ଅବହେଳିତ ଅର୍ଜୁନ କଟା ବନ୍ଧର ବିକାଶ ଦାବି, ବୋଟିଂ ସୁବିଧା ସହ ପର୍ଯ୍ୟଟନସ୍ଥଳୀ କରିବାକୁ ଦାବି
ତାଳଚେର, ମନୋଜ ରାଉତ (ନିପ୍ର) ତାଳଚେର ପୌରାଞ୍ଚଳର ୧ ନମ୍ବର ୱାର୍ଡ ଦେଇ ଯାଇଥିବା ଅର୍ଜୁନ କଟା ବନ୍ଧ ଦୀର୍ଘଦିନ ଧରି ଅବହେଳିତ ହୋଇ ରହିଛି। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ବନ୍ଧର ଉପଯୁକ୍ତ ପୁନରୁଦ୍ଧାର ଓ ବିକାଶ କରାଗଲେ ଏହା ତାଳଚେରର ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀ ହୋଇପାରିବ ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି।
ଏହି ବନ୍ଧର ପୁନରୁଦ୍ଧାର ସହ ପର୍ଯ୍ୟଟକଙ୍କ ପାଇଁ ବୋଟିଂ ସୁବିଧା, ଆଲୋକୀକରଣ, ସୌନ୍ଦର୍ଯ୍ୟକରଣ ଓ ଆବଶ୍ୟକୀୟ ଭିତ୍ତିଭୂମି ନିର୍ମାଣ କରାଗଲେ ଏହା ତାଳଚେରର ପର୍ଯ୍ୟଟନ ବିକାଶରେ ଏକ ନୂଆ ଅଧ୍ୟାୟ ଯୋଡ଼ିପାରିବ। ଏଥିସହ ସ୍ଥାନୀୟ ଅଞ୍ଚଳରେ ରୋଜଗାରର ନୂତନ ସୁଯୋଗ ମଧ୍ୟ ସୃଷ୍ଟି ହୋଇପାରିବ।
ତେଣୁ ତାଳଚେରର ଜନପ୍ରତିନିଧି ଓ ପ୍ରଶାସନ ଏହି ସମ୍ଭାବନାମୟ ସ୍ଥାନ ପ୍ରତି ଦୃଷ୍ଟି ଦେଇ ଏହାର ବିକାଶ ଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣଙ୍କ ପକ୍ଷରୁ ଦାବି ହେଉଛି।
