*ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ନୂଆପଡ଼ା ଜିଲ୍ଲାରେ ତୁହାକୁ ତୁହା ବର୍ଷା ଓ ପ୍ରବଳ ପବନ, ଧାନ ଫସଲ ନଷ୍ଟ ଆଶଙ୍କାରେ ଚିନ୍ତାରେ ଚାଷୀ।*
ନୂଆପଡ଼ା( ମିଖାଏଲ ନନ୍ଦ)
ତା-୨୮/୧୦
ବଙ୍ଗୋପସାଗରରେ ସୃଷ୍ତ ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ ଏବେ ନୂଆପଡ଼ା ଜିଲ୍ଲାରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବୃଷ୍ଟିପାତ ସାଙ୍ଗକୁ ପବନର ବେଗ ମଧ୍ୟ କ୍ରମଶଃ ବୃଦ୍ଧି ପାଉଛି। ଏହି ପ୍ରତିକୂଳ ପାଗ ଯୋଗୁଁ ଜିଲ୍ଲାର କୃଷି କାର୍ଯ୍ୟ ଏବଂ ଚାଷୀଙ୍କ ମୁଖ୍ୟ ଫସଲ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।
ବର୍ତ୍ତମାନ କ୍ଷେତରେ ଧାନ ଗଛରୁ ଧାନ ବାହାରିବା ସମୟ ହୋଇଥିବାବେଳେ, ଏହି ଅଦିନିଆ ବର୍ଷା ଓ ଝଡ଼କା ପବନ ଚାଷୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି। ପାଗର ଏଭଳି ବିପର୍ଯ୍ୟୟ ଯୋଗୁଁ ଧାନ ଫସଲ ନଷ୍ଟ ହେବା ଆଶଙ୍କା ଦେଖାଦେଇଛି।
ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ଖଡ଼ିଆଳ ବ୍ଲକ ଅନ୍ତର୍ଗତ କୁସମାଲ ଗ୍ରାମର ଚାଷୀମାନଙ୍କୁ ସାକ୍ଷାତ କରାଯାଇଥିଲା। ଏହି ସମୟରେ ଚାଷୀମାନେ ସେମାନଙ୍କ କ୍ଷତିଗ୍ରସ୍ତ ଫସଲ ସମ୍ପର୍କରେ ଅବଗତ କରାଇବା ସହ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି। ବାତ୍ୟାର ଏହି କୁପ୍ରଭାବ ଯୋଗୁଁ ସ୍ଥାନୀୟ ଅଞ୍ଚଳର କୃଷକ ସମାଜ ମଧ୍ୟରେ ନିରାଶା ଖେଳିଯାଇଛି।
