*ଅଙ୍ଗନୱାଡ଼ି କେନ୍ଦ୍ର ପାଲଟିଛି ମରଣଯନ୍ତା!
ରାଇଘର (ଉମେଶ ସାହୁ): ଯେଉଁଠି କୁନି କୁନି ପିଲାଙ୍କ ହସରେ ଗୁଞ୍ଜରିତ ହେବା କଥା, ସେଠି ଆଜି ଦେଖାଦେଇଛି ଅବହେଳାର ଚିତ୍ର। ଶିଶୁଙ୍କ ଭବିଷ୍ୟତ ଗଢ଼ିବାର ପ୍ରଥମ ପାହାଚ ଅଙ୍ଗନୱାଡ଼ି କେନ୍ଦ୍ର ଯଦି ନିଜେ ଜରାଜୀର୍ଣ୍ଣ ଅବସ୍ଥାରେ ରହିବ, ତେବେ କୋମଳମତି ଶିଶୁଙ୍କ ସୁରକ୍ଷା ଓ ଶିକ୍ଷାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।
ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ମୁଣ୍ଡିବେଢ଼ା ପଞ୍ଚାୟତର ଭିମାଟିକରା ଗାଁ ଅଙ୍ଗନୱାଡ଼ି କେନ୍ଦ୍ରର ଦୟନୀୟ ଅବସ୍ଥାକୁ ନେଇ ଗ୍ରାମବାସୀ ଚିନ୍ତା ପ୍ରକାଶ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ରର ଅବସ୍ଥା ସୁଧାରିବା ପାଇଁ ବାରମ୍ବାର ଜଣାଇଥିଲେ ମଧ୍ୟ ସମ୍ପୃକ୍ତ କର୍ତ୍ତୃପକ୍ଷ ଏଥିପ୍ରତି ଧ୍ୟାନ ଦେଉନାହାନ୍ତି।
ନିଜ ପିଲାଙ୍କୁ ଭଲ ପରିବେଶରେ ଶିକ୍ଷା ଦେବା ପ୍ରତ୍ୟେକ ଅଭିଭାବକଙ୍କ ସ୍ୱପ୍ନ। କିନ୍ତୁ କେନ୍ଦ୍ରର ଏଭଳି ଅବସ୍ଥା ଦେଖି ସେମାନେ ନିଜ ପିଲାଙ୍କୁ କିପରି ନିର୍ଭୟରେ ପ୍ରାକ୍ଶିକ୍ଷା ପାଇଁ ଛାଡ଼ିବେ, ତାହା ଏବେ ବଡ଼ ପ୍ରଶ୍ନ। ଶିଶୁଙ୍କ ସୁରକ୍ଷା, ପୋଷଣ ଓ ଶିକ୍ଷା ସହ ଜଡ଼ିତ ଏହି କେନ୍ଦ୍ରର ଭିତ୍ତିଭୂମିକୁ ଅଣଦେଖା କରିବା ଆଦୌ ଉଚିତ ନୁହେଁ।
ଅଭିଯୋଗ ପରେ ମଧ୍ୟ ଯଦି ସମସ୍ୟାର ସମାଧାନ ନହୁଏ, ତେବେ ଗ୍ରାମବାସୀ ଆଉ କାହା ପାଖରେ ଗୁହାରି କରିବେ? ସମ୍ପୃକ୍ତ ବିଭାଗ ତୁରନ୍ତ କେନ୍ଦ୍ରର ସ୍ଥିତି ଯାଞ୍ଚ କରି ଆବଶ୍ୟକ ମରାମତି ଓ ଉନ୍ନତିକରଣ ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି। କାରଣ, ଶିଶୁଙ୍କ ଭବିଷ୍ୟତ ସହ ଖେଳିବାର ଅଧିକାର କାହାରି ନାହିଁ।
