ୍କୁ ଅଧିକାର ଦେଲା କିଏ? ବିନା ଅନୁମତିରେ ରାତି ଅଧରେ ମନ୍ଦିର ପରିସରରୁ ମାଟି ଖୋଳିବା କେତେ ଦୂର ଯୁକ୍ତିଯୁକ୍ତ? – ଏହି ପ୍ରଶ୍ନ ଏବେ ସାଧାରଣରେ ଉଠିଛି।
ଏହି ଘଟଣାକୁ ମନ୍ଦିର ଟ୍ରଷ୍ଟ ପକ୍ଷରୁ ଦୃଢ଼ ନିନ୍ଦା କରାଯାଇଛି। ତୁରନ୍ତ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଚେକ୍ ଡେମ୍ର ମରାମତି କରିବାକୁ ଦାବି କରାଯାଇଛି। ଯଦି ପ୍ରଶାସନ ଚୁପ୍ ରୁହେ, ତେବେ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଟ୍ରଷ୍ଟ ଚେତାବନୀ ଦେଇଛି।
ମୟୁରଭଞ୍ଜ ରୁ ମୋନାଲି ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର।
