ଶିକ୍ଷକଙ୍କ ଅବହେଳାରେ ଅନ୍ଧାର ହେଉଛି ଆଦିବାସୀ ପିଲାଙ୍କ ଭବିଷ୍ୟତ!
ରାଇଘର୩୦/୧୦ (ଉମେଶ ସାହୁ): ଯେଉଁଠି ଶିକ୍ଷାର ଆଲୋକ ପହଞ୍ଚିବା କଥା, ସେଠି ଯଦି ଶିକ୍ଷାଦାନ ଠପ୍ ହୋଇଯାଏ, ତେବେ ଆଦିବାସୀ ପିଲାଙ୍କ ଭବିଷ୍ୟତ ଗଢ଼ିବ କିଏ? ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକରେ ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାକୁ ନେଇ ଏଭଳି ଚିନ୍ତାଜନକ ଚିତ୍ର ସାମ୍ନାକୁ ଆସିଛି।କେଉଁ ବିଦ୍ୟାଳୟରେ ପିଲା ଉପସ୍ଥିତ ଅଛନ୍ତି, ହେଲେ ଶିକ୍ଷକଙ୍କ ଦେଖା ନାହିଁ; ଆଉ କେଉଁଠି ଶିକ୍ଷକ ଥିଲେ ମଧ୍ୟ ପିଲାଙ୍କ ଉପସ୍ଥାନ ନାହିଁ। ଅଭିଯୋଗ ଅନୁସାରେ, ଦଶହରା ଛୁଟିର ଦୁଇ-ଚାରି ଦିନ ପୂର୍ବରୁ କେତେକ ଶିକ୍ଷକ ଘରକୁ ଚାଲିଯାଇଥିବା ବେଳେ ଛୁଟି ପରେ ବିଦ୍ୟାଳୟ ଖୋଲିବା ସତ୍ତ୍ୱେ ଅନେକ ସ୍ଥାନରେ ସେମାନଙ୍କ ଅନୁପସ୍ଥିତି ଦେଖିବାକୁ ମିଳିଛି।
ସବୁଠାରୁ ଚିନ୍ତାର ବିଷୟ, ଏହା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏଠାକାର ଗରିବ ଓ ନିରୀହ ପିଲାଙ୍କ ପାଇଁ ବିଦ୍ୟାଳୟ ହିଁ ଉନ୍ନତ ଭବିଷ୍ୟତର ଏକମାତ୍ର ଆଶା। ହେଲେ ଶିକ୍ଷକଙ୍କ ଅବହେଳା ଯଦି ପାଠପଢ଼ାରେ ବାଧା ସୃଷ୍ଟି କରେ, ତେବେ ଏହି ପିଲାଙ୍କ ଭବିଷ୍ୟତ ପାଇଁ ଦାୟୀ ରହିବ କିଏ?ଆହୁରି ଆଶ୍ଚର୍ଯ୍ୟର ବିଷୟ, ଶିକ୍ଷାମନ୍ତ୍ରୀଙ୍କ ଅଞ୍ଚଳରେ ଯଦି ଶିକ୍ଷା ବ୍ୟବସ୍ଥାର ଏଭଳି ଅବସ୍ଥା, ତେବେ ଅନ୍ୟ ଅଞ୍ଚଳର ସ୍ଥିତି କିପରି ଥିବ? ଶିକ୍ଷା ବିଭାଗର ନିରୀକ୍ଷଣ କେଉଁଠି? ରାଇଘର ବ୍ଲକ ଶିକ୍ଷା ଅଧିକାରୀ ଏହି ଅବ୍ୟବସ୍ଥାର ଯାଞ୍ଚ କରି ଦାୟୀ ଶିକ୍ଷକଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ?ସରକାରୀ ବିଦ୍ୟାଳୟ କେବଳ କୋଠା ନୁହେଁ, ଏହା ହଜାର ହଜାର ପିଲାଙ୍କ ସ୍ୱପ୍ନର ଠିକଣା। ସେହି ସ୍ୱପ୍ନ ସହ ଖେଳିବାକୁ କାହାରିକୁ ଅଧିକାର ନାହିଁ।
